ନିଖୋଜ ଆଇଟିଡିଏ କର୍ମଚାରୀ ୨୦ଦିନ ପରେ ମୁମ୍ବାଇରୁ ଉଦ୍ଧାର

ଜୟପୁର: ଦୀର୍ଘ ୨୦ଦିନ ପରେ ନିଖୋଜ ଥିବା ଜୟପୁର ଆଇଟିଡିଏ କାର୍ଯ୍ୟାଳୟରେ କାମ କରୁଥିବା ନିରଂଜନ ବାଘ (୨୭) ମୁମ୍ବାଇରୁ ମିଳିଛନ୍ତି। ଜୟପୁର ଟାଉନପୁଲିସ ଉଦ୍ଧାର କରି ତାଙ୍କ ବାପା ସହଦେବ ବାଘଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ ବେହେରା।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅର୍ନ୍ତଗତ ବେହେଡା ଗାଁର ସହଦେବ ବାଘଙ୍କ ଏକ ମାତ୍ର ପୁଅ ନିରଂଜନ ବାଘ ଜୟପୁର ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ)କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ବନ୍ଦନ ବିକାଶ ଯୋଜନାରେ ଏକ ସର୍ଭିସପ୍ରଭାଇଡର ସଂସ୍ଥା ଜରିଆରେ ସେ ଏସଏମଏସ ପଦବୀରେ କାମ କରି ଆସୁଥିଲେ। ଗତ ବର୍ଷକ ହେବ ସେ ଏହି କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଗତ ୬ମାସ ହେବ ସେ ପାରାବେଡ଼ା ଶ୍ରୀରାମନଗର ଅଂଚଳରେ ଭଡ଼ା ଘର ନେଇ ନିଜ ଅଂଚଳର କିଛି କଲେଜ ପଢ଼ୁଆ ପିଲାଙ୍କ ସହ ମିଶିକି ରହୁଥିଲେ। ଗତ ୧୨ତାରିଖ ଶୁକ୍ରବାର ଦିନ ସକାଳ ୭ଟା ବେଳେ ନିରଂଜନ ନିଜ ସ୍କୁଟି ଓଡି-୨୪-ଡି-୪୪୦୧ ନେଇ ରୁମରୁ କୁନ୍ଦ୍ରା ଅଂଚଳର ପରିଦର୍ଶନ କରି କାର୍ଯ୍ୟାଳୟକୁ ଯାଇ ରୁମକୁ ଫେରିବେ ବୋଲି କହିକି ଯାଇଥିଲେ। ତା ପର ଠାରୁ ଆଉ ସେ ରୁମକୁ ଫେରି ନଥିଲେ। ରୁମରେ ରହୁଥିବା ପିଲା ମାନେ ନିରଂଜନର ଫୋନ ନ ଲାଗିବା ଏବଂ ରୁମକୁ ନ ଫେରିବାରୁ ତାଙ୍କ ବାପାଙ୍କୁ ଏ ନେଇ ସୂଚନା ଦେଇଥିଲେ।

ନିରଂଜନର ବାପା ମଧ୍ୟ ମୋବାଇଲ ଫୋନକୁ ବାରମ୍ବାର କଲ କରିଥିଲେ ହେଁ ମୋବାଇଲଟି ସୁଇଚ୍ ଅଫ କହିଥିଲା। ରାତି ୭ଟା ବେଳେ ଜୟପୁର ଟାଉନଥାନାରେ ସହଦେବ ପୁଅର ନିଖୋଜ ସଂପର୍କରେ ଏତଲା ଦେଇଥିଲେ। ପୁଲିସ ଏନେଇ ନିଖୋଜ ମାମଲା ରୁଜୁ କରିବା ସହ ମୋବାଇଲ ଫୋନର ଲୋକେସନ୍ଓ କଲଡିଟେଲ୍ ମଗାଇଥିଲେ। ଏଥିରେ ତାଙ୍କ ଶେଷ ଲୋକେସନ୍ ଅରବିନ୍ଦନଗର ଦେଖାଇବା ସହ ଦିନ ସାଢ଼େ ୩ଟା ବେଳେ ସୁଇଚ୍ ଅଫ କହିଥିଲା। ପରିବାରବର୍ଗ ଗତ ୨ଦିନ ହେବ ସହର ପାର୍ଶ୍ବ ଦେଇ ଯାଇଥିବା ମୁଖ୍ୟକେନାଲ ସହ କୁନ୍ଦ୍ରା ଆଦି ଅଂଚଳରେ ଯାଇ ଖୋଜାଖୋଜି କରିଥିଲେ ହେଁ କିଛି ଖୋଜ ଖବର ମିଳିନଥିବା କହିଛନ୍ତି ତାଙ୍କ ବାପା ସହଦେବ। ଏପରିକି ଘଟଣାଦିନ ହିଁ ପାରାବେଡ଼ା ଛକରେ ଥିବା ଏଟିଏମରୁ ନିଖୋଜ ନିରଂଜନ ୧୫୦୦ଟଙ୍କା ଉଠାଇଥିଲେ। ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବି ଟଙ୍କାଟିଏ ବି ଉଠାଣ ହୋଇନାହିଁ। ପୁଲିସ ମୋବାଇଲ୍ ନଂ ଆଦିକୁ ଟ୍ରାକ୍ କରି ସେ ମୁମ୍ବାଇରେ ଥିବା ସୂଚନା  ପାଇ ନିରଂଜନକୁ ଧରି ଆଣିଥିବା କହିଛନ୍ତି ଟାଉନଥାନା ଅଧିକାରୀ। ସେ ନିଜ କାମ ଓ ଅନ୍ୟାନ୍ୟ ମାନସିକ ଚାପରେ ଏପରି କରିଥିବା ନିରଂଜନ ପୁଲିସକୁ କହିଥିଲେ। ନିରଂଜନ ମିଳିବା ପରେ ଘରେ ଖୁସିର ଲହରି ଖେଳିଯାଇଛି।

 

ସମ୍ବନ୍ଧିତ ଖବର