କୋରାପୁଟ/କୋଟପାଡ: ଯେଉଁ ମିରିଗାନ୍ ହସ୍ତତନ୍ତ କୋରାପୁଟ ଓ କୋଟପାଡକୁ ବିଶ୍ବ ଦରବାରରେ ପରିଚୟ ଦେଉଥିଲା ତାହା ଏବେ ହାତଗଣତୀ ଭାବେ କିଛି ପରିବାର ନିକଟରେ ସୀମିତ ରହିଛି। ଯେଉଁ ୧୩୦ ଜଣ ପରିବାର ଏହି ହସ୍ତତନ୍ତକୁ ସମ୍ଭାଳୁଥିଲେ ସେଥିରୁ ଧୀରେ ଧୀରେ ମୁହଁ ମୋଡୁଛନ୍ତି ଯୁବଗୋଷ୍ଟୀ। ପାରମ୍ପାରିକ କୌଳିକ ବୃତ୍ତିକୁ ଆପେଣଇବାକୁ ଆଜିର ଯୁବଗୋଷ୍ଠୀ ଅରାଜି ହେଉଛନ୍ତି। ବାହାରେ କୁଲି କରିବାକୁ ଯାଉଥିଲେ ବି ଘରେ ରହି ଏହି କୌଳିକ ବୃତ୍ତିକୁ ସମ୍ଭାଳିବାକୁ ଅରାଜି ହେଉଛନ୍ତି। ଫଳରେ ଏହାର ପ୍ରଭାବ ଓଡ଼ିଶା ହସ୍ତତନ୍ତ ଶିଳ୍ପ ଉପରେ ପ୍ରଭାବିତ କରିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ କୋଟପାଡ ହସ୍ତତନ୍ତକୁ କଞ୍ଚାମାଲ ଅଭାବ ପରିଲକ୍ଷିତ ହେଉଥିବାବେଳେ ଏବେ ମାନବ ସମ୍ଭଳ ଚିନ୍ତା ହସ୍ତତନ୍ତ ଶୀଳ୍ପକୁ ରୁଗୁଣ କରିବା ଆଶଙ୍କା କରାଯାଉଛି। ଏହାକୁ ନେଇ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ଚିନ୍ତା ପ୍ରକଟ କରିଥିବାବେଳେ ପ୍ରୋତ୍ସାହନ ସହ ତାଲିମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
କୋରାପୁଟ ଜିଲ୍ଲାର କୋଟପାଡ ପୌରାଞ୍ଚଳ ଓ ଏହାର ଆଖପାଖ ଗାଁରେ କେଉଁ କାଳରୁ ରହୁଛନ୍ତି ମିରିଗାନ୍ ପରିବାର। ଏହି ପରିବାର ମୁଖ୍ୟତଃ କୌଳିକ ବୃତ୍ତି ଭାବେ ତନ୍ତ ବୁଣିବା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଏହି ପରିବାର ମାସରେ ଅତି ବେଶୀରେ ଦୁଇଟି ହାତ ତିଆରି ମିରିଗାନ୍ ଶାଢି, ଗୋଟିଏ ହଳ ସାର୍ଟକପଡା, ଦୁଇଟି ଗାମୁଛା, ଗୋଟିଏ ଟାଉଲିଆ ଓ ଗୋଟିଏ ଚଦର ତିଆରି କରିପାରନ୍ତି। ଏବେ ମିରିଗାନ ଶାଢିର ଦାମ ୮ ହଜାରରୁ ୨୫ ହଜାର ଟଙ୍କା ଯାଏ ରହିଥିବାବେଳେ ସାର୍ଟ କପଡା, ଗାମୁଛା, ଟାଉଲଆ ଓ ଚଦର ଦର ୫୦୦ ଟଙ୍କାରୁ ୫୦୦୦ ଟଙ୍କା ଯାଏ ରହିଛି। ବିଭିନ୍ନ ପ୍ରଦର୍ଶନୀରେ ଯାହା ଯେମିତି ଏହି ଜିନିଷ ବିକ୍ରି ହେଉଥିବାବେଳେ କାଁ ଭାଁ ବିକ୍ରି ହେଉଛି। ସବୁଠୁ ବଡ କଥା ହେଲା ହସ୍ତତନ୍ତ ଶିଳ୍ପୀ ଓ ଗରାଖଙ୍କ ମଧ୍ୟରେ ମାତିଛନ୍ତି ମାଫିଆ। ବର୍ଷକ ମାରମାସ ଦ୍ରବ୍ୟ କିଣିବା ନେଇ ଆଶ୍ବସନା ଦେଇ ସାଗମାଛ ଦରରେ କିଣି ନେଇଛନ୍ତି କୋରାପୁଟ ମିରିଗାନ୍ ସାମଗ୍ରୀ ଏହାକୁ ବଜାର ଓ ଅନଲାଇନରେ ନିଜ ନାମ ଓ ଲୋଗୋ ଲଗାଇ ହଜାର ହଜାର ଟଙ୍କାରେ ବିକ୍ରି କରୁଥିବାବେଳେ ଶୋଷଣର ଶିକାର ହେଉଛନ୍ତି ହସ୍ତତନ୍ତ ଶିଳ୍ପୀ। ଖାଲି ଓଡ଼ିଶା ମଧ୍ୟରେ କାହିଁକି ଓଡିଶା ବାହାରେ ମଧ୍ୟ କୋଟପାଡ ହସ୍ତତନ୍ତର ଚାହିଦା କାହିଁରେ କ’ଣ ହେଲେ ସେହି ଅନୁପାତରେ ଉତ୍ପାଦନ ହୋଇପାରୁନି।
ଯେତିକି ଚାହିଦା ରହିଛି ତାହା ଅନୁସାରେ ମାତ୍ର ୪୫ ପ୍ରତିଶତ ଯୋଗାଣ କରିପାରୁଛି କୋଟପାଡ ମିରିଗାନ ହସ୍ତଶିଳ୍ପୀ। ଏହା ପଛରେ ଆଲ ଛେଲିର ଅଭାବ, ସୂତାର ଦର ବୃଦ୍ଧି ଓ ଆମଦାନୀ ଓ ଯୁବଗୋଷ୍ଠୀ ଅର୍ନ୍ତଭୁକ୍ତିର ଅଭାବ ରହିଛି। କଳାହାଣ୍ଡିରୁ ଏହି ଆଲ ଛାଲି କେଜି ପିଛା ୧୦୦୦ ରୁ ୧୨୦୦ ଟଙ୍କାରେ କିଣାଯାଉଥିବାବେଳେ ସୂତା ମଧ୍ୟ କାଟାକୁ ୫୦୦୦ ହଜାର ୭୦୦୦କୁ ବୃଦ୍ଧି ପାଇଛି। ପାରମ୍ପାରିକ କୌଳିକ ବୃତ୍ତିକୁ କିଛି ପରିବାର ଧରି ବସିଥିବାବେଳେ କିଛି ଯୁବକ ବାହାରେ ରାଜ୍ୟରେ ଯାଇ ଚାକିରି କରୁଥିଲେ ବି ଏହାକୁ ଆପଣାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେବେ ମିରିଗାନ୍ ହସ୍ତତନ୍ତକୁ ଶିକ୍ଷା କରିବା କଷ୍ଟକର ହୋଇଥିବାବେଳେ ଏହା ଦୀର୍ଘକାଳୀନ ପକ୍ରିୟା। ତେବେ ଏହି ହାତ ତିଆରି ଜିନିଷପତ୍ର ତିଆରି କରିବାକୁ ୧୩୦ରୁ ଅଧିକ ପରିବାରକୁ ଓଡ଼ିଶା ସରକାର ତନ୍ତ ଦେଇଛନ୍ତି। ଏହାସହ ଏକ ସୋସାଇଟି ଗଠନ କରି ସବୁ ସୁବିଧା ଦେଉଥିଲେ ମଧ୍ୟ ଏହା ଯୁବଗୋଷ୍ଟୀକୁ ଟାଣିବାକୁ ସକ୍ଷମ ହେଉନାହିଁ। ତେବେ କୋଟପାଡ ୱେଭର୍ସ ସମବାୟ ସୋସାଇଟିରେ ୧୯୫୬ ମସିହାରୁ ତିଆରି ହୋଇଥିବାବେଳେ ଯେପରି ଭାବେ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ କାର୍ଯ୍ୟରେ ଲାଗିବା କରିବା କଥା କାର୍ଯ୍ୟରେ ଲାଗି ପାରୁନାହିଁ।
ଏହିଠାରେ ଶିଳ୍ପୀଙ୍କ ଉନ୍ନତି ପାଇଁ ଏକ କିଲୋୱାଟର ଏକ ସୌର ପାୱାର ପ୍ଲାଣ୍ଟ ବସିଥିଲା। ହେଲେ ଏହା ଅଚଳ ହୋଇ ଦୀର୍ଘଦିନ ହେଲାଣି। ସମବାୟ ସଂସ୍ଥା ପକ୍ଷରୁ ବହୁବାର ଅଭିଯୋଗ କରାଯାଇଥିଲେ ଏହାକୁ ଶୁଣି ଅସୁଣା ରହିଛି ଓରେଡା। ଏନେଇ କୋଟପାଡ ୱେଭର୍ସ ସମବାୟ ସୋସାଇଟର ସଭାପତି ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା କହିଛନ୍ତି ଯେ ପୂର୍ବରୁ ଯୁବଗୋଷ୍ଠୀ କୌଳିକ ବୃତ୍ତିକୁ ଆପଣେଇ ନେଉଥିଲେ। ଏବେ ସେମାନେ ଆଉ ଏହାକୁ ଗ୍ରହଣ କରିବାକୁ ନାରାଜ। ଏହାସହ କଞ୍ଚାମାଲର ଦର ବୃଦ୍ଧି ପାଇଥିବାବେଳେ ବିରଳ ଆଲ ଛାଲି ମଧ୍ୟ ମିଳୁନାହିଁ। ଏହିଠାରେ ୧୦୦୦ ଗଛ ଲାଗିଛି। ତାହା ହେଲା ପରେ ଆମକୁ ସୁବିଧା ହୋଇପାରେ। ପୂର୍ବଭଳି ଏହି ଆଲ ଛେଲି ମିଳୁନାହିଁ। ଯାହା ମିଳୁଛି କେଜି ପ୍ରତି ୫୦୦ ଟଙ୍କାରୁ ୧୦୦୦ ରୁ୧୨୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାସହ ସୂତାର ଦର ମଧ୍ୟ ଆଶାତିତ ଭାବେ ବୃଦ୍ଧି ପାଇଛି। ଯଦି ଆମ ନିକଟରେ ମାନବ ସମ୍ଭଳ ରହିଥିବ ତେବେ ସବୁକୁ ଭରଣା କରିହେବ। କିନ୍ତୁ ଆଜିର ଯୁବପିଢିଙ୍କ ନିକଟରେ ଆଉ ଧର୍ଯ୍ୟ ନାହିଁ। ଅଧର୍ଯ୍ୟ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ପଳାଉଥିଲେ ବି କାମ କରିବାକୁ ଯାଉଥିଲେ ବି କୌଳିକ ବୃତ୍ତିକୁ ଆପଣେଇବାକୁ ନାରାଜ ବୋଲି ସେ କହିଛନ୍ତି।