ରାଉରକେଲା: ଚଳନ୍ତା ଟ୍ରେନ୍‌ରେ ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଛନ୍ତି। କେବଳ ଥରେ କି ଦୁଇ ଥର ନୁହେଁ, ବରଂ ରାତିସାରା। ଏହି ନିର୍ଯାତନାରେ ନିର୍ବାକ୍‌ ହୋଇଯାଇଥିଲେ ନାବାଳିକା। ତେବେ ଅଭିଯୁକ୍ତ ଅସଦାଚରଣର ସୀମା ଲଂଘିବାରୁ ଅତିଷ୍ଠ ହୋଇ ନାବାଳିକା ମୁହଁ ଖୋଲିଥିଲେ। ଫଳରେ ଅଭିଯୁକ୍ତକୁ ଜେଲ୍‌ଯିବାକୁ ପଡ଼ିଛି।

Advertisment

ଗତ ୨୮ ତାରିଖ ସଂନ୍ଧ୍ୟା ସମୟ। ପଶ୍ଚିମବଙ୍ଗ ବ୍ରହ୍ମପୁର ଆଲାପୁରୀର ସମ୍ରାଟ୍‌ ଶେଖ(୨୦) ଏଲ୍‌ଟିଟି ହାୱଡ଼ା ଏକ୍ସପ୍ରେସ୍‌ରୁ ମୁମ୍ବାଇରୁ ହାୱାଡ଼କୁ ଫେରୁଥିଲେ। ସମାନ ବଗିରେ ରାଞ୍ଚିର ଏକ ପରିବାର ମଧ୍ୟ ମୁମ୍ବାଇରୁ ଫେରୁଥିଲେ। ଅଭିଯୁକ୍ତର ସିଟ୍‌ ପାଖରେ ନାବାଳିକାଙ୍କ ସିଟ୍‌ ରହିଥିଲା। ନାବାଳିକାଙ୍କ ପରିବାର ରାତ୍ରିଭୋଜନ ପରେ ଶୋଇପଡ଼ିଥିଲେ। କିଛି ସମୟପରେ ଅଭିଯୁକ୍ତ ସମ୍ରାଟ୍‌ ନାବାଳିକାଙ୍କୁ ଅସଦାଚରଣ କରିଥିଲା। ଏଭଳି ଅନୈତିକ କାର୍ଯ୍ୟରେ ହତବାକ୍‌ ହୋଇଯାଇଥିଲେ ନାବାଳିକା। ଏହାର ସୁଯୋଗ ନେଇ ଅଭିଯୁକ୍ତ ବାରମ୍ବାର ଅସଦାଚରଣ କରିଚାଲିଥିଲା। ଭୋର୍‌ ସମୟରେ ଟ୍ରେନ୍‌ ରାଉରକେଲା ଷ୍ଟେସନ ପହଞ୍ଚିବା ପୂର୍ବରୁ ନାବାଳିକା ଶୌଚାଳୟକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ମଧ୍ୟ ଶୌଚାଳୟ ଭିତରକୁ ପଶି ଅସଦାଚରଣ ଆରମ୍ଭ କରିଥିଲା। ଏଥିରେ ଭୟଭୀତ ହୋଇ ନାବାଳିକା ପାଟି କରିଥିଲେ। ଫଳରେ ବଗିର ବହୁ ସହଯାତ୍ରୀ ଉଠିପଡ଼ି ଅଭିଯୁକ୍ତକୁ କାବୁ କରିବାସହ ନିଧୁର୍ମ ମାଡ଼ ମାରିଥିଲେ। କିଛି ସମୟପରେ ଟ୍ରେନ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିବାପରେ ଅଭିଯୁକ୍ତକୁ ଆର୍‌ପିଏଫ୍‌କୁ ହସ୍ତାନ୍ତର କରିଥିଲେ। ଅପରପକ୍ଷରେ ଆଜି ନାବାଳିକାଙ୍କ ପରିବାର ରାଞ୍ଚିରେ ଏତଲା ଦେଇଥିଲେ। ପରେ ମାମଲା ରାଉରକେଲା ରେଳବାଇ ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ଆଧାର କରି ରେଳବାଇ ପୁଲିସ ଆଜି ଅଭିଯୁକ୍ତକୁ ସୁନ୍ଦରଗଡ଼ ପୋସ୍କା କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।