ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ କିଛି ଅଣଛାତ୍ର ସୋମବାର ସନ୍ଧ୍ୟାରେ ଅସଦାଚରଣ କରିଥିବା ନେଇ ମଙ୍ଗଳବାର ଅଭିଯୋଗ ହେବାପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ନର୍ମଦା ଛାତ୍ରୀନିବାସର ଜଣେ ଛାତ୍ରୀ ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ ଥିବା ଏକ ଠେଲାକୁ ଗୁପଚୁପ୍ ଖାଇବାକୁ ଯାଇଥିଲେ। ସେହି ସମୟରେ କିଛି ଅଣଛାତ୍ର ଆସି ତାଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ ଛାତ୍ରୀନିବାସକୁ ଯାଇ ଘଟଣା ସଂପର୍କରେ ନିଜ ସହପାଠୀଙ୍କୁ ଜଣାଇଥିଲେ। ଏହାର ପ୍ରତିବାଦ ସ୍ବରୂପ ମଙ୍ଗଳବାର ଦିନ ୧୦ ଟା ସମୟରେ ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ନୂତନ ପ୍ରଶାସନିକ କୋଠାକୁ ବାହାରୁ ତାଲାପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନିକ ଭବନ ଭିତରକୁ କୌଣସି କର୍ମଚାରୀ ଏପରିକି କୁଳପତି, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷା ଓ କୁଳସଚିବ କାହାରିକୁ ମଧ୍ୟ ଛାଡ଼ି ନ ଥିଲେ। ପ୍ରାୟ ୪ ଘଣ୍ଟା ପରେ ପୁଲିସର ହସ୍ତକ୍ଷେପ ତଥା କୁଳପତି ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ।

Advertisment

ଛାତ୍ରଛାତ୍ରୀମାନେ ତାଙ୍କ ସୁରକ୍ଷା ପାଇଁ ବିଶ୍ଵବିଦ୍ୟାଳୟ ପରିସରରେ ସବୁଆଡ଼େ ସିସିଟିଭି କ୍ୟାମେରା ଲଗାଇବା, ପୁଲିସ୍ ପାଟ୍ରୋଲିଂ ବଢ଼ାଇବା ସହିତ ବିଶ୍ଵବିଦ୍ୟାଳୟ ପରିସରକୁ ପ୍ରବେଶ ପାଇଁ କେବଳ ଦୁଇଟି ଅର୍ଥାତ୍ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ରହିବା, ଏହାଛଡ଼ା ସବୁ ପ୍ରବେଶ ପଥକୁ ବନ୍ଦ କରିବା ଭଳି ବିଭିନ୍ନ ଦାବି ରଖିଛନ୍ତି। ଏ ସଂପର୍କରେ କୁଳପତି ପ୍ରଫେସର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ‘ପିଲାଙ୍କ ସୁରକ୍ଷା ପାଇଁ ରାସ୍ତାରେ ଆଉ କିଛି ଲାଇଟ୍ ଲଗାଇବା ସହ ବିଶ୍ଵବିଦ୍ୟାଳୟ ପରିସର ଭିତରକୁ ପ୍ରବେଶ ପାଇଁ ଥିବା ଅନ୍ୟ ସବୁ ରାସ୍ତାକୁ ବନ୍ଦ କରାଯିବ। ଏଥିସହ ପୁଲିସ୍ ପାଟ୍ରୋଲିଂକୁ ମଧ୍ୟ ବଢ଼ାଯିବ।’ ଛାତ୍ରୀଜଣକ ଏହି ବିଷୟରେ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ପୁଲିସ ୩ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାର୍କେଟ କମ୍ପ୍ଲେକ୍ସରୁ ମାତ୍ର ୨ଶହ ମିଟର ଦୂରରେ ପୁଲିସ ଫାଣ୍ଡି ଥାଇ ମଧ୍ୟ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ତେବେ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଫାଣ୍ଡି କେଉଁ କାମକୁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି।