ବିଶ୍ବ ମହିଳା ଦିବସରେ ଦୁଇ ପ୍ରକଳ୍ପର ଶିଳାନ୍ୟାସ ଓ ୩ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ

ବାଲିଅନ୍ତା:ବିଶ୍ବ ମହିଳା ଦିବସ ଅବସରରେ ସ୍ଥାନୀୟ ଜୟଦେବ ପଞ୍ଚାୟତ ପରିସରରେ ଆଜି ବ୍ଲକସ୍ତରୀୟ ମହିଳା ସମାବେଶ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟଦେବ ପଞ୍ଚାୟତ ଓ ପ୍ରତାପଶାସନ ପଞ୍ଚାୟତରେ ୨ ପ୍ରକଳ୍ପର ଶିଳାନ୍ୟାସ ଓ ୩ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିଧାୟକ ପ୍ରଥମେ ପ୍ରତାପଶାସନ ପଞ୍ଚାୟତ ଅଧୀନ ବାଳକାଟି ଫାଣ୍ଡି ଠାରୁ ବଡ଼ ଭୋଇସାହି ପର୍ଯ୍ୟନ୍ତ ଗ୍ରାମ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୨୦୦ ଫୁଟ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଲାଗି ଜିଲ୍ଲା ପରିଷଦ ଅନୁଦାନ ଅଂଶରୁ ୨ ଲକ୍ଷ ଟଙ୍କା ମଂଜୁର ହୋଇଛି ।

ଏହାପରେ ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଜୟଦେବ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ୨ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ପଞ୍ଚାୟତ ତୋରଣ, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ମହିଳା ମହାସଂଘ ଗୃହ ଏବଂ ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରୋଷଘର ତଥା ସାଇକେଲ ଷ୍ଟାଣ୍ଡର ଉଦଘାଟନ କରାଯାଇଥିଲା ।

ଏନେଇ ଆୟୋଜିତ ସଭାରେ ଭିଙ୍ଗାରପୁର ସରପଞ୍ଚ ଜୟଶ୍ରୀ ନାୟକ ସଭାପତିତ୍ବ କରିଥିଲେ । ବିଧାୟକ ବର୍ତ୍ତମାନ ପରିସ୍ଥିତିରେ ମହିଳାମାନଙ୍କର ଭୂମିକା ଓ ସଫଳତା ଉପରେ ଗୁରୁତ୍ବାରୋପ କରିଥିଲେ ।

ସମ୍ବନ୍ଧିତ ଖବର