ରାୟଗଡା: ଦୂର୍ଗମ ଅଞ୍ଚଳରେ ମି ଶକ୍ତି। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମିଶନ ଶକ୍ତି ପହଞ୍ଚି ଆଦିବାସୀ ମହିଳାଙ୍କ ମୁହଁରେ ହସ ଫୁଟାଇଛି। ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ରୋଜଗାରକ୍ଷମ କରିପାରିଛି। ଯେଉଁଥିରେ ବେଶ ଖୁଶି ଅଛନ୍ତି ଆଦିବାସୀ ମହିଳା। ଏମାନେ ହେଉଛନ୍ତି ରାୟଗଡା ଜିଲ୍ଲାର କୋଲନରା ବ୍ଲକର କୈଳାଶପୁର ପଞ୍ଚାୟତର ଦୁର୍ଗମ ସରାବୁଗୁଡା ଗ୍ରାମର ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ମହିଳା ମାନଙ୍କ ନିକଟରେ ମିଶନ ଶକ୍ତି ପହଞ୍ଚି ସହାୟତାର ହାତ ବଢ଼ାଇଲା। ଏହି ମହିଳା ଗୋଷ୍ଠୀକୁ ସରକାରଙ୍କ ସହଯୋଗ ୨ ଲକ୍ଷ ୩୦ ହଜାର ଟଙ୍କା ନେଇ ପ୍ରଥମେ ଛେଳି ପାଳନ ଆରମ୍ଭ କଲେ। ୨ ଲକ୍ଷ ୩୦ ହଜାର ମଧ୍ୟରୁ ୧ ଲକ୍ଷ ୧୫ ହଜାର ଟଙ୍କା ରିହାତି ଦିଆ ଯାଇଥିଲା। ସେହି ୧ ଲକ୍ଷ ୧୫ ହଜାର ଓ ନିଜର ୧ ଲକ୍ଷ ୧୫ ହଜାରଟଙ୍କା ଖର୍ଚ୍ଚ କରି ବାଉଁଶ ସାହାଯ୍ୟରେ ଏକ ଘର କରିବା ସହ ୩୨ ଟି ଛେଳି ସହ ୨ ଟି ବୋଦା କିଣି ଆଣିଥିଲେ। ବର୍ତ୍ତମାନ ଏହି ଛେଳି ଛୁଆ ଜନ୍ମ କରିବା ସହ ଏମାନଙ୍କ ସଂଖ୍ୟା ବଡି ଚାଲିଛି। ବର୍ତ୍ତମାନ ଏହି ଛେଳିର ବଜାର ଦର ୪ ଲକ୍ଷ ଟଙ୍କାରୁ ଅଧିକ ହବ।କେବଳ ସେତିକି ନୁହେଁ ମିଶନ ଶକ୍ତି ଏହି ଗାୟତ୍ରୀ ମହିଳା ଗୋଷ୍ଠୀକୁ ଦୁଇଟି ପଞ୍ଚାୟତର ବିଦ୍ୟୁତ ବିଲ୍ ସଂଗ୍ରହ ଦାୟିତ୍ୱ ମଧ୍ୟ ଦେଇଛି। ଯେଉଁଥିରେ ଘର ପିଛା ୧୦ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଉଛି। ବିଦ୍ୟୁତ ବିଲ୍ ସଂଗ୍ରହ ଦ୍ୱାରା ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ମିଳୁଥିବା ସେମାନେ ପ୍ରକାଶ କରିଛନ୍ତି।

Advertisment

publive-image Sambad

ଯାହାଫଳରେ ସେମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇ ସ୍ୱାମୀଙ୍କ ଉପରେ ଟଙ୍କା ପାଇଁ ଆଉ ନିର୍ଭର ନକରି ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଶାଇ ପରିବାର ଚଳାଇ ପାରୁଛନ୍ତି ବୋଲି କହିଛନ୍ତି ଏହି ଆଦିବାସୀ ମହିଳା ମାନେ। ଯାହାରି ପାଇଁ ସେମାନେ ମିଶନ ଶକ୍ତିକୁ କୃତଜ୍ଞତା ଜଣାଇଛନ୍ତି। କୋଲନରା ବ୍ଳକର କୈଳାଶପୁର ପଞ୍ଚାୟତର ସରାବୁଗୁଡା ଗାଁରେ ବସବାସ କରନ୍ତି ଏହି ଆଦିବାସୀ ମହିଳା ମାନେ। ସେମାନେ ଶିକ୍ଷିତ ନଥିବାବେଳେ ସେମାନଙ୍କ ଆର୍ଥିକ ପରିସ୍ଥିତି ସେତେଟା ଭଲ ନୁହେଁ। ଏହି ଗାଁରେ ପାଣିର ସମସ୍ୟା ଥିବା ଯୋଗୁଁ କେବଳ ବର୍ଷାଦିନେ ଯାହା ଚାଷ କରାଯାଏ ତାହା ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଆଉ ବାକି ଦିନ ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାହା ବିକି ଚଳିଥାନ୍ତି।ଏଭଳି ପରିସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଡାଇଲା ମିଶନ ଶକ୍ତି। ସେମାନଙ୍କ ଗାଁକୁ ଯାଇ ସେହି ମହିଳାଙ୍କୁ ବୁଝାସୁଝା କରି ଛେଳି ଚାଷ ସହ ବିଦ୍ୟୁତ ବିଲ୍ ସଂଗ୍ରହ କରିବା ପାଇଁ କହିଥିଲା। ଏହାପରେ ସେହି ଗାଁର ୧୦ ଜଣ ମହିଳାଙ୍କୁ ନେଇ ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ବ କରି ଦେଲେ ଛେଳିଚାଷ ସହ ବିଦ୍ୟୁତ ବିଲ୍ ସଂଗ୍ରହ। ଆଉ ଏବେ ସେମାନେ ଦୁଇ ପଇସା ପାଇ ଲାଭବାନ ହେବା ସହ ରୋଜଗାରକ୍ଷମ ହୋଇ ପାରିଥିବାରୁ ସେମାନେ ମିଶନ ଶକ୍ତିକୁ ସାଧୁବାଦ ଜଣାଇଛନ୍ତି।