ବ୍ରହ୍ମପୁର: ଗଜପତି ଜିଲ୍ଲା ଆର୍.ଉଦୟଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜନୈକା ୧୪ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ପ୍ରଶାସନ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ନାବାଳିକା ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଶିଶୁକନ୍ୟାର ଜନ୍ମ ପରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମା’(ନାବାଳିକା)ର ମୃତ୍ୟୁ ଘଟିଛି। ଖବର ପାଇ ବ୍ରହ୍ମପୁର ଚାଇଲ୍ଡ ଲାଇନ୍ର ଟିମ୍, ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ପ୍ରମୁଖ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ଶିଶୁକନ୍ୟାର ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। ଶିଶୁର ଓଜନ ୨କେଜି ୩ଶହ ଗ୍ରାମ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ନାବାଳିକା ଜଣକ ଆର୍.ଉଦୟଗିରିର ଏକ ହଷ୍ଟେଲ୍ରେ ରହି ପାଠ ପଢ଼ୁଥିଲେ। ତାଙ୍କ ସହ ଜଣେ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଜଣକ ଗଭର୍ବତୀ ହୋଇଥିଲେ। କିଛି ମାସ ପରେ ନାବାଳିକାଙ୍କ ପରିବାରବର୍ଗ ଝିଅ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ପରିବାରବର୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଆର୍.ଉଦୟଗିରି ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଗତ ୧୪ତାରିଖରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକାଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏସ୍ଏନ୍ସିୟୁରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି। ସେପଟେ ବଡ଼ ଡାକ୍ତରଖାନା ଫାଣ୍ଡି ପୁଲିସ କେସ୍ ନମ୍ବର ୭୬/୨୧ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/girl-child-.jpg)