ରେଳ ଷ୍ଟେସନ୍‌ରେ ପଡ଼ିଛି ସାଂସଦଙ୍କ ଅନୁଦାନ ଲେଖା ଚେୟାର୍‌

ସାଂସଦଙ୍କ ସଫେଇ କେତେ ସତ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ବର୍ତ୍ତମାନ ସାଂସଦ ଶ୍ରୀମତୀ ଡା.ମଲ୍ଲିକ ଅନୁଦାନ ରାଶିକୁ ନେଇ ଅଭିଯୋଗ ଉଠାଇଛନ୍ତି ବିଧାୟକଙ୍କ ସମର୍ଥକ। ଗୋରେଖନାଥ ରେଳଷ୍ଟେସନ ଛପଡ଼ାରେ ଯାତ୍ରୀମାନଙ୍କ ପାଇଁ ପଡ଼ିଥିବା ଲୁହା ଚୌକି ବାବଦକୁ ସାଂସଦ କାହିଁକି ଅନୁଦାନ ଦେଲେ ବୋଲି ପ୍ରଶ୍ନ ଉଠାଇ ରଘୁନାଥପୁର ବ୍ଲକ୍ ବିଜେଡି ନେତାମାନେ ଜିଲ୍ଲା ସଭାପତିଙ୍କ ନିକଟରେ ଫେରାଦ ହୋଇଛନ୍ତି। ତେବେ ଅଭିଯୋଗକୁ ସାଂସଦ ଶ୍ରୀମତୀ ମଲ୍ଲିକ ସମ୍ପୂର୍ଣ୍ଣ ଅସ୍ବୀକାର କରି କହିଛନ୍ତି ଏ ନେଇ ସେ ରେଳ ବିଭାଗକୁ ଏକ ଚିଠି ଲେଖିଛନ୍ତି। ଅଭିଯୋଗର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। କିଛି ଖଳ ପ୍ରକୃତି‌ର ଲୋକ ମିଛରେ ଉକ୍ତ ଚୌକିରେ ସାଂସଦଙ୍କ ଅନୁଦାନ ରାଶି ବୋଲି ଷ୍ଟିକର ଲଗାଇ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ କରିବାରୁ ସାଧାରଣ ଲୋକ ଭ୍ରମରେ ପଡ଼ୁଛନ୍ତି। ରେଳ ଷ୍ଟେସନ ଗୁଡ଼ିକ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ବେଳେ ଚେୟାର୍‌ ଗୁଡ଼ିକରେ ଷ୍ଟିକର୍‌ କିଏ ଓ କିପରି ଲେଖିଲା ବୋଲି ସାଂସଦ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରାଯାଇପାରୁନଥିବା ବେଳେ ସାଂସଦ କାହିଁକି ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ରେଳ ବିଭାଗକୁ ଏତେ ପରିମାଣର ଅନୁଦାନ ରାଶି ଦେଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ସଭାପତିଙ୍କୁ ‌ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଗାଁ, ରାସ୍ତା, କ୍ଳବ୍, ପାନୀୟ ଜଳ ଯୋଗାଣ, ସ୍କୁଲ ଓ କଲେଜର ବିକାଶ କରାଯିବ ବୋଲି ସାଧାରଣ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥାଉ। ମାତ୍ର ସାଂସଦ ଏହାକୁ ଭୁଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରା ଅତି ଚତୁରତାର ସହ ଭାରତ ସରକାରଙ୍କ ରେଳ ବିଭାଗର ଗୋରେଖନାଥ ଷ୍ଟେସନରେ ୬ ଲକ୍ଷ ଟଙ୍କାର ୧୫ଟି ଲମ୍ବା ଲୁହା ଚୌକି ଅନୁଦାନରେ ଦେଇଛନ୍ତି। ଏହାର ଏକ ଫଟୋ ମଧ୍ୟ ଉକ୍ତ ଦରଖାସ୍ତରେ ସଂଲଗ୍ନ କରାଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବେ ସାଂସଦଙ୍କ ଅନୁଦାନ ରାଶିରୁ ଏହା କିଣା ଯାଇଛି ବୋଲି ଜଣାପଡ଼ିଛି।
ଏପଟେ ସାଧାରଣ ଲୋକଙ୍କ ଦିଆଯାଉଥିବା ପ୍ରତିଶ୍ରୁତିକୁ ପାଳନ ନ କରି ଗାଁ ଗୁଡ଼ିକରେ ବିଜେଡି ନେତାମାନେ ଲଜ୍ଜିତ ହେଉଥିବା ବେଳେ ସାଂସଦଙ୍କ ଏପରି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରି ଲୋକମାନଙ୍କ ହିତ ପାଇଁ ପଦକ୍ଷେପ ନେଲେ ଦଳର ସଂଗଠନ ସୁଦୃଢ଼ ହୋଇପାରିବ ବୋଲି ରଘୁନାଥପୁର ବ୍ଲକର ବିଜେଡି ନେତାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର