ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମିସନଶକ୍ତି ମହାସଂଘ ସଭାନେତ୍ରୀ ଆରତୀ କର ଯିବାକୁ ମନୋନୀତ ହୋଇଛନ୍ତି। ଆରତୀ ପ୍ରଥମ‌େ ମୁରିବାହାଲ ବ୍ଲକ୍‌ରେ ଗାୟତ୍ରୀ ଏସ୍‌ଏଚ୍‌ଜି ଗଠନ କରି କିଛି ମହିଳାଙ୍କୁ ନେଇ ବିଭିନ୍ନ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ଏସ୍‌ଏଚ୍‌ଜିର ଜିଲ୍ଲା ସଭାନେତ୍ରୀ ହେଲେ। ରାଜ୍ୟ ସରକାର ମିସନଶକ୍ତି ମହିଳାମାନଙ୍କୁ ସଶକ୍ତୀକରଣ କରିବା ପା‌ଇଁ ବିଭିନ୍ନ ଯୋଜନା କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଦୁବାଇ ନେଇ ବିଭିନ୍ନ ବ୍ୟବସାୟ ଉପରେ ତାଲିମ ଦେଇ ଅଧିକ ସଶକ୍ତ କରିବାକୁ ଯୋଜନା କରିଛନ୍ତି।

Advertisment

ଆସନ୍ତା ୧୬ ତାରିଖ ଦିନ ଭୁବନେଶ୍ୱରରୁ-ଦୁବାଇକୁ ଫ୍ଲାଇଟ୍‌ ଉଡ଼ାଣ ଆରମ୍ଭ ହେବ। ଏହି ଫ୍ଲାଇଟ୍‌ରେ ପ୍ରଥମ ଯାତ୍ରୀ ଭାବେ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ରାଜ୍ୟର ଦଶଜଣ ଏସ୍‌ଏଚ୍‌ଜି ମହିଳା ଦୁବାଇକୁ ଯାତ୍ରା କରିବେ। ଏଥିରେ ଆରତୀଙ୍କୁ ଯିବାର ସୁଯୋଗ ମିଳିଛି। ଏହା ଜଣାପଡ଼ିବା ପରେ ଶୁକ୍ରବାର ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ। ଦୁବାଇ ଯାତ୍ରା କରିବାକୁ ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆରତୀ। ଦୁବାଇରୁ ବିଭିନ୍ନ ବ୍ୟବସାୟର ତାଲିମ ନେଇ ଆସି ଜିଲ୍ଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ ଦେବେ ବୋଲି ସେ କହିଛନ୍ତି।

ମୁରିବାହାଲ: ମିସନ ଶକ୍ତି ଜିଲ୍ଲା ମହାସଂଘ ସଭାନେତ୍ରୀ ଶ୍ରୀମତୀ କର ଦୁବାଇ ଗସ୍ତ ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଶୁକ୍ରବାର ମୁରିବାହାଲ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବ୍ଲକ୍‌ କାର୍ଯାଳୟରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସିଡିପିଓ ସୁପ୍ରଭା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ କରଙ୍କ ବ୍ଲକ୍‌ ଆଜି ଗର୍ବିତ ବୋଲି କହିଥିଲେ। ଏଥିରେ ବ୍ଲକ୍‌ସ୍ତରୀୟ ମହାସଂଘ ସଭାନେତ୍ରୀ ସାବିତ୍ରୀ ମହାନନ୍ଦ, ପୂର୍ଣ୍ଣିମା ଘିବେଲା, ବିପିସି ଉଜ୍ବଳ ପଟେଲ, ବିଘ୍ନରାଜ ରଣା, ବଳରାମ ଭୋଇ ପ୍ରମୁଖ ଉପସ୍ଥିତଥିଲେ।