୨୦୦ ବର୍ଷରେ ସୃଷ୍ଟି ହେଉଥିବା ଜଙ୍ଗଲ ମାତ୍ର ୨୦ରୁ ୩୦ବର୍ଷ ମଧ୍ୟରେ ସୃଷ୍ଟି କରାଯାଇ ପାରିବ !

ଆଶାର ଆଲୋକ ‘ମିଆୱାକି ପଦ୍ଧତି’ରେ ବନୀକରଣ

ଝାରସୁଗୁଡ଼ା: ବର୍ତ୍ତମାନ ପ୍ରାକୃିତକ ସଂକଟ ଓ ମନୁଷ୍ୟକୃତ କାରଣରୁ ଜଙ୍ଗଲ କ୍ଷୟ ହୋଇଯାଉଛି। ଯାହା ଫଳରେ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ଅତ୍ୟାଧିକ ଉତ୍ତାପ ଓ ସ୍ବଳ୍ପବୃଷ୍ଟିର ଏହା ଅନ୍ୟତମ କାରଣ ପାଲଟିଛି। ବର୍ତ୍ତମାନ ପାରିବେଶିକ ସନ୍ତୁଳନକୁ ବଜାୟ ରଖିବା ଲାଗି ବନୀକରଣ ଉପରେ ଗୁରୁତ୍ବ ଦିଆଯାଉଛି।  ପ୍ରାକୃତିକ ଉପାୟରେ  ଜଙ୍ଗଲ  ସୃଷ୍ଟି ହେବାକୁ ଶହ ଶହ ବର୍ଷ ଲାଗିଥାଏ। ତେବେ ବିଭିନ୍ନ କାରଣ ଯୋଗୁଁ ଦ୍ରୁତ ଜଙ୍ଗଲ କ୍ଷୟ ହେଉଛି। ଯାହା ପ୍ରାକୃତିକ ପରିବଶ ଉପରେ ବ୍ୟାପକ ପ୍ରଭାବ ପକାଉଛି। ଶହ ଶହ ବର୍ଷ ଧରି ପ୍ରାକୃତିକ ପଦ୍ଧତିରେ ମଣିଷର ବିନା ପରିଶ୍ରମରେ ସୃଷ୍ଟି ହୋଇଥିବା ଜଙ୍ଗଲକୁ ଆଜି ବିକାଶ ନାମରେ କ୍ଷଣିକରେ ବିନାଶ କରିଦେଉଛି। ବ୍ୟାପକ ଜନସଂଖ୍ୟା ବୃଦ୍ଧି ଫଳରେ ଆବଶ୍ୟକ ହେଉଥିବା  କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ କାରଖାନା ଯୋଗୁଁ ନିମିଷକ ମଧ୍ୟରେ ଘଞ୍ଚ ଜଙ୍ଗଲ ନଷ୍ଟ ହୋଇଛି। ଯେତିକି ଜଙ୍ଗଲ ନଷ୍ଟ ହେଉଛି ସେତିକି ଜଙ୍ଗଲ ସୃଷ୍ଟି କରିବା ସମ୍ଭବ ହେଉନି। ଫଳରେ ପରିବେଶ ସନ୍ତୁଳନ ନଷ୍ଟ ହେଉଛି। ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଆଶାର ଆଲୋକ ଦେଖାଇଛି ‘ମିଆୱାକି ପଦ୍ଧତି’ରେ ବନୀକରଣ। ଓଡ଼ିଶାର ଝାରସୁଗୁଡ଼ାରେ  ବନବିଭାଗ ପକ୍ଷରୁ  ‘ମିଆୱାକି ପଦ୍ଧତି’ରେ ବନୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ସଫଳ ହେଲେ ୨୦୦ ବର୍ଷରେ ସୃଷ୍ଟି ହେଉଥିବା ଜଙ୍ଗଲ ମାତ୍ର ୨୦ରୁ ୩୦ ବର୍ଷ ମଧ୍ୟରେ ସୃଷ୍ଟି କରାଯାଇ ପାରିବ।

ମିଆୱାକି ପ୍ଲାଣ୍ଟେସନ୍‌ କଣ ?
ବିଭିନ୍ନ ରକମର ଦେଶୀ ଚାରାକୁ ଯୋଜନାବଦ୍ଧ ଭାବେ ରୋପଣ କରି ତାକୁ  ଘଞ୍ଚ ଜଙ୍ଗଲରେ ପରିଣତ କରିବା। ଏହି ପ୍ରଣାଳୀ ୧୯୮୦ ମସିହାରେ ଜାପାନର ଜଣେ ଉଦ୍ଭିଦ ବିଜ୍ଞାନୀ ଅକିରା ମିଆୱାକି ଆରମ୍ଭ କରିଥିଲେ। ତାଙ୍କ ନାମ ଅନୁସାରେ ଏହି ପ୍ଲାଣ୍ଟେସନ୍‌କୁ ନାମିତ କରାଯାଇଛି। ଇତିମଧ୍ୟରେ ଭାରତର ବାଙ୍ଗାଲୁରୁ, ତିରୁଚିରାପଲ୍ଲୀ, ଔରଙ୍ଗା​‌ବାଦରେ ଏହି ପଦ୍ଧତିକୁ ପ୍ରୟୋଗ କରାଯାଇଛି। ପ୍ରତିଟି ଗଛକୁ ଧାଡ଼ି ଧାଡ଼ି କରି ୯୦ ଡିଗ୍ରିରେ ୧ ମିଟର ଦୂରତାରେ ଲଗାଯାଇଥାଏ। ଏତେ ନିକଟତର ଲଗାଯିବାର ଲକ୍ଷ୍ୟ ହେଉଛି ପରସ୍ପରର ସହାୟତାରେ ଅଭିବୃଦ୍ଧି। ଏହା ସହିତ ପ୍ରତ୍ୟେକ ଚାରାକୁ ବାଉଁଶ ପାତି ଦେଇ ସାହାରା ଦିଆଯାଇଥାଏ। ସାହାରା ପାଇବା ପରେ ଫଳରେ ଚାରାଟି ସିଧା ହୋଇ ଓ ସେହି ଅନୁସାରେ ଅଭିବୃଦ୍ଧି ଘଟିଥାଏ। ପ୍ରତ୍ୟେକ ଗଛ ନିକଟତର ଥିବାରୁ ଆଲୋକ ଶ୍ଲେଷଣ ସକାଶେ ପ୍ରତିଯୋଗିତା ମୂଳକ ଭାବେ ସିଧା ଓ ଶୀଘ୍ର ବଢ଼ିଯାଇଥାଏ। ଯାହାଫଳରେ ଅଳ୍ପ ଅବଧିରେ ସଫଳ ବନୀକରଣ ସମ୍ଭବ ହୋଇଥାଏ।

ଦେଶୀ ଚାରାକୁ ଗୁରୁତ୍ବ ଦିଆଯାଏ
ଝାରସୁଗୁଡ଼ା ମାଲିମୁଣ୍ଡା ଇକୋପାର୍କ ନିକଟରେ ଏକ ସଂରକ୍ଷିତ କ୍ଷେତ୍ରରେ ଝାରସୁଗୁଡ଼ା ବନବିଭାଗ ପକ୍ଷରୁ ଏହି ପଦ୍ଧତିରେ ବନୀକରଣ ଆରମ୍ଭ ହୋଇଛି। ବନମହୋତ୍ସବ ଅବସରରେ  ୨ ହେକ୍ଟର ଜମିରେ ଏହି ସଘନ ଓ ବ୍ୟବସ୍ଥିତ ରୂପେ ଦେଶୀ ଚାରା ରୋପଣ କରାଯାଇଛି। ଏଥିରେ ବର, ପିପଳ, ଆମ୍ବ, ମହୁଲ, ନିମ୍ବ, ଜାମୁ, କରଞ୍ଜ, ଅଁଳା, କୁମ୍ଭୀ, କୁକୁମ, ବାଉଁଶ, ଫାଶୀ, ଗମ୍ଭୀରା, ପିଜୁଳି, ବେଲ, ରିଠା ଆଦି ପ୍ରଜାତିର ୫୨ ପ୍ରକାର ଚାରା ଯାହା ଜଙ୍ଗଲରେ ସାଧାରଣତଃ ଥାଏ ସେହି ଚାରାକୁ ବ୍ୟବହାର କରାଯାଇଛି। ଏହି ସ୍ଥାନରେ ୧୬ଟି ପ୍ୟାଚ୍‌ରେ ୧୬ ହଜାର ଚାରା ରୋପଣ କରାଯାଇଛି। ଏଥିରେ ଗୁଳ୍ପ ଜାତୀୟ, ଔଷଧୀୟ ଓ  ଛାୟାଯୁକ୍ତ ବୃକ୍ଷର ଚାରା ଚୟନ କରାଯାଇଛି। ଏହି ଚାରା ସ୍ଥାନୀୟ ମାଟି, ପାଣି, ପବନରେ ସହଜରେ ବଢ଼ିପାରେ ବୋଲି ଦାୟିତ୍ବରେ ଥିବା ଫରେଷ୍ଟର ରମେଶ ଚନ୍ଦ୍ର ନାଥ କହିଛନ୍ତି।

କେମିତି ପ୍ରସ୍ତୁତ କରାଯାଏ ଜମି
ମିଆୱାକି ଜଙ୍ଗଲ ପାଇଁ ସବୁଠାରୁ ବେଶି ଗୁରୁତ୍ବପୂର୍ଣ୍ଣ ହେଉଛି କ୍ଷେତ୍ର ପ୍ରସ୍ତୁତି। ଡିଏଫ୍‌ଓ ଲଳିତ ପାତ୍ରଙ୍କ ନିର୍ଦେଶକ୍ରମେ ଏଠାରେ କ୍ଷେତ୍ର ଚୟନ କରି ପ୍ରଥମେ ଜେସିବି ସହାୟତାରେ ୨ରୁ ଅଢ଼େଇ ଫୁଟ ଗଭୀର ଖୋଳି ମୃତ୍ତିକାକୁ ଅନ୍ୟତ୍ର ରଖାଯାଇଥାଏ। ପରେ ସେହି ମୃତ୍ତିକାରେ ପ୍ରାକୃତିକ ଗୋବର ଖତ, ଜିଆ ଖତ, ବାଲି, ଚଷୁ ମିଶ୍ରଣ କରି ସମାନକରି ପୋତା ଗଲାପରେ ଏହାଉପରେ ଟ୍ରାକ୍ଟର ସାହାଯ୍ୟରେ ହଳ କରି ଜମିକୁ ପ୍ରସ୍ତୁତ କରାଯାଏ। ଏମିତି କରିବା ଦ୍ବାରା ମୃତ୍ତିକା ହାଲୁକା ହେବା ସହ ଚେର ବଢ଼ି ଜଳ ସନ୍ଧାନ କରିବାରେ ସହାୟକ ହୋଇଥାଏ। ଚାରା ଲଗାଇବା ପରେ ମୃତ୍ତିକାର ଆର୍ଦ୍ରତା ବଜାୟ ରଖିବା ପାଇଁ ପ୍ରଚୁର ପରିମାଣରେ ଚଷୁ  ଦିଆଯାଇଥାଏ। ଏହି ଚାରରେ ନିୟମିତ ପାଣି ଦେବା ନିତାନ୍ତ ଆବଶ୍ୟକ। ପ୍ରାକୃତିକ ବୃଷ୍ଟିପାତରେ ଗଛ ଭଲଭାବେ ବଢିପାରିଥାଏ। ଚଳିତ ବର୍ଷ ଅନିୟମିତ ବର୍ଷା କିଛି ମାତ୍ରାରେ ଏହି କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ବର୍ଷା ଜଳ ସଂରକ୍ଷଣ ଓ ଭୂ-ଗର୍ଭ ଜଳଧାଣର ବୃଦ୍ଧି  ପାଇଁ ଜଙ୍ଗଲର ମଧ୍ୟଭାଗରେ  ଛୋଟ ପୋଖରୀଟିଏ ନିର୍ମାଣ କରାଯାଇଛି। ସାଧାରଣତଃ ମିଆୱାକି ଜଙ୍ଗଲରେ ଲଗାଯାଉଥିବା ପ୍ରତ୍ୟେକ ଟି ଚାରା ବଞ୍ଚିଥାଏ ଏବଂ ଏହା ୨ବର୍ଷ ମଧ୍ୟରେ ଏତେ ଅଭିବୃଦ୍ଧି ହୋଇଯାଏ ଯେମିତି କି ସାଧାରଣ ଜଙ୍ଗଲ ୨୦ ବର୍ଷରେ ସେ ଆକାର ଧାରଣ କରିପାରିବ ନାହିଁ। ଡିଏଫଓ ଶ୍ରୀ ପାତ୍ର  କହିଛନ୍ତି ଯେ ଶିଳ୍ପ ଯୋଗୁଁ  ବହୁ ଜଙ୍ଗଲ କ୍ଷୟ ହେଉଛି। ପରିବେଶ ସନ୍ତୁଳନ ରଖିବା ପାଇଁ ବ୍ୟାପକ ଜଙ୍ଗଲର ଆବଶ୍ୟକତା ରହିଛି। ସହରାଞ୍ଚଳରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟିର ମଧ୍ୟ ଆବଶ୍ୟକତା ରହିଛି। ଏହାକୁ ଲକ୍ଷ୍ୟରେ ରଖି ଶୀଘ୍ର ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ମିଆୱାକି ପଦ୍ଧତିକୁ ପ୍ରୟୋଗ କରାଯାଇଛି।  ୩ ବର୍ଷ ପରେ ଏହି ଗଛଗୁଡ଼ିକ ସ୍ବୟଂ ପୋଷିତ ହୋଇପାରି‌ବେ। ସାଧାରଣ ଚାରା ରୋପଣ ପ୍ରକ୍ରିୟାଠାରୁ ଏହା ଅଧିକ ୧୦ ଗୁଣ ଅଭିବୃଦ୍ଧି, ୩୦ ଗୁଣ ଘନ ଓ ୧୦୦ ଗୁଣ ଅଧିକ ଜୈବ-ବିବିଧତା ସମ୍ପନ୍ନ ହୋଇଥାଏ। ଏହି ପଦ୍ଧତିରେ କ୍ଷୁଦ୍ର ଜମିଗୁଡ଼ିକରେ ଚାରା ରୋପଣ କଲେ ଶିଳ୍ପ ସମୃଦ୍ଧ ଏହି  ଜିଲାରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ବୋଲି ଡିଏଫ୍‌ଓ ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର