ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଆସନ୍ତାକାଲି ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ। ଏମାନଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୩ଜଣଙ୍କୁ ରିମାଣ୍ଡ ଲଗାଇବା ପାଇଁ ପୁଲିସ ୩ଜଣଙ୍କୁ କୋର୍ଟରେ ହାଜର କରିବ। ଏଥିପାଇଁ ବ୍ରହ୍ମପୁର ଏସ୍ଡିଜେଏମ୍ ଦିନିକିଆ ଟ୍ରାନ୍ଜିଟ୍ ରିମାଣ୍ଡ ମଂଜୁର କରିଥିବା ବିଧାୟକ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ କଟକ କ୍ରାଇମ୍ବ୍ରାଞ୍ଚ ବିଧାୟକ ପ୍ରଦୀପଙ୍କୁ ଗିରଫ କରିଥିଲା। ଏହାପରେ ଗୋଳନ୍ଥରା ଥାନାରେ ଗତ ଡିସେମ୍ବର ଓ ଜାନୁଆରି ମାସରେ ୩ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅଙ୍କୁ ଜଡ଼ିତ କରିଥିଲା। ଟାଟା ମୋଟର୍ସରେ ଚାକିରି ଦେବା ପାଇଁ ୬ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଗତ ମାର୍ଚ୍ଚ ୨୪ତାରିଖରେ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୮୧/୨୧ରେ ପୁଣି ଏକ ମାମଲା ରୁଜୁ ହୋଇଥିଲା।
ଗତ ୨୦୨୦ରେ ବ୍ରହ୍ମପୁରର ପୁଲିସ କନ୍ଷ୍ଟେବଲ୍ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଟାଟା ମୋଟର୍ସରେ ଚାକିରି ପାଇଁ ଅନ୍ଲାଇନ୍ରେ ଆବେଦନ କରିଥିଲେ। ଏହାପରେ ଚାକିରି ପାଇଁ କାର୍ତ୍ତିକ ଏସ୍ବିଆଇରୁ ୬ଲକ୍ଷ ଟଙ୍କା ଋଣ ଆଣି ବିଧାୟକ ପ୍ରଦୀପଙ୍କୁ ଦେଇଥିଲେ। ଟଙ୍କା ଦେବା ପରେ ମଧ୍ୟ ଚାକିରି ମିଳି ନଥିଲା। ଏଣୁ କାର୍ତ୍ତିକ ଗୋପାଳପୁର ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ୩ଜଣଙ୍କୁ ଜଡ଼ିତ କରିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିବା ବେଳେ ତାହା ମଂଜୁର ହୋଇଛି। ଆସନ୍ତା କାଲି ବ୍ରହ୍ମପୁର ପୁଲିସର ଏକ ଟିମ୍ ଭୁବନେଶ୍ବର ଯାଇ ଝାରପଡ଼ା ଜେଲ୍ରୁ ୩ଜଣଙ୍କୁ ଆଣି ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିବ। ପୁଲିସ ରିମାଣ୍ଡ ଲଗାଇବା ପରେ ପୁଣିଥରେ ସେମାନଙ୍କୁ ଭୁବନେଶ୍ବର ନିଆଯିବ ବୋଲି ସୂଚନା ମିଳିଛି।