ଶାବଳ ମାଡ଼ରେ ବାପା ମୃତ ଘଟଣା, ନାବାଳକ ପୁଅ ଅଟକ

ବୀରମହାରାଜପୁର/ ଉଲୁଣ୍ଡା: ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍‌ ମହଦା ପଞ୍ଚାୟତ ପାଲିଗାଁରେ ଶାବଳ ମାଡ଼ରେ ବାପା ମୃତ ଘଟଣାରେ ପୁଲିସ ନାବାଳକ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ମଙ୍ଗଳବାର ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆକ୍ରମଣରେ ବ୍ୟବହୃତ ଶାବଳ, ଅଭିଯୁକ୍ତର ଚପଲ, ଗାମୁଛାକୁ ପୁଲିସ ଜବତ କରିଛି।

ପାଲିଗାଁର ସୁରଲୀ ତସା ଇଟାଭାଟିରେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରିନ୍ତି। ତାଙ୍କ ପୁଅଙ୍କୁ ମଧ୍ୟ ଇଟା ଭାଟିରେ କାମ କରିବାକୁ ସୁରଲୀ କହୁଥିଲେ। ଏହାକୁ ନେଇ ସୋମବାର ବାପା, ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ପୁଅ ଏକ ଶାବଳରେ ଆକ୍ରମଣ କରିବାରୁ ସୁରଲୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହକୁ ଗାଁରୁ ୩ କିମି ଦୂର ଘୁଙ୍ଗି ନାଳରେ ପୋତି ସେ ଫେରାର୍‌ ହୋଇଯାଇଥିଲା। ଏହା ଜଣାପଡ଼ିବା ପରେ ମଙ୍ଗଳବାର ଏସ୍‌ଡିପିଓ ଧୀରଜ୍ ଚୋପଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁଲିସ ସାଇଣ୍ଟିଫିକ ଟିମ୍ ସହିତ ତଦନ୍ତ ଆରମ୍ଭ କରିଥିଲା।

ଶବ ଜବତ ପରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାର ଦୁଇ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଉତ୍କଳ କେଶରୀ ଦାସ, ମାଜିଷ୍ଟ୍ରେଟ ଭାବରେ ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରଲୀଙ୍କ ପ୍ରଥମ ସ୍ତ୍ରୀର ପୁଅ ଲବ ତସାଙ୍କ ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ କେସ ନମ୍ବର ୧୬/୨୦୨୧ ତାରିଖ ୧୯/୧ ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ପ୍ରଭା ଧାନ ସୂଚନା ଦେଇଛନ୍ତି। ଶବ ପୋତିବା କାର୍ଯ୍ୟ ଜଣେ ଏକୁଟିଆ କରି ପାରିବ ନାହିଁ। ତେଣୁ ଏଥିରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଖୁବ୍ ଶୀଘ୍ର ଅନ୍ୟ ଅଭି‌ଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ତେବେ ନାବାଳକ ପୁଅକୁ ଅଟକ ରଖି ପଚରାଉଚରା ଚାଲିଥିବା ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ବରେ ଥିବା ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର