ଚାଷୀଙ୍କ ସୁରକ୍ଷା କବଚ ମିଟସ୍ ମେଗା ଫୁଡ଼୍ ପାର୍କ, ସୁରକ୍ଷିତ ରହୁଛି ୪ ଜିଲ୍ଲାରୁ ଉତ୍ପାଦିତ ଫସଲ ଓ ଜଙ୍ଗଲଜାତ ଦ୍ରବ୍ୟ

ବେସରକାରୀ ଶୀତଳ ଭଣ୍ଡାର ମାଲିକଙ୍କ ଶୋଷଣରୁ ବର୍ତ୍ତିଲେ ଚାଷୀ

ରାୟଗଡ଼ା: ସରକାରୀ ଶୀତଳ ଭଣ୍ଡାର ଭୂତକୋଠି। କାଁ ଭାଁ ଯେଉଁ ଗୋଟିଏ ଦୁଇଟି ଚାଲୁଛି ତାହା କେବଳ କାଗଜ କଲମରେ। ଗୋଦାମ ଅବସ୍ଥା ବି ସମାନ୍। କେଉଁଠି ଗଳୁଛି ତ, କେଉଁଠି ରଖିବାକୁ ଜାଗା ନାହିଁ।  ଉତ୍ପାଦିତ ଫସଲ, ଜଙ୍ଗଲଜାତ ଦ୍ରବ୍ୟ ମହଜୁଦ୍ ରଖିବାକୁ କୌଣସି ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅବିଭକ୍ତ କୋରାପୁଟ ସମେତ ସୀମାନ୍ତ କନ୍ଧମାଳ, ଗଜପତି ଜିଲ୍ଲାର ଚାଷୀ। ଆନ୍ଧ୍ର, ଛତିଶଗଡ ସମେତ ଓଡ଼ିଶାର ଦୂରାନ୍ତ ଜିଲ୍ଲାକୁ ଯାଇ ଶୋଷଣର ଶିକାର ହେଉଥିଲେ। ମିଟସ୍ ମେଗା ଫୁଡ୍ ପାର୍କ କାର୍ଯ୍ୟକ୍ଷମ ପରେ ଚାଷୀଙ୍କ ଏହି ଦୁଃଖ ଏବେ ଦୂର ହୋଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ୨୦୧୭ ମସିହାରେ ରାୟଗଡ଼ାରେ ପ୍ରତିଷ୍ଠା ହୋଇଥିଲା ମିଟସ୍ ମେଗା ଫୁଡ୍ ପାର୍କ। ୫୦.୦୫ ଏକର ଜମିରେ ନିର୍ମିତ ଫୁଡ୍ ପାର୍କ ପାଇଁ ବ୍ୟୟ ହୋଇଛି ୮୦.୧୭ କୋଟି। ତତ୍କାଳୀନ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ସିମରତକୌର ବାଦଲ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୁଡ ପାର୍କର ଉଦଘାଟନ କରିଥିଲେ। ଫୁଡ୍ ପାର୍କ ପରିସରରେ କ୍ଷୁଦ୍ର, ମଧ୍ୟମ ଶିଳ୍ପଦ୍ୟୋଗୀଙ୍କ ପାଇଁ ରହିଛି ସେଡ୍। ସେହିପରି ଫୁଡ୍ ପ୍ରୋସେସିଂ ୟୁନିଟ୍, ରାଇସ୍ ପ୍ରୋସେସିଂ କମ୍ପ୍ଲେକ୍ସ (ଘଣ୍ଟାକୁ ୧୨ ଟନ୍ କ୍ଷମତା), ଶୁଖିଲା ଖାଦ୍ୟଶସ୍ୟ ରଖିବାକୁ ୧୦ ହଜାର ମେଟ୍ରିକ୍ ଟନର ଗୋଦାମ ଗୃହ, ୨୫୦୦ ମେଟ୍ରିକ୍ ଟନ୍ କ୍ଷମତାର ଶୀତଳ ଭଣ୍ଡାର, ଏକାଧିକ ଫଳ ରସ ପ୍ରକ୍ରିୟାକରଣ ୟୁନିଟ୍ ରହିଛି।

୨୦୧୮ରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ଥିଲେ ମଧ୍ୟ ଅନ୍ୟାନ୍ୟ କାରଣ ଏବଂ କରୋନା ଯୋଗୁ ୨୦୨୧ରୁ ଏହା କାର୍ଯ୍ୟକ୍ଷମ କରିବା ଆରମ୍ଭ କରିଛି। ୨୦୨୧ରେ ୫୦୦ ମେଟ୍ରିକ୍ ଟନ୍ ତେନ୍ତୁଳି ଫୁଡପାର୍କରେ ଗଚ୍ଛିତ ଥିଲା। ୨୦୨୨ରେ ୧୮୦୦ ମେଟ୍ରିକ୍ ଟନ୍ ତେନ୍ତୁଳି ଗଚ୍ଛିତ ରହିଛି। ବଜାର ଦର ଉପଯୁକ୍ତ ହେବା ପରେ ଏହାକୁ ବିକ୍ରି କରାଯିବ। ଯାହା ଫଳରେ ଆଦିବାସୀ ଚାଷୀ ଶୋଷଣର ଶିକାର ନ ହୋଇ ଉପକୃତ ହେବେ। ସେହିପରି ରାଜ୍ୟ ସରକାରଙ୍କ ମିଲେଟ୍ ମିଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ମାଣ୍ଡିଆ ଉତ୍ପାଦନ ହେଉଛି। କିନ୍ତୁ ଉତ୍ପାଦିତ ମାଣ୍ଡିଆକୁ ମହଜୁଦ୍ ରଖିବାକୁ ଆବଶ୍ୟକ ପରିମାଣର ଗୋଦାମ ଗୃହ ନଥିବାରୁ ଚାଷୀ ଏବଂ ଟିଡିସିସି ଆନ୍ଧ୍ର କିମ୍ବା ଛତିଶଗଡ ଏବଂ ଭୁବନେଶ୍ବରରେ ଥିବା ଗୋଦାମ ଗୃହରେ ରଖୁଥିଲେ। ଫଳରେ ପରିବହନ ଭଡା ବାବଦକୁ ଚାଷୀଙ୍କୁ ଗଣିବାକୁ ପଡୁଥିଲା ଟଙ୍କା। ଚଳିତ ବର୍ଷ ୫ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ୪ ହଜାର ମେଟ୍ରିକ୍ ଟନ୍ ମାଣ୍ଡିଆ ମିଟସ୍ ଫୁଡ ପାର୍କରେ ଗଚ୍ଛିତ ରହିଛି। କନ୍ଧମାଳ, ଗଜପତି ଜିଲ୍ଲାର ବହୁ ଚାଷୀ ମଧ୍ୟ ସେମାନଙ୍କ ଉତ୍ପାଦିତ ଫସଲ ଓ ଜଙ୍ଗଲଜାତ ଦ୍ରବ୍ୟକୁ ମିଟସ୍ ଫୁଡ୍ ପାର୍କ ଗୋଦାମରେ ଗଚ୍ଛିତ ରଖିଛନ୍ତି। ଡିସେମ୍ବର ସୁଦ୍ଧା ଆମ୍ବ ରସ ପ୍ରକ୍ରିୟାକରଣ ୟୁନିଟ୍ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ୨୦୨୩ ଜାନୁଆରୀରୁ ମଣ୍ଡି ଧାନ ଗଚ୍ଛିତ ରଖିବାକୁ ଯୋଜନା ହୋଇଛି। ଅନ୍ୟ କିଛି ଉଦ୍ୟୋଗୀ ଫୁଡ୍ ପାର୍କ ପରିସରରେ ପାନୀୟ ଜଳ, ମସଲା ପ୍ରକ୍ରିୟାକରଣ ଓ ଫଳ ପ୍ରକ୍ରିୟାକରଣ ୟୁନିଟ୍ କରିବାକୁ ଚୁକ୍ତି କରିଛନ୍ତି। ଫୁଡ୍ ପାର୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ ଅନେକ କାର୍ଯ୍ୟ ବାକି ଥିବାରୁ ସରକାରଙ୍କ ସହଯୋଗ ମିଳିବା ପରେ ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ନିଆଯିବ ବୋଲି ମିଟସ୍ ଗ୍ରୁପ୍ ଅଧ୍ୟକ୍ଷ ବିଶ୍ବଜିତ୍ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ାରେ ଥିବା ଶୀତଳ ଦୀର୍ଘ ବର୍ଷ ହେଲା ଅଚଳ ଅବସ୍ଥାରେ ପଡିଛି। ବାରମ୍ବାର ମରାମତି ସତ୍ତ୍ବେ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଉତ୍ପାଦିତ ଫସଲକୁ ଗଚ୍ଛିତ ରଖିବାକୁ ଚାଷୀ ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରି ଆସୁଥିଲେ।

ସମ୍ବନ୍ଧିତ ଖବର