ଭଦ୍ରକ: ନିକଟରେ ଶେଷ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉଠାଇଲେନି ବହୁ ପ୍ରତିକ୍ଷିତ ଭଦ୍ରକ ଧାମରା ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ ପ୍ରସଙ୍ଗ। ସଂସଦରେ ଶ୍ରୀମତୀ ମଣ୍ଡଳ ଭଦ୍ରକର ବହୁ ପ୍ରସଙ୍ଗରେ ଦାବି ଉଠାଇ ଚର୍ଚ୍ଚାକୁ ଆସିଥିବା ବେଳେ ଭଦ୍ରକ ଧାମରା ରେଳପଥରେ ପାସେଞ୍ଜେର ରେଳ ଚାଲିବା ନେଇ କାହିଁକି ସ୍ୱର ନଉଠାଇ ନିରବ ରହିଛନ୍ତି। ଏହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ଭଦ୍ରକ ଧାମରା ରେଳପଥ ପ୍ରତିଷ୍ଠା ହେବାକୁ ଏହା ଭିତରେ ୧୨ବର୍ଷ ବିତିଯାଇଛି। ଏହି ରେଳପଥରେ ଧାମରା ପୋର୍ଟ କମ୍ପାନି ବିଦେଶରୁ ଜାହାଜରେ ଆସୁଥିବା କୋଇଲା ଓ ଚୂନ ପଥର ମାଲବାହୀ ରେଳ ଯୋଗେ ବାହାର ରାଜ୍ୟକୁ ଯୋଗାଣ କରୁଥିବା ବେଳେ ଏହି ୬୨ କିମି ରେଳ ପଥ ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବହୁ ଦିନରୁ ସ୍ଥାନୀୟ ଲୋକଙ୍କର ଦାବି ହୋଇଆସୁଛି।
ଭାରତ ସରକାର ଏବଂ ବନ୍ଦର କତ୍ତୃପକ୍ଷ ରେଳପଥ ଜରିଆରେ ହଜାର ଜଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ହେଲେ ଏହି ରେଳପଥରୁ ଟଙ୍କାକର ଫାଇଦା ହାସଲ କରିପାରି ନାହାନ୍ତି ସ୍ଥାନୀୟ ଲୋକେ। ଘରୋଇ ମାଲିକାନାରେ ନିର୍ମିତ ଏହି ରେଳପଥ ପାଇଁ ଭଦ୍ରକ ଜିଲ୍ଲାର ଭଦ୍ରକ, ଚାନ୍ଦବାଲି ଏବଂ ତିହିଡି ତହସିଲ ଅଧୀନରେ ଘରୋଇ ମାଲିକାନାରେ ରହିଥିବା ହଜାର ହଜାର ହେକ୍ଟର ମୂଲ୍ୟବାନ ଜମି ଅଧିଗ୍ରହଣ କରାଯାଇଥିଲା। ରେଳପଥ ନିର୍ମାଣ ହେଲେ ଆଞ୍ଚଳିକ ବିକାଶ ହେବ ଲୋକଙ୍କୁ ନିଯୁକ୍ତି ମିଳିବ ପରିବହନ ଏବଂ ଗମନାଗମନ କ୍ଷେତ୍ରରେ ଏହି ଅଞ୍ଚଳ ସମୃଦ୍ଧିଶାଳୀ ହେବ ପରିକଳ୍ପନା ରଖି ଆଞ୍ଚଳିକ ଲୋକେ ବିନା ପ୍ରତିବାଦରେ ହଜାର ହଜାର ହେକ୍ଟର ମୁଲ୍ୟବାନ ଜମି ସରକାରଙ୍କୁ ଟେକି ଦେଇଥିଲେ। ଫଳରେ ଭଦ୍ରକରୁ ଧାମରା ପର୍ଯ୍ୟନ୍ତ ପ୍ରାୟ ୬୨ କିମି ପରିବ୍ୟାପ୍ତ ରେଳପଥ ନିର୍ମାଣ ହୋଇଥିଲା।
ରେଳପଥ ସମ୍ପୂର୍ଣ ହେବା ପରେ ବନ୍ଦର କତ୍ତୃପକ୍ଷ ଏହାକୁ ନିଜସ୍ୱ କାର୍ଯ୍ୟରେ ବ୍ୟବହାର କରି ଆସୁଛନ୍ତି। ତେବେ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରେଳପଥରେ ଏକ ପାସେଞ୍ଜେର ଟ୍ରେନ ଚଳାଇବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ନିରନ୍ତର ଭାବେ ଦାବି କରାଯାଇ ଆସୁଥିଲେ ମଧ୍ୟ ଏଥିନେଇ ବନ୍ଦର କତ୍ତୃପକ୍ଷ ଅଥବା କେନ୍ଦ୍ର ରେଳ ମନ୍ତ୍ରଣାଳୟ କେହି କର୍ଣ୍ଣପାତ କରିନାହାନ୍ତି। କେନ୍ଦ୍ର ସରକାର ଏବେ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ରେଳପଥକୁ ଘରୋଇକରଣ କରୁଥିବା ବେଳେ ଆଞ୍ଚଳିକ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଏହି ରେଳପଥରେ ଏକ ପାସେଞ୍ଜର ଟ୍ରେନ ସରକାର ହେଉ କିମ୍ବା ବନ୍ଦର କତ୍ତୃପକ୍ଷଙ୍କ ଜରିଆରେ କରିପାରନ୍ତେ। ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ।
ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଆଞ୍ଚଳିକ ଲୋକଙ୍କର ଏହି ଦାବି ଦାବିରେ ରହିଯାଇଛି। ବିଶେଷକରି ଭଦ୍ରକର ନିର୍ବାଚିତ ୫ ବିଧାୟକ କେବେ ବିଧାନ ସଭାରେ ଭଦ୍ରକ ଧାମରା ରେଳ ପଥରେ ପସେଞ୍ଜର ରେଳ ଚଳାଚଳ ନେଇ ଦାବି ଉପସ୍ଥାପନ କରି ନଥିବା ବେଳେ ସଂସଦରେ ମଧ୍ୟ ଭଦ୍ରକ ସାଂସଦ କେବେ ଦାବି ଉପସ୍ଥାପନ କରି ନାହାନ୍ତି। ଏହି ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ଭଦ୍ରକ ସାଂସଦଙ୍କ ଠାରୁ ଅଞ୍ଚଳବାସୀ ଅନେକ କିଛି ଆଶା କରୁଥିଲେ ମଧ୍ୟ ମାନ୍ୟବର ସାଂସଦ ଏନେଇ ସଂସଦରେ ଦାବି ଉପସ୍ଥାପନ ନକରିବା ଘଟଣା ପରିତାପର ବିଷୟ ହୋଇଛି।
ଏହି ନିକଟରେ ଓଡିଶାର ବିଜେଡି ସାଂସଦ ମାନେ ସଂସଦ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନି ବୈଷ୍ଣବଙ୍କୁ ଭେଟି ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ-ହରିଦାସପୁର ରେଳପଥରେ ଏକ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କରିଥିବା ବେଳେ ଭଦ୍ରକ ସାଂସଦ ଧାମରା ଭଦ୍ରକ ପସେଞ୍ଜେର ରେଳ ଚଳାଚଳ ବାବଦରେ ମୁହଁ ଖୋଲି ନାହାନ୍ତି। ଅନ୍ୟ ପ୍ରସଙ୍ଗରେ ଭଦ୍ରକ ସାଂସଦ ମୁହଁ ଖୋଲୁ ଥିବା ବେଳେ ପାସେଞ୍ଜର ରେଳ ଚଳାଚଳ ନେଇ ସେ ସଂପୂଣ୍ଣ ନିରବ ରହିଛନ୍ତି ଯାହାକି ଏହି ରେଳପଥରେ ଏକ ପାସେଞ୍ଜର ଟ୍ରେନ ଚାଲିବାର ସ୍ୱପ୍ନ ଦେଖୁଥିବା ଆଞ୍ଚଳିକ ଲୋକଙ୍କୁ ମର୍ମାହତ କରିଛି। ଭଦ୍ରକ ଜିଲ୍ଲାର ଧାମରା ଠାରେ ବୃହତ ଧାମରା ବନ୍ଦର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଅଞ୍ଚଳବାସୀ ଙ୍କୁ ଏଯାଏ ରେଳ ପରିବହନ ସୁବିଧା ଉପଲବ୍ଧ ହୋଇ ପାରିନାହିଁ। ସଡକ ପରିବହନ ଏବଂ ରେଳ ଚଳାଚଳ କ୍ଷେତ୍ରରେ ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳଭାବେ ପରିଗଣିତ ହୋଇ ଆସୁଥିବା ଏହି ଅଞ୍ଚଳରେ ରେଳ ଯାତ୍ରୀ ପରିବହନ ଆରମ୍ଭ ହେଲେ କେବଳ ଅଞ୍ଚଳବାସୀ ଗମନାଗମନ ସୁବିଧା ହାସଲ କରିପାରିବେ ତା ନୁହେଁ ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ବିକାସ ସାଧିତ ହୋଇପାରିବ। ତା ନହେଲେ ଭଦ୍ରକରେ ମେଡିକାଲ କଲେଜ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ଭଳି ଧାମରା ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ ଜିଲ୍ଲାବାସୀଙ୍କ ପାଇଁ ଏକ ପ୍ରସଙ୍ଗ ହୋଇ ରହିଯିବ। ଏବେ ଭଦ୍ରକ ଠାରୁ ଧାମରା ପର୍ଯ୍ୟନ୍ତ ଏହାର ଦ୍ଵିତୀୟ ଲାଇନ ରେଳ ପଥ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ମଧ୍ୟ ଲୋକଙ୍କ ଠାରୁ ଜମି ଅଧି ଗ୍ରହଣ କରାଯାଇଛି। ଲୋକଙ୍କ ଠାରୁ ଜମି ଅଧିଗ୍ରହଣ କରି ସରକାର ବନ୍ଦର କମ୍ପାନିର ସ୍ବାର୍ଥ ସାଧନା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କର ଗମନା ଗମନ ଦିଗରେ କୌଣସି ସୁବିଧା ନକରିବା ଜିଲ୍ଲାବାସୀଙ୍କୁ ସହ ପ୍ରତାରଣା କରିବା ଭଳି ହୋଇଛି।