ବିଧାୟକ ଜେଲ୍‌ରେ, ନେତାଙ୍କୁ ବନ୍ଧ ବାନ୍ଧିବା ଚିନ୍ତା

ସାଂଗଠନିକ ସମ୍ପାଦକଙ୍କୁ ଫେରାଦ୍ ‌ହେଲେ ଆଗଧାଡ଼ିର କର୍ମୀ

ଗୋଳନ୍ଥରା : ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ ହେବା ସହ ଟାଟା ମୋଟର୍ସରେ ଚାକିରି ଠକେଇ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ଏଭଳି ପରିସ୍ଥିତିରେ ଗୋପାଳପୁର ନିର୍ବାଚନମଣ୍ଡଳୀ ମୁରବିବିହୀନ ପାଲଟିଥିବା ବେଳେ ଆଗକୁ ଉନ୍ନୟନମୂଳକ କାମ କେମିତି ହେବ ଏବଂ ଦଳକୁ ଆଗକୁ ନେବା ଲାଗି କାହାକୁ ନେତୃତ୍ବ ଦିଆଯିବ ଏହାକୁ ନେଇ ନେତା ଓ କର୍ମୀଙ୍କୁ ଚିନ୍ତା ଘାରିଲାଣି। କାରଣ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। ବେଳ ଥାଉଣୁ ‌ବନ୍ଧ ନବାନ୍ଧିଲେ କାଳେ ସବୁ ଓଲଟପାଲଟ ହୋଇଯିବ, ଏହି ଚିନ୍ତାରେ ତୁଙ୍ଗ ନେତା ମାନେ ରହିଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ଆଜି ୩୦ଟି ଗାଡ଼ିରେ ନିର୍ବାଚନମଣ୍ଡଳୀ ଶତାଧିକ କର୍ମୀ ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ବବି ଦାସଙ୍କୁ ଫେରାଦ୍ ହୋଇଛନ୍ତି। ସମ୍ପାଦକଙ୍କ ଡକରା କ୍ରମେ, କର୍ମୀ ମାନେ ଭୁବନେଶ୍ବର ଯାଇ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଓ ଅଟକିଥିବା ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ନିର୍ବାଚନମଣ୍ଡଳୀର ଦାୟିତ୍ବ ସମ୍ଭାଳିବାକୁ ନେତୃତ୍ବ ଚୟନ ଉପରେ ଦୃଷ୍ଟିଆକର୍ଷଣ କରିଥିଲେ।

ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଛନ୍ତି, ନିର୍ବାଚନମଣ୍ଡଳୀରେ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରହୁ। ସୁପ୍ରିମୋଙ୍କ ନିର୍ଦ୍ଦେଶରେ ସମସ୍ତ କାମ ହେବ। କିନ୍ତୁ ଉନ୍ନୟନ କାର୍ଯ୍ୟରେ କୌଣସି ଅସୁବିଧା ଉପୁଜିବନି। ସାଂଗଠନିକ କଥା ଜିଲ୍ଲା ସଭାପତି ବୁଝିବେ। ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନିଆଯିବ ବୋଲି ଶ୍ରୀ ଦାସ କହିଥିଲେ। ପ୍ରଦୀପ ଜେଲ୍ ଯିବା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଏକ ମାସ ହେଲା ରାଜନୈତିକ ବାତାବରଣ ବେଶ୍ ସରଗରମ ‌ରହିଛି। ମଙ୍ଗ ଧରିବା ଲାଗି ଆଗ ଧାଡ଼ିର ନେତା ମାନେ ନିଜ ନିଜ ସମର୍ଥକଙ୍କୁ ନେଇ ଗୋଷ୍ଠୀ ତିଆରି କରି ଆସୁଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୩୨ ପଞ୍ଚାୟତ ସମେତ କୁକୁଡ଼ାଖଣ୍ଡିର ୫ଟି ପଞ୍ଚାୟତ, ବ୍ରହ୍ମପୁର ମହାନଗର ନିଗମର ୫ଟି ୱାର୍ଡ଼ ଏବଂ ଗୋପାଳପୁର ଏନ୍‌ଏସିକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ଦାୟିତ୍ବ ଆଗକୁ କିଏ ନେବ ଏହାକୁ ନେଇ ଏ ଯାଏ ସସ୍‌ପେନ୍ସ୍ ଲାଗି ରହିଥିଲା। ଅଲଗା ଢଙ୍ଗରେ ନେତା ମାନେ ସଂଗଠନ ଗଢ଼ିବା ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଥିଲା। ଏଥିରେ ଜଣେ ମହିଳା ନେତ୍ରୀ ବି ଅଛନ୍ତି। ହେଲେ ଆଜି ସମସ୍ତେ ଏକାଠି ହୋଇ ଭୁବନେଶ୍ୱର ଯାଇ ରାଜ୍ୟ ସାଂଗଠନିକ ସମ୍ପାଦକଙ୍କୁ ଭେଟିବା ଆଲୋଚନାର ପ୍ରସଙ୍ଗ ହୋଇଛି। ତେବେ ନିର୍ବାଚନମଣ୍ଡଳୀ ସଂଗଠନ ଦାୟିତ୍ବ ଆଗକୁ କାହାକୁ ଦିଆଯିବ? ନିର୍ଦ୍ଦିଷ୍ଟ କାହାକୁ ଚୟନ କରାଗଲେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରିବେ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଦଳୀୟ ଶିବିରରେ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର