ବୈଶିଙ୍ଗାରେ ଲଜ୍ଜା; ରାତିରେ ଘରୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା ଧମକ

ବୈଶିଙ୍ଗା: ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଲଜ୍ଜା। ଉକ୍ତ ଥାନା ଅନ୍ତର୍ଗତ ମେର୍ଦା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ସ୍ଥାନୀୟ ୨ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ହତ୍ୟାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମା’ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାଇ ଗତ ଗୁରୁବାର ଦିନ ଅସହ୍ୟ ଗୁଳୁଗୁଳି ପାଇଁ ରାତ୍ରିଭୋଜନ ସାରିବା ପରେ ପୀଡିତା ଓ ତାର ମା’ ଘର ବାରଣ୍ଡାରେ ଶୋଇଥିଲେ। ମଧ୍ୟରାତ୍ରିରେ ପୀଡିତାର ମା’ ଗଭୀର ନିଦ୍ରାରେ ଶୋଇ ଯାଇଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ରଘୁ ମୁର୍ମୁ ଓ ଚାଣ୍ଟୁ ମୁର୍ମୁ ନାମକ ଦୁଇଜଣ ଯୁବକ ପୀଡିତାର ପାଟିକୁ ଜୋରରେ ଜାବୁଡି ଧରି ନିକଟସ୍ଥ ପଡିଆକୁ ଟେକି ନେଇଥିଲେ। ସେଠାରେ ସେମାନେ ଜଣେ ପରେ ଜଣେ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ ଓ ଏ ଘଟଣା ସମ୍ବନ୍ଧରେ ବାହାରେ ପ୍ରକାଶ କଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଦୀର୍ଘ ସମୟ ପରେ ପୀଡିତା ବହୁ କଷ୍ଟରେ ଘଟଣାସ୍ଥଳରୁ କାନ୍ଦି କାନ୍ଦି ଆସି ଘରେ ପହଞ୍ଚିଥିଲା ଓ ଭୟଭୀତ ନହୋଇ ତା ମା’କୁ ଘଟଣା ସମ୍ପର୍କରେ ଜଣାଇଥିଲା। ପରେ ପୀଡିତାର ମା’ ଏ ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇ ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବାବେଳେ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର