ଖୋର୍ଦ୍ଧା: ୩ଟି ପର୍ଯ୍ୟାୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାଦାନ କାର୍ଯ୍ୟକ୍ରମ ମାର୍ଚ୍ଚ ୭ ତାରିଖ ଠାରୁ ଆରମ୍ଭ ହେବ। ୨ ବର୍ଷରୁ କମ ବୟସର ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏହି ଟୀକାଦାନ କରାଯିବ। ଆଜି ଏନେଇ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତବନ୍ଧୁ ନାୟକ ଟୀକାଦାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଦ୍ୟାବଧି ଜିଲ୍ଲାରେ ୧୦ ଟି  ପର୍ଯ୍ୟାୟରେ ଟିକାଦାନ କାର୍ଯ୍ୟକ୍ରମ ହୋଇଯାଇଛି। ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ୧୨ଟି ରୋଗ ପାଇଁ ପ୍ରତିଷେଧକ ଟୀକା ଦିଆଯିବ। କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷରୁ ଏଥିପାଇଁ ୪୧୨ଟି ଜିଲ୍ଲାକୁ ଚୟନ କରିଥିବା ବେଳେ ରାଜ୍ୟର ୪ଟି ଜିଲ୍ଲା ଓ ୫ଟି ପୌର ନିଗମ ଇନ୍ଦ୍ରଧନୁଷ-୪ରେ ସମ୍ପୃକ୍ତ ହୋଇଛନ୍ତି। ଏହା ମଧ୍ୟରୁ ଖୋର୍ଦ୍ଧା ଅନ୍ୟତମ। ଭାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ, ଖୋର୍ଦ୍ଧା ଜିଲ୍ଳାରେ ଶିଶୁ ଟିକାକରଣ ୭୪ ପ୍ରତିଶତ ଥିବା ବେଳେ ମାତୃଟିକାକରଣ ୮୮ ପ୍ରତିଶତ ରହିଛି। ଏହାକୁ ଶତପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡଃ. ନାୟକ କହିଛନ୍ତି।

Advertisment

ଟିକାକରଣ ଯୋଜନା ଅନୁସାରେ ଚଳିତ ବର୍ଷର ମାର୍ଚ୍ଚ, ଅପ୍ରିଲ୍ ଓ ମଇ ମାସରେ ୩ଟି ପର୍ଯ୍ୟାୟରେ ଟୀକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୭ ତାରିଖରୁ ୭ ଦିନ ଅଥାର୍ଥ ୧୩ ତାରିଖ, ଦ୍ୱିତୀୟ ପର୍ଯ୍ୟାୟରେ ଅପ୍ରିଲ୍ ୪ରୁ ୧୦ ତାରିଖ, ତୃତୀୟ ପର୍ଯ୍ୟାୟରେ ମଇ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଟିକା ଦିଆଯିବ। ବିଶେଷତଃ, ଯେଉଁ ଶିଶୁମାନେ ୨୦୨୦ ଫେବ୍ରୁଆରି ମଧ୍ୟରେ ବା ପରେ ଜନ୍ମଗ୍ରହଣ କରିଛନ୍ତି ଓ ଆଦୌ ଟିକା ନେଇ ନଥିବେ କିମ୍ବା କେତେକ ଟିକା ନେବାରୁ ବାଦ ପଡ଼ିଥିବେ ସେମାନେ ଏହି ଟିକା ନେଇପାରିବେ। ଏହି ଦିନ ଗୁଡ଼ିକରେ ସରକାରୀ ଛୁଟିଦିନରେ ମଧ୍ୟ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିବ। ଆଜିର ଏହି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସିଡିଏମ୍ଓ ଡଃ. ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏଥିରେ ଜିଲ୍ଳାର ୧୦ଟି ସିଏଚ୍ସିର ଅଧିକାରୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଖୋର୍ଦ୍ଧା ପ୍ରତିନିଧି ସୁନୀଲ କୁମାର ଦାସ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।