ବାଲିଅନ୍ତା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଅପରାହ୍ନରେ ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ କୂଳସାହି ସ୍ଥିତ କୁଶଭଦ୍ରା ନଦୀର ଦୁର୍ବଳ ନଦୀଦନ୍ଧ ବୁଲି ଦେଖିଛନ୍ତି। ୨୦୦୮ ମସିହାରେ ଉକ୍ତ ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଥିଲା। ଘାଇ ସୃଷ୍ଟି ହୋଇଥିବା ଉକ୍ତ ସ୍ଥାନ ଅତ୍ୟନ୍ତ ଦୁର୍ବଳ ଥିବା ବେଳେ ଏବେ ସେହି ସ୍ଥାନ ସଂଲଗ୍ନ ଅଞ୍ଚଳରୁ ଅବାଧ ବାଲି ଉଠାଣ ହେଉଥିବା ସଂପର୍କରେ ଗ୍ରାମବାସୀ ସମୂହ ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ। ଘାଇ ସ୍ଥାନ ପଥର ପ୍ୟାକିଂ କରାଯିବା ପାଇଁ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକ ଅଧିକାରୀ ମାପଚୂପ ବେଳେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜଳସେଚନ ବିଭାଗ ପକ୍ଷରୁ ଅଧ୍ୟାବଧି ବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଯାହାଫଳରେ ବାଲି ଉଠାଣ ଫଳରେ ବନ୍ଧ ଅବସ୍ଥା ଆହୁରି ଦୁର୍ବଳ ହୋଇପଡ଼ୁଛି। ଏଭଳି ପରିସ୍ଥିତିରେ ବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ବାଲି ଉଠାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଥିଲେ।

Advertisment

ସାଂସଦ ଶ୍ରୀ ଷଡ଼ଙ୍ଗୀ ଜୟଦେବ ଏବଂ ପ୍ରତାପରୁଦ୍ରପୁର ପଞ୍ଚାୟତର ସମୂହ ଜନସାଧାରଣଙ୍କର ଦସ୍ତଖତ ସମ୍ବଳିତ ଅଭିଯୋଗ ପ୍ରଦାନ କରିବା ପାଇଁ କହିଥିଲେ। ଏଥିସହିତ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଗ୍ରସ୍ତ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ବାଲିଅନ୍ତା ବ୍ଲକ ପ୍ରତିନିଧି ସିଦ୍ଧେଶ୍ବର ନାଥ, ଜୟଦେବ ନିର୍ବାଚନମଣ୍ଡଳୀ ପ୍ରତିନିଧି ତାପସ କୁମାର ଜେନା, ବସନ୍ତ କୁମାର ନାୟକ ଓ ନରେନ୍ଦ୍ର ନାଥ ନାୟକଙ୍କ ସମେତ ଉପରୋକ୍ତ ଦୁଇ ପଞ୍ଚାୟତର ମୁରବି ଶ୍ରେଣୀର ଲୋକମାନେ ଉପସ୍ଥିତ ଥିଲେ।