କେନ୍ଦୁଝର: କେନ୍ଦୁଝର ସ୍ଥିତ ଧରଣୀଧର ଭେଷଜ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ସଦର ବିଧାୟକ ମୋହନ ଚରଣ ମାଝୀ ଗତକାଲି ସଂଧ୍ୟାରେ ଅଧୀକ୍ଷକ ଡାକ୍ତର ମହେନ୍ଦ୍ର କୁମାର ନାୟକ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟନ ପରେ ମଧ୍ୟ ଅନେକ କାର୍ଯ୍ୟ ହୋଇ ନଥିବାରୁ ବିଧାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଭିତ୍ତିଭୂମି ଅଧପନ୍ତରିଆ ହୋଇ ରହିଥିବାରୁ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଆରମ୍ଭ ହେଲେ ରୋଗୀ ହଇରାଣ ହେବେ। ଓୟାର ହାଉସ, ସେଣ୍ଟ୍ରାଲ ମେଡିସିନ ଷ୍ଟୋର ଅଦ୍ୟାବଧି ନିର୍ମାଣ କରାଯାଇନାହିଁ ।

Advertisment

ରୋଗୀ ସମ୍ପର୍କୀୟଙ୍କ ରେଷ୍ଟ ହାଉସ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସରକାର ଏଥିପାଇଁ ବ୍ୟୟ ବରାଦ କରି ତୁରନ୍ତ ନିର୍ମାଣ କରିବାକୁ ଶ୍ରୀ ମାଝୀ ସରକାରଙ୍କ ଦାବୀ ଜଣାଇଥିଲେ । ମେଡିକାଲ କଲେଜ ଡି ବ୍ଲକରେ ଶିଶୁ ରୋଗୀଙ୍କ ଆଇସିୟୁ ଏବଂ ଏଆରଟି ସେଣ୍ଟର ପାଇଁ ବ୍ୟୟବରାଦ କରାଯାଇ ତୁରନ୍ତ ନିର୍ମାଣ କରିବା, ମେଡିକାଲ କଲେଜ ପରିସରରେ ପୁଲିସ ଫାଣ୍ଡି, ଓଏମଫେଡ ପାର୍ଲର, ୨ ଟି ଏଟିଏମ କାଉଣ୍ଟର, ମେଡିସିନ ଷ୍ଟୋର, ୮ ଟି ମଡୁଲାର ଓଟି ଏବଂ ଆହାର କେନ୍ଦ୍ର ଶୀଘ୍ର କରିବାକୁ ଦାବି କରିଥିଲେ। ବହୁ ପଦବି ଫାଙ୍କା ପଡ଼ିଛି। ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି ।