ରାଉରକେଲା: ନିଜ ଚାକରାଣୀଙ୍କୁ ଅସଦାଚରଣ ଉଦ୍ୟମ କରିଛନ୍ତି ଜଣେ ଆର୍ଏସ୍ପି କର୍ମଚାରୀ। ଗ୍ୟାରେଜ୍ ସଫେଇ କରିବାକୁ କହି ଅସଦାଚରଣ କରିଥିଲେ। ଏନେଇ ସେକ୍ଟର-୭ ଥାନାରେ ଏତଲା ହେବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହାସହ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସେକ୍ଟର-୬ ସି’ ବ୍ଲକରେ ରୁହନ୍ତି ଜନୈକ ଆର୍ଏସ୍ପି କର୍ମଚାରୀ(୫୬)। ତାଙ୍କ କ୍ବାର୍ଟର ପରିସରରେ ଥିବା ସର୍ଭେଣ୍ଟ୍ କ୍ବାର୍ଟର୍ରେ ଜଣେ ମହିଳା ଚାକରାଣୀ(୩୦) ତାଙ୍କର ସ୍ବାମୀ ଓ ୩ ପିଲା ଛୁଆଙ୍କ ସହ ରୁହନ୍ତି।
ଆଜି ସକାଳ ପ୍ରାୟ ୯ଟାବେଳେ ଆର୍ଏସ୍ପି କର୍ମଚାରୀ ଚାକରାଣୀଙ୍କୁ ଗ୍ୟାରେଜ୍ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଚାକରାଣୀ ଗ୍ୟାରେଜ୍ ସଫା କରୁଥିବାବେଳେ ଅଭିଯୁକ୍ତ ଆର୍ଏସ୍ପି କର୍ମଚାରୀ ସେଠାରେ ପହଞ୍ଚିଯାଇଥିଲେ। ପରେ ଚାକରାଣୀଙ୍କୁ ଅସଦାଚରଣ ଆରମ୍ଭ କରିଥିଲେ। ତେବେ ଚାକରାଣୀ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ପଳାଇଯାଇଥିଲେ।
ଏନେଇ ପୀଡ଼ିତା କୁଆଡ଼େ ଅଭିଯୁକ୍ତର ପତ୍ନୀଙ୍କୁ ମଧ୍ୟ କହିଥିଲେ, କିନ୍ତୁ ସେ ନିଜର ଅଭିଯୁକ୍ତ ସ୍ବାମୀ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଣୁ ମହିଳା ଜଣକ ନିଜ ସ୍ବାମୀଙ୍କୁ ସମଗ୍ର ଘଟଣା ବିଷୟରେ ଅବଗତ କଲାପରେ ଥାନାରେ ଏତଲା ଦେଇଥିଲେ। ସେକ୍ଟର-୭ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Girl-misbehaved.jpg)