ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ଲୋକେ, ସାହାରା ବନିଛି ମିଶ୍ରି ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବେ ତତଲା କଢେଇରେ ସିଝୁଛି। ଗତ କିଛି ଦିନ ତଳେ ସାମାନ୍ୟ ବର୍ଷା ହେବା ଯୋଗୁଁ ଲୋକେ ଆଶ୍ବସ୍ତ ଲାଭ କରିଥିଲେ ମଧ୍ୟ ଗତ ଏକ ସପ୍ତାହ ହେଲା ଲୋକେ ଗରମକୁ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଗତ ଗତ ଏକ ସପ୍ତାହ ହେଲା ପାରଦ ୪୨ ଡିଗ୍ରୀରୁ ତଳକୁ ଖସୁ ନାହିଁ। ତେବେ ଆଉ କିଛି ଦିନ ଏଭଳି ଲାଗି ରହିବ ବୋଲି କୁହାଯାଇଛି। ଜିଲ୍ଲାର ସମସ୍ତ ନଦୀନାଳ ଶୁଖିଯାଇଥିବା ବେଳେ କାଁ ଭାଁ ପାହାଡିଆ ନଦୀରେ ପାଣି ରହୁଥିବା ଦେଖିବାକୁ ମିଳିଛି। ଗତ ଦୁଇ ମାସ ହେଲା ଗରମରେ ଲୋକେ ସନ୍ତୁଳି ହେଉଛନ୍ତି। ଦିନ ୯ଟା ବାଜିଲେ ଘରୁ ପଦାକୁ ବାହାରିବା କଷ୍ଟ ହୋଇପଡୁଛି।

କରୋନା ଯୋଗୁଁ ବର୍ତ୍ତମାନ ଲକଡାଉନ ଚାଲିଥିବା ବେଳେ ଦିନ ୧୧ଟା ପରେ ଲୋକେ ଆଉ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଛି। ଅତି ଦରକାର ପଡିଲେ ହିଁ ଲୋକେ ଛତା କିମ୍ବା ମୁଣ୍ଡରେ କପଡା ଦେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି। କରୋନା ମହାମାରୀ ଯୋଗୁଁ ପୁଲିସ ଏବଂ ପ୍ରଶାସନ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ କରୁଥିବା ବେଳେ ଏହା ଖରାଦାଉରୁ ମଧ୍ୟ ଏକ ପ୍ରକାର ରକ୍ଷା କରୁଛି। ଲୋକେ ସକାଳୁ ସକାଳୁ ନିଜର ଅତ୍ୟାବଶକୀୟ ଜିନିଷ ଖରିଦ କରି ନେଉଥିବା ଦେଖିବାକୁ ମିଳୁଛି। ଦିନ ଏଗାରଟା ବାଜିଲେ ସମସ୍ତ ଦୋକାନ ବଜାର ବନ୍ଦ ହେଉଥିବାରୁ ଲୋକେ ଆଉ ବାହାରକୁ ବାହାରିବା ପାଇଁ ଅମଙ୍ଗ ହେଉଛନ୍ତି। ସଂଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ ଗୁଳୁ ଗୁଳି ଏବଂ ଗରମ ଲାଗି ରହିଛି।

ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ଏସି କିମ୍ବା ଫ୍ୟାନ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ତେବେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଲୋକେ ଏଥିରେ ଅତିଷ୍ଟ ହୋଇପଡିଲେଣି। ଗାଁ ଗହଳିରେ କିନ୍ତୁ ଲୋକେ ଘରୁ ପଦାକୁ ବାହାରି ଗାଁ ଆମ୍ବ ତୋଟା କିମ୍ବା ତେନ୍ତୁଳି ତୋଟାରେ ବସି ରହୁଥିବା ଲକ୍ଷ୍ୟ କରାଯାଇଛି। ଗରମ ସଂପର୍କରେ ଦୁର୍ଗମ ଅଂଚଳର ଲୋକଙ୍କୁ ପଚାରିବାରୁ ସେମାନେ ଏହି ଗରମ ସହ ଖାପଖୁଆଇ ଚଳିବା ଶିଖିଯାଇଛନ୍ତି।ତେଣୁ ଏହା ତାଂକ ପାଇଁ ନୂଆ ନୁହେଁ ବୋଲି କହନ୍ତି। ଗତକାଲି ୪୫ ଡିଗ୍ରୀ ପାରଦ ଛୁଇଁଥିବା ବେଳେ ଆଜି ୪୩ ଡିଗ୍ରୀ ରହିଥିଲା। ପରେ କୋହଲା ପାଗ ହୋଇଥିଲେ ମଧ୍ୟ ଗୁଳୁଗୁଳି ହେଉଥିବାରୁ ଲୋକେ ହଇରାଣ ହୋଇଥିଲେ।

ପ୍ରଶାସନ ପାଇଁ ଗୋଟିଏ ମୁଣ୍ଡ ବ୍ୟଥା କମିଥିବା ଅନୁମାନ କରାଯାଏ। ଲକ୍ଡାଉନ ଯୋଗୁଁ ଲୋକେ ଆଉ ଘରୁ ପଦାକୁ ବାହାରୁନଥିବାରୁ ବହୁ ମାତ୍ରାରେ ଅଂଶୁଘାତ କମିଯାଇଛି। ଗାଡିବସ ଚଳାଚଳ କରୁନଥିବାରୁ ମଧ୍ୟ ଲୋକେ ଆଉ ପଦାକୁ ବାହାରୁ ନାହାନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିନ୍ତୁ ଅଂଶୁଘାତ ପାଇଁ ସମସ୍ତ ପ୍ରକାର ସଜବାଜ ହୋଇଥିବା ଜଣାପଡିଛି। ଏଥିପାଇଁ ଅଂଶୁଘାତ କକ୍ଷ ମଧ୍ୟ ପ୍ରସ୍ତୁତ କରି ରଖାଯାଇଥିବା ଦେଖିବାକୁ ମିଳିଛି। କରୋନା ଯୋଗୁଁ ଲକ୍ ଡାଉନ ସାରା ଜିଲ୍ଲାରେ ଚାଲିଥିବା ବେଳେ ପ୍ରଶାସନ ତରଫରୁ ଆଉ ଜଳଛତ୍ର ଖୋଲିବା ଭୁଲିଯାଇଥିବା ଦେଖିବାକୁ ମିଳିଛି। ପ୍ରବଳ ଗରମ ହେଉଥିବାରୁ ଲୋକେ ଏବେ ମିଶ୍ରି ପାଣି ଉପରେ ଭରସା କରିଛନ୍ତି।

ଜିଲ୍ଲାର ସମସ୍ତ ଦୋକାନରେ ଏବେ ମିଶ୍ରିପାଣି ମିଳୁଥିବାରୁ ଲୋକେ ପଇଡ ସହ ମିଶ୍ରି ପାଣି ପିଇବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।ଖରାଦିନ ହେଲେ ଦୋକାନୀ ମିଶ୍ରି ପାଣି ବିକ୍ରି ବେଶ ଦିପଇସା ଲାଭ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ତରଭୁଜ ଏବଂ କାକୁଡି ଉପରେଲୋକେ ନିର୍ଭର କରୁଥିବା ବେଳେ ଏବେ ତରଭୁଜ ଓ କାକୁଡି ସରିଆସୁଥିବାରୁ ଲୋକେ ମିଶ୍ରି ପାଣି ଉପରେ ନିର୍ଭର କରୁଛନ୍ତି। ଲୋକେ ଘରୁ ପଦାକୁ ବାହାରିଲେ ସାଂଗରେ ପାଣି ବୋତଲ ଧରି ବାହାରୁ ଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ହାଟ ବଜାର ଏକ ପ୍ରକାର ବନ୍ଦ ରହିଥିବାରୁ ଦିନ ଏଗାରଟା ପରେ ସବୁ ଠପ୍ ହୋଇଯାଇଛି। ତେବେ ଆଉ କିଛି ଦିନ ଲୋକଙ୍କୁ ଏଭଳି କଷ୍ଟ ସହିବାକୁ ପଡିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର