ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଠାରେ ସୁବଳୟା ବନାଞ୍ଚଳ ଆନୁକୂଲ୍ୟରେ ଗୁରୁବାର ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଚଳିତ ବର୍ଷ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ପ୍ରକାଶ କରିଥିଲେ।

Advertisment

ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ଯୋଗ ଦେଇ ଜିଲ୍ଲାରେ ୪ ଲକ୍ଷ ୨୦ ହଜାର ଚାରା ରୋପଣର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ କରିଥିଲେ। ସୁବଳୟା ବନାଞ୍ଚଳ ଏସସିଏଫ ଅବିନାଶ ବେରିହା ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିବାବେଳେ ତହସିଲଦାର ପୁନମ୍ ମହାପାତ୍ର, ଜିଲ୍ଳା ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ସୁବଳୟା ମଣ୍ଡଳ ସଭାପତି ଶରତ କୁମାର ମିଶ୍ର, ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ, ସୁବଳୟା ଆଇଆଇସି ସୁଶାନ୍ତ ପଧାନ, ବରିଷ୍ଠ ବିଜେପି ନେତା ରଘୁନାଥ ସେଠୀ, ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଏସିଏଫ ଅବିନାଶ ବେରିହା ଅତିଥିମାନଙ୍କୁ ଉପହାର ସ୍ୱରୂପ ଡାଳିମ୍ବ ଗଛ ପ୍ରଦାନ କରିଥିଲେ। କମିରା ହାଇସ୍କୁଲ ପଡ଼ିଆ ଠାରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ସବୁଜ ପତାକା ଦେଖାଇ ବୃକ୍ଷ ରୋପଣ ସମ୍ବନ୍ଧୀୟ ପରିକ୍ରମା ରଥର ଶୁଭାରମ୍ଭ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବନବିଭାଗ କର୍ମଚାରୀଙ୍କ ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ।