ଏମ୍‌କେସିଜି ମେଡ଼ିକାଲ୍ କଲେଜ ମରାମତି ପାଇଁ ୫୩ କୋଟିର ଡିପିଆର୍

ସହରାଞ୍ଚଳ, ଗ୍ରାମାଞ୍ଚଳ ଉନ୍ନୟନମୂଳକ ପ୍ରକଳ୍ପ ଭିତ୍ତିଭୂମି ସମୀକ୍ଷା

ଛତ୍ରପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ପୁନରୁଦ୍ଧାର ଏବଂ ମରାମତି ଲାଗି ୫୩ କୋଟିର ଏକ ଡିପିଆର ପ୍ରସ୍ତୁତ ହୋଇଛି। ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ବେଳେ ମଞ୍ଜୁର ହେଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ଆଜି ଛତ୍ରପୁର ଠାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିଭୂମି ସମୀକ୍ଷା ବୈଠକରେ ସୂଚନା ମିଳିଛି।

ଜିଲ୍ଲାର ୨୨ଟି ବ୍ଲକ ଏବଂ ୧୮ଟି ସହରା‌ଞ୍ଚଳ ପାଇଁ ମଞ୍ଜୁରୀ ହୋଇଥିବା ପ୍ରକଳ୍ପ ଏବଂ ନୂତନ ପ୍ରକଳ୍ପ ଗୁଡ଼ିକ ପାଇଁ ଜମି, ଆକଳନ ଓ ‌ସର୍ଭେ ବିବରଣୀ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସମସ୍ତ ଉନ୍ନୟନମୂଳକ କାମକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ପଡ଼ିବ। କର୍ତ୍ତବ୍ୟ ସଂପାଦନରେ ଅଧିକାରୀ ଓ କର୍ମଚାରୀ ମାନେ ଢିଲାପଣ ଦେଖାଇଲେ ସେମାନଙ୍କ ବିରୋଧରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ନୂତନ ପ୍ରକଳ୍ପ ଲାଗି ଡିପିଆର ପ୍ରସ୍ତୁତ ସହ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ସର୍ଭେ ଏବଂ ଅନୁଦାନ ଆକଳନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି। ଜଳସେଚନ, ପାନୀୟଜଳ ପ୍ରକଳ୍ପ, କଲ୍ୟାଣମଣ୍ତପ, ନୂତନ ବସଷ୍ଟାଣ୍ତ, ରାସ୍ତାଘାଟ, ଡ୍ରେନ୍, ରିଂରୋଡ୍, କେନାଲ, ଶୀତଳଭଣ୍ତାର, ମେଗା ପାନୀୟ ଜଳ ପ୍ରକଳ୍ପ ଓ ଓଭରବ୍ରିଜ୍ ଆଦି ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ରହିଛି। ସେହିପରି ଖଲ୍ଲିକୋଟ କଲେଜ ଏବଂ ଗେଟ୍ ବଜାର ଠାରେ ଦୁଇଗୋଟି ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣ ହେବ।

ଏଥିସହ ଜଗନ୍ନାଥପୁର ଓ ଆମ୍ବପୁଆରେ ରେଳ ଓଭରବ୍ରିଜ୍ ଓ ‘ବାଳକୁମାରୀ ପୀଠରେ ବରିଷ୍ଠ ନାଗରିକଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା। ଛତ୍ରପୁର ବ୍ଲକର କାଳିଆବାଲି ଠାରୁ ମାଧପୁର ପର୍ଯ୍ୟନ୍ତ ପିଏଚ୍‌ଡ଼ି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ଆସନ୍ତା ଫେବୃଆରି ଠାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ରମ୍ଭା ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପ୍ରସ୍ତାବ, ଗଞ୍ଜାମ ସହରର କଲ୍ୟାଣମଣ୍ତପ ଏବଂ ରମ୍ଭା ପାର୍କ ଆଦି ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଡୁଡ଼ା ପିଡ଼ି ସୁଦାମ ଚରଣ ମଣ୍ତଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାଏଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର