ବୈପାରିଗୁଡା ବ୍ଲକ ଗସ୍ତ କରି ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ ସହ ମିଶ୍ରଣ ପର୍ବରେ ଯୋଗଦେଲେ ବିଧାୟକ

ବୈପାରିଗୁଡା: କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଆଜି ବୈପାରିଗୁଡା ବ୍ଲକର ଚିପାକୁର, ମାଠପଡା ଏବଂ ଦୋରାଗୁଡା ପଞ୍ଚାୟତରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି। ଦୁର୍ଗମ ଚିପାକୁର ଠାରେ ପହଞ୍ଚି ସ୍ମାର୍ଟକାର୍ଡ ବାଣ୍ଟିବା ପରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ହାଇସ୍କୁଲ ଗୃହର ସ୍ଥିତି ତଦାରଖ କରିଥିଲେ। ଗ୍ରାମବାସୀ ମାନେ ସ୍କୁଲ ଗୃହଟି ବହୁ ବର୍ଷ ତଳେ ନିର୍ମିତ ହୋଇଥିବା ବେଳେ ବର୍ତ୍ତମାନ ତାହା ଧୀରେଧୀରେ ନଷ୍ଟ ହେବାକୁ ବସିଲାଣି ଏବଂ ଏହାର ମରାମତି ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ବିଧାୟକ ଶ୍ରୀ ପାଡାଲ ସ୍କୁଲ ଗୃହର ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶିଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାଛଡ଼ା ବୈପାରିଗୁଡା ବ୍ଲକରେ ପାଞ୍ଚଟି ସ୍ମାର୍ଟ ସ୍କୁଲର ଖୋଲାଯିବ ବୋଲି ପ୍ରକାଶ କରିଥିଲେ। ମାଠପଡା ଏବଂ ଦୋରାଗୁଡା ପଞ୍ଚାୟତରେ ମଧ୍ୟ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡକି ନିଜ ବକ୍ତବ୍ୟରେ କୋରାପୁଟ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଦୁର୍ଗମ ଏବଂ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ଦିଆଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କରିଥିବା ପ୍ରକାଶ କରିଥିଲେ।

ଏହାଦ୍ବାରା କାର୍ଡଧାରୀ ମାଗଣାରେ ଚିକିତ୍ସା ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହାପରେ ଅପରାହ୍ନରେ ମହୁଲି ଠାରେ ପହଞ୍ଚିଥିଲେ। ସେଠାରେ ବିଜେଡ଼ିର ମିଶ୍ରଣ ପର୍ବରେ କେଦାର ଗୌରୀ ଦାସଙ୍କ ନେତୃତ୍ୱରେ ମହୁଲି ପଞ୍ଚାୟତର ବିଜେପିର ସରପଞ୍ଚ ପ୍ରାର୍ଥୀ ରଘୁନାଥ ପୂଜାରୀଙ୍କ ସମେତ ପଚାଶ ଜଣ ବିଜେପି କର୍ମୀ ଏବଂ କୋଡ଼ିଏ ଜଣ କଂଗ୍ରେସ କର୍ମୀ ବିଧାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ଆବାହକ ହେମନ୍ତ କୁମାର ମହାପାତ୍ର, ବିଜେଡ଼ି ଜିଲ୍ଲା ଉପସଭାପତି ବିଶ୍ବଜିତ ନାୟକ, ବ୍ଲକ ବିଜେଡ଼ି ଯୁବ ସଭାପତି ରମେଶ ସ୍ୱାଇଁ, ସାଧାରଣ ସମ୍ପାଦକ ଲଲି ପଟ୍ଟନାୟକ, ବାବୁନି ମହାନ୍ତି, ଭାଗି ମାଛ, ମୁନା ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର