ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ହୋଇଥିବା ନକ୍ସଲ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସାରା ଭାରତ ଥରି ଉଠିଥିଲା। ୨୨ ଜଣ ଯବାନ ଏହି ଆକ୍ରମଣରେ ସହିଦ ହୋଇଥିଲେ ଏବଂ ଜଣେ ଯବାନ ନିଖୋଜ ଅଛନ୍ତି। ତେବେ ନିଖୋଜ ଯବାନଙ୍କୁ ନକ୍ସଲ ଅପହରଣ କରି ନେଇଥିବା ସ୍ପଷ୍ଟ କରିଛନ୍ତି। ପରିବାର ଲୋକେ ନକ୍ସଲଙ୍କ ନିକଟରେ ଗତ ଦୁଇ ଦିନ ହେଲା ରାକେଶ୍ବର ସିଂ ମନହାସଙ୍କୁ ଛାଡି ଦେବା ପାଇଁ ନେହୁରା ‌ହୋଇଛନ୍ତି। ପ୍ରଶାସନ ମଧ୍ୟ ନିଜ ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ନକ୍ସଲ ଗତକାଲି ଦୁଇ ପୃଷ୍ଠା ପ୍ରେସ ବିଜ୍ଞପ୍ତି ଛାଡିଛନ୍ତି। ଏଥିରେ ରାକେଶ୍ବର ତାଂକ ନିକଟରେ ସୁରକ୍ଷିତ ରହିଥିବା ଜଣାଯାଇଛି। ତେବେ ମଧ୍ୟସ୍ଥିଙ୍କ ନାମ ସରକାର ଘୋଷଣା କଲେ ସେମାନେ ରାକେଶ୍ବରଙ୍କୁ ଛାଡିବେ ବୋଲି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Advertisment

ତେବେ ସରକାର ଏନେଇ କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି। ଆଜି ପୁଣି ନକ୍ସଲମାନେ ରାକେଶ୍ବର ସୁସ୍ଥ ଥିବା ନେଇ ଫଟୋ ଛାଡିଛନ୍ତି। ସେ ଆହତ ହୋଇଛନ୍ତି ଏବଂ ତାଂକର ଚିକିତ୍ସା ଚାଲିଥିବା ନେଇ ନକ୍ସଲ ସ୍ପଷ୍ଟିକରଣ ଦେଇଛନ୍ତି। ରାକେଶ୍ବର ସିଂ ମନହାସଙ୍କର କିଛି କ୍ଷତି କରିବେ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।

ପ୍ରେସ ବିଜ୍ଞପ୍ତିରେ ସେମାନେ ଆଗକୁ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ସରକାରଙ୍କ ପାଇଁ ଯବାନ ନିଜର ବଳିଦାନ ଦେଉଥିବା ଉଲ୍ଲେଖ କରିଛନ୍ତି। ତେଣୁ ସେମାନଙ୍କର ପରିବାର ପ୍ରତି ଆମର ସମବେଦନା ରହିଥିବା ମଧ୍ୟ କହିଛନ୍ତି। ଜଳ, ଜମି ଏବଂ ଜଂଗଲ ପାଇଁ ଦୀର୍ଘବର୍ଷ ହେଲା ଲଢେଇ କରିଆସୁଥିବା ଜନତା କେବେ ମଧ୍ୟ ଏହି ସରକାରଙ୍କ ନିକଟରେ ମୁଣ୍ଡ ନୁଆଁଇବ ନାହିଁ। ନକ୍ସଲ ଦମନ ନେଇ ଯେତେ ପ୍ରକାର ସମାଧା-ପ୍ରହାର ଯୋଜନା କଲେ ମଧ୍ୟ ସେସବୁକୁ ଧ୍ବଂସ କରିବୁ ବୋଲି ଚେତାବନୀ ଦେଇଛନ୍ତି।

ରାକେଶ୍ବର ଜନତାନା ସରକାରଙ୍କ ନିକଟରେ ସୁରକ୍ଷିତ ରହିଛନ୍ତି। ତାଂକର କୌଣସି କ୍ଷତି ହେବ ନାହିଁ। ତେଣୁ ମଧ୍ୟସ୍ଥିଙ୍କ ନାମ ଘୋଷଣା କରାଯାଇ ଆମକୁ ଜଣାଇଲେ ସେନେଇ ଆଗକୁ ପଦକ୍ଷେପ ନେବୁ ବୋଲି ପ୍ରବକ୍ତା ବିକଳ୍ପ କହିଛନ୍ତି। ଫଟୋରେ ରାକେଶ୍ବର ଏକ ପଲିଥିନ ଉପରେ ବସିଥିବା ଦେଖିବାକୁ ମିଳିଛି। ସେ ସୁସ୍ଥ ଥିବା ଦେଖାଯାଉଛନ୍ତି। ଏହି ଫଟୋ ନକ୍ସଲ ପଠେଇବା ପରେ ପରିବାର ଲୋକେ ଟିକେ ଆଶ୍ବସ୍ଥି ଲାଭ କରିଛନ୍ତି। ନିଜ ସ୍ବାମୀଙ୍କ ଫଟୋ ଦେଖିବା ପରେ ପତ୍ନୀ ଖୁସି ଜାହିର କରିବା ସହ ସେ ଜଣେ ମଧ୍ୟବିତ୍ତ ପରିବାରର ସଦସ୍ୟା ବୋଲି କହିଛନ୍ତି। ସେ ଏନେଇ କାହାକୁ ନେହୁରା ହେବେ ଜାଣିପାରୁନଥିବା କହିଛନ୍ତି। ତେଣୁ ସରକାର ଏନେଇ ତୁରନ୍ତ କୌଣସି ଦୃଢ ପଦକ୍ଷେପ ନେଲେ ତାଂକର ସ୍ବାମୀ ସୁରକ୍ଷିତ ଘରକୁ ଫେରିବେ ବୋଲି କୁହିଛନ୍ତି।