କାଳିଆପାଣି/କୁହିକା: ସୁକିନ୍ଦା ଥାନା ଅନ୍ତର୍ଗତ ଟମକା-ମଙ୍ଗଳପୁର ସଡ଼କର କୁହିକା ନିକଟରେ ଆଜି ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ୨ଜଣ ଦୁର୍ବୃତ୍ତ ଏକ ଚୋରା ମାଙ୍କଡ଼ାପଥର ବୋଝେଇ ଟ୍ରକ୍ ନେଇ ପଳାଇଥିବା​ ଥାନାରେ ଅଭିଯୋଗ ହୋଇଛି। ଅପରାହ୍ଣ ୨ଟା ୪୦ ରେ ହୋଇଥିବା ଘଟଣାକ୍ରମକୁ ନେଇ ତହସିଲଦାର ଦମୟନ୍ତୀ ସାହୁ ଚିଠି ନଂ ୨୪୪୮/୨୪-୭-୨୩ରେ ସୁକିନ୍ଦା ଥାନାରେ ଏତଲା ଦାଏର କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

Advertisment

ତହସିଲଦାରଙ୍କ ଏତଲାରୁ ପ୍ରକାଶ ଯେ, ସେ କାଳିଆପାଣିରେ ଅନୁଷ୍ଠିତ ହେବାକୁ ଥିବା ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଖଣି ନିଗମ କାଳିଆପାଣି ଅତିଥିଶାଳା ଯାଉଥିଲେ। ଏହି ସମୟରେ କୁହିକାରେ ଏକ ମାଙ୍କଡ଼ାପଥର ବୋଝେଇ ଟ୍ରକ୍(ଓଆର୍-୦୯ଏଫ୍-୮୨୮୬)କୁ ଅଟକାଇ ଏହାର କାଗଜପତ୍ର ଯାଞ୍ଚ କରୁଥିଲେ। ଲଘୁ ଖଣିଜ ପରିବହନ ପାଇଁ ବ୍ୟବହୃତ ଏହାର ୱାଇଫର୍ମରେ ତାରିଖ ଓ ସମୟକୁ ଜାଲିଆତି କରାଯାଇଥିବା ଦେଖିବାକୁ ପାଇଥିଲେ। ଟ୍ରକର ଗତିପଥ ଆନନ୍ଦପୁର ଭାୟା ଡୁବୁରି ଥାଇ ଏହା ବେଆଇନ ଭାବେ କୁହିକା ବାଟରେ କାଳିଆପାଣି ଆଡ଼କୁ ଯାଉଥିଲା।

ଏଥିରେ ଗଁଦିଆ ତହସିଲଦାରଙ୍କ ଦସ୍ତଖତକୁ ଜାଲିଆତି କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତହସିଲଦାର ଉକ୍ତ ଟ୍ରକକୁ କାଳିଆପାଣି ଥାନା ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବାମ୍ବିଲୋ ଗାଁ ଛକ ପାଖରେ ହଠାତ୍ ଏକ କାର୍(ଓଡି-୩୪ବି-୮୪୨୯) ତହସିଲଦାରଙ୍କ ବୋଲେରୋ ଆଗକୁ ମାଡ଼ି ଆସିଥିଲା। ଜଣେ ଦୁର୍ବୃତ୍ତ ତହସିଲଦାରଙ୍କ ଗାଡ଼ିର କବାଟ ବାଡ଼ାଇ ଦୁର୍ବ୍ୟବହାର କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ତହସିଲଦାରଙ୍କ ଗାଡ଼ିକୁ ଅଟକାଇଥିଲା। ଏହି ମଉକାରେ ଉକ୍ତ ଟ୍ରକ୍ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲା। ସଙ୍ଗେସଙ୍ଗେ ଦୁର୍ବୃତ୍ତ ଦ୍ରୁତଗତିରେ କାର୍ ଚଳାଇ ପଳାଇ ଯାଇଥିଲା। ଏ ସଂପର୍କରେ ତହସିଲଦାର ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି।