ମାଛ ପୋଖରୀ ନିଲାମରେ ଜାଲିଆତି ନେଇ ବିଧାୟକଙ୍କ ସହ ଶତାଧିକ ମହିଳାଙ୍କ ଧାରଣା

ଖୋର୍ଦ୍ଧା: ଜଟଣୀ ବିଧାନସଭା ମଣ୍ଡଳୀର ଖୋର୍ଦ୍ଧା ଥାନା ଅଧୀନ କୁମ୍ଭିଲୋ ଗାଁରେ ମାଛ ପୋଖରୀ ନିଲାମକୁ ନେଇ ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ନେଇ କିଛି ସମୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟର ଫାଟକ ସମ୍ମୁଖରେ ବସିବା ସହ ତାଙ୍କ ଗାଁରେ ନିକଟରେ ହୋଇଥିବା ମାଛ ପୋଖରୀ ନିଲାମକୁ ବାତିଲ କରିବାକୁ ଦାବି କରିଥିଲେ। ଏହାର ନେତୃତ୍ୱ ନେଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ କହିବା କଥା ହେଲା ଯେ, ଗାଁରେ ମହିଳା ମାନେ ମିଶି ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ କରିଥିଲେ। ତେବେ ଚଳିତବର୍ଷ ମାଛ ଚାଷ ପାଇଁ ଗାଁର ପୋଖରୀ ନିଲାମ ପାଇଁ ପ୍ରସ୍ତୁତ ହୋଇଥିଲେ, କିନ୍ତୁ ସ୍ଥାନୀୟ ପଞ୍ଚାୟତ ଏକ୍ସଟେନ୍ସ ଅଧିକାରୀ, ସରପଞ୍ଚ ଓ ମତ୍ସ୍ୟ ଅଧିକାରୀ ଚଞ୍ଚକତା କରି ଅନ୍ୟ ଗୋଷ୍ଠୀଙ୍କୁ ଏହି ପୋଖରୀ ଦେଇଦେଲେ। ଏହି ନିଲାମକୁ ବାତିଲ କରି ସର୍ବସାଧାରଣରେ ପୁଣିଥରେ ନିଲାମ କରାଯାଉ। ଧାରଣା ଦେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୁନି ସୁନ୍ଦରା, ସବିତା ରଣା, ଶାନ୍ତି ସୁନ୍ଦରା, ସୁଲୋଚନା ବଳିଆରସିଂହ ପ୍ରମୁଖ କହିଛନ୍ତି ଯେ, ବରସାହି ପଂଚାୟତର ୨୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ ମହାମଞ୍ଚ ଗଠନ କରାଯାଇଥିଲା।

ତାଙ୍କ ଗାଁରେ ୭ଟି ପୋଖରୀ ରହିଛି, ଏହା ମଧ୍ୟରୁ ୪ଟି ବଡ଼ ଓ ୩ଟି ଛୋଟ ପୋଖରୀ। ଗତମାସ ୧୬ ତାରିଖରେ ୨୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗଠିତ ମଞ୍ଚକୁ ପୋଖରୀ ଗୁଡ଼ିକ ମାଛ ଚାଷ ପାଇଁ ନିଲାମ ଦେବାକୁ ଆବେଦନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପିଆଇଓ, ସରପଞ୍ଚ ଗୋଟିଏ ମଞ୍ଚକୁ ସମର୍ଥନ ଦେଇଥିଲେ। ତାଙ୍କର ୨୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗଠିତ ମଞ୍ଚକୁ ନ ଜଣାଇ ଅନ୍ୟ ୩ଟି ଗୋଷ୍ଠୀକୁ ପୋଖରୀ ନିଲାମ ଦେଇଦେଲେ। କେବଳ ଏହାନୁହେଁ, ପିଆଇଓ, ସରପଞ୍ଚ ଓ ମତ୍ସ୍ୟ ଅଧିକାରୀ ନିକଟସ୍ଥ ଠାକୁରପଡ଼ା ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ୟ ପୋଖରୀ ନିକଟରେ ଠିଆ କରାଇ ଫଟୋ ଉଠାଇ ପୋଖରୀ ନିଲାମରେ ସମସ୍ତ ଗୋଷ୍ଠୀ ସାମିଲ ଥିଲେ ବୋଲି ମିଛରେ ପ୍ରମାଣିତ କଲେ। ନିଲାମକୁ ରଦ୍ଦ କରିବା ସହ ପୁଣିଥରେ ନିଲାମ ଡାକି ସେମାନଙ୍କୁ ନିଲାମରେ ସାମିଲ କରିବାକୁ ସେମାନେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ଫଳ ହେଲା ନାହିଁ। ଏପରିକି ଏହାକୁ ନେଇ ଗାଁରେ ଅଶାନ୍ତି ମଧ୍ୟ ସୃଷ୍ଟି ହୋଇଛି। ଏଣୁ ଜିଲ୍ଲାପାଳ ତୁରନ୍ତ ଏଥିରେ ଦଖଲ ଦେଇ ନିଲାମକୁ ରଦ୍ଦ କରି ପୁଣି ଥରେ ନିଲାମ ଡାକନ୍ତୁ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର