ଗଲା ପୁତ୍ର ବାହୁଡି ଅଇଲା: କରୋନା ଲକଡାଉନ ବେଳେ ନିଖୋଜ ଥିବା ଯୁବକ ଠାବ

ଚନ୍ଦାହାଣ୍ଡି: କରୋନା ପ୍ରଭାବରେ କାହାର ଘର ପରିବାର ସମ୍ପୂର୍ଣ ଭାବେ ଉଜୁଡି ଯାଇଛି ତ କିଏ ସର୍ବସ୍ବାନ୍ତ ହୋଇପଡ଼ି ହା ଅନ୍ନ ହା ଅନ୍ନର ଚିତ୍କାର କରି ଜୀବନ ସହ ସଂଗ୍ରାମ କରୁଛି । ଅଧିକାଂଶ ସାଧାରଣଲୋକ ନିଜର କର୍ମ ସଂସ୍ଥାନ ହରାଇ ଅଣ୍ଟା ସଳଖି ପାରୁ ନାହାଁନ୍ତି। ଏହି କ୍ରମରେ ଚନ୍ଦାହାଣ୍ଡି ବ୍ଲକର ଯୁବକ କରୋନା ଲକ୍ ଡାଉନ୍ ଯୋଗୁଁ ଦୀର୍ଘ ୮ ମାସ ନିଖୋଜ ରହିଥିଲେ।  କିଛି ଯୁବ ଗୋଷ୍ଠୀଙ୍କ ପ୍ରୟାସରେ ସେ ଗାଁ କୁ ଫେରି ପାରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ମୋହରା ଗ୍ରାମର ହେମନ୍ତ ପାଣ୍ଡେ ନାମକ ଜଣେ ୨୫ ବର୍ଷର ଯୁବକ କରୋନା ଲକ୍ ଡାଉନ୍ କାରଣରୁ ଗତ ଫେବୃୟାରି ମାସ ଠାରୁ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କୁ ଘର ଲୋକେ ଅତି ନାଟକୀୟ ଭାବେ ଠାବ କରି ଘରକୁ ଫେରାଇ ଆଣିଛନ୍ତି।

ବିବରଣୀରୁ ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ଗ୍ରାମର ଜୈନିକ ଭିନ୍ନକ୍ଷମ ବ୍ୟକ୍ତି ଦୟାରାମ ପାଣ୍ଡେଙ୍କ ୨୫ ବର୍ଷର ପୁଅ ହେମନ୍ତ ପାଣ୍ଡେ ଲକ୍ ଡାଉନ୍ ସମୟରେ ଘର ଲୋକଙ୍କ ସହ ସାମାନ୍ୟ ବଚସା ହୋଇ ଛତିଶଗଡ଼ ରାଜ୍ୟ ସୀମାନ୍ତ ଗ୍ରାମ ଉର୍ମାଲ୍ ଆଡକୁ ଚାଲି ଯାଇଥିଲେ। କିଛି ସମୟ ଅପେକ୍ଷା ପରେ ନିକଟ ସପର୍କୀୟଙ୍କ ଘରେ ପୁଅ ହେମନ୍ତଙ୍କୁ ଖୋଜା ଖୋଜି କଲେ ହେଲେ କୌଣସି ସନ୍ଧାନ ମିଳିଲା ନାହିଁ।

ବହୁ ଖୋଜା ଖୋଜି ପରେ ହେମନ୍ତ ମଧ୍ୟ ଜଣେ ଭିନ୍ନକ୍ଷମ ହୋଇଥିବାରୁ ପରିବାର ଲୋକେ ସବୁ ଆଡୁ ହତାଶ ହୋଇ ଭାଗ୍ୟ କୁ ଆଦରି କାଳେ ପୁଅ ଫେରି ଆସିବ ବୋଲି ଚାତକ ପରି ଅନାଇ ବସିଥିଲେ। ହେଲେ ଏହା ଭିତରେ ହେମନ୍ତ କୌଣସି ପ୍ରକାରେ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ସାହିଲ୍ ବିରିୟାନି ସେଣ୍ଟର୍ରେ କାମ କରିବା ଆରମ୍ଭ କରି ଜେନ ତେଣ ପ୍ରକାରେ ନିଜର ଆହାର ଯୋଗାଡ କରି ଚଳୁଥିଲେ। ତେବେ ତାଙ୍କ ମାନସିକ  ସ୍ଥିତି ଠିକ୍ ନଥିବାରୁ ସେ ନିଜର ସଠିକ୍ ଠିକଣା କାହା ପାଖରେ ପ୍ରକାଶ କରି ପାରୁ ନଥିଲେ।

ଦଇବ ଯୋଗକୁ  ମୋହରା ଗ୍ରାମର ଜଣେ ଶିକ୍ଷିତ ଯୁବକ ଗୌତମ ଟୋଲଟିଆ ଯିଏ କି ଭବାନୀପାଟଣାରେ ରହି କୋଚିଂ କରନ୍ତି । ତେବେ ସେ କୌଣସି କାମରେ ରାୟପୁର ଯାଇଥିଲେ ଓ ସାହିଲ ବିରିୟାନିରେ ଖାଇବାକୁ ଗଲା ବେଳେ ହଠାତ୍ ତାଙ୍କ ଗ୍ରାମର ନିଖୋଜ ହେମନ୍ତଙ୍କୁ ଦେଖି ଚମକି ପଡ଼ିଥିଲେ  ଓ କାଳ ବିଳମ୍ବ ନକରି ହେମନ୍ତଙ୍କ ପରିବାର ବର୍ଗକୁ ଯୋଗାଯୋଗ କରିବା ସହ ହେମନ୍ତ ସହ ଭିଡିଓ କଲ୍ରେ କଥା କରାଇଥିଲେ।

ହେମନ୍ତ ମଧ୍ୟ ଗାଁର ଯୁବକ ଗୌତମଙ୍କୁ ନିକଟରେ ପାଇ ଖୁସି ହେବା ସହ ପରିବାର ବର୍ଗଙ୍କ ସହ କଥା ହୋଇ ଘରକୁ ଆସିବାକୁ ସ୍ଥିର କରିଥିଲେ। ତେବେ ହେମନ୍ତଙ୍କ ଘରେ ମଧ୍ୟ ସେମିତି କେହି ସମର୍ଥ ବ୍ୟକ୍ତି ନଥିବାରୁ ଗ୍ରାମର ଯୁବ ଗୋଷ୍ଠୀଙ୍କ ତରଫରୁ ଅକ୍ଷୟ ମାଝୀ,ଗୋପ ପାଣ୍ଡେ,ଗୌତମ ଟୋଲଟିୟା ପ୍ରମୁଖ ରାୟପୁର ଯାଇ  ହେମନ୍ତକୁ ଉଦ୍ଧାର କରି ନିଜ ଗୃହଭିମୁଖେ ବାହାରିଥିବା ଜଣାପଡିଛ।

ସମ୍ବନ୍ଧିତ ଖବର