ଦଳୀୟ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ବୟାନକୁ ନେଇ ଚର୍ଚ୍ଚା, ‘ମୁଁ ସମୟ ଦେଇପାରୁନି; ପୁଅକୁ ସେବା କରିବାର ସୁଯୋଗ ଦିଅ’

କେନ୍ଦ୍ରାପଡ଼ା/ଚାନ୍ଦୋଳ: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ୨୦୨୩ରେ ସବୁ ପ୍ରତୀକ୍ଷାରେ ଅନ୍ତ ହେବ ବୟାନ ଆଉ ପୁଅ ଅରବିନ୍ଦ ନିର୍ବାଚନ ଲଢ଼ିବେ ବୋଲି ନିଜଆଡ଼ୁ ଖୋଲାଖୋଲି ଗଣମାଧ୍ୟମରେ କହିବାକୁ ନେଇ ଚର୍ଚ୍ଚା ଥମିନି। ଆଜି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍‌ ଦଳୀୟ କାର୍ଯ୍ୟକ୍ରମରେ ପୁଅ ସଂଜୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଯେଉଁଭଳି ବକ୍ତବ୍ୟ ରଖିଛନ୍ତି, ତାହା ପାଟକୁରା ରାଜନୀତିକୁ ସରଗରମ କରିଦେଇଛି।

ଡେରାବିଶ ବ୍ଲକ୍ ଚାନ୍ଦୋଳଠାରେ ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ବିଧାୟିକା କହିଛନ୍ତି ଯେ ‘ବୟସାଧିକ୍ୟ କାରଣରୁ ମୁଁ ସମୟ ଦେଇପାରୁନି। ପୁଅ ସଂଜୟ ନିର୍ବାଚନ ମଣ୍ଡଳୀ କଥା ବୁଝାସୁଝା କରୁଛି। ସ୍ବାମୀ ବେଦୁ ବାବୁ ଯେଭଳି ଆପଣମାନଙ୍କ ସେବା କରୁଥିଲେ‌; ପୁଅ ସଂଜୟ ବି ସେମିତି ସେବା କରିବ। ଆପଣମାନେ ପୁଅକୁ ସହଯୋଗ କରନ୍ତୁ।’  ପାଟକୁରା ନିର୍ବାଚନ ମଣ୍ଡଳୀରେ  ପୁଅର ଦାବିଦାରୀକୁ ନେଇ  ବିଧାୟିକାଙ୍କ ଏଭଳି ବକ୍ତବ୍ୟ ଠିକ୍ ସେତିକିବେଳେ ଆସିଛି; ଯେତେବେଳେ ବିଜୟ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଚଳିତ ବର୍ଷ ସବୁ ପ୍ରତୀକ୍ଷାରେ ଅନ୍ତ ହେବ କହି ପୁଅ ଅରବିନ୍ଦର ରାଜନେତୖକ ପ୍ରବେଶର ସଂକେତ ଦେବାକୁ ମାତ୍ର ୨୪ଘଣ୍ଟା ବିତିଛି। ଗତ ସାଧାରଣ ନିର୍ବାଚନରେ ମୁହାଁମୁହିଁ ଲଢ଼ିଥିବା ଏହି ଦୁଇ ନେତା  ପୁଅ ପାଇଁ ସାର୍ବଜନୀନ ସଭା ଜରିଆରେ ଏଭଳି କ୍ଷେତ୍ର ପ୍ରସ୍ତୁତ କରିବା ଘଟଣା ଆଗକୁ ପାଟକୁରା ରାଜନୀତିକୁ ଯେ ରୋଚକ ସ୍ଥିତିରେ ପହଞ୍ଚାଇବ, ତାହାର ସମ୍ଭାବନା ଏବେଠୁ ଜଳଜଳ ଦିଶିଲାଣି।
ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର, ପାଟକୁରା, ମାର୍ଶାଘାଇର ୫୧ଟି ପଂଚାୟତକୁ ନେଇ ଗଠିତ। ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ବିଧାୟିକାଙ୍କ ନେତୃତ୍ବରେ ଚାନ୍ଦୋ‌ଳରେ ଏହି କର୍ମୀ ସମାବେଶ ହୋଇଥିଲା।

ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟିକା ଶ୍ରୀମତୀ ଅଗ୍ରୱାଲଙ୍କ ସମେତ ପୁଅ ସଂଜୟ ଅଗ୍ରୱାଲ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ଗରଦପୁର ବ୍ଳକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।ଏହି ସମାବେଶ ଜରିଆରେ ବିଧାୟିକା ନିଜ ଶକ୍ତ ପ୍ରଦର୍ଶନ କରିବା‌ ସହିତ ଉଦ୍‌ବୋଧନ ଦେଇ କହିଥିଲେ ବାର୍ଧକ୍ୟଜନିତ କାରଣ ପାଇଁ ଆପଣମାନଙ୍କୁ ସମୟ ଦେଇପାରୁନାହିଁ। ପୁଅ ସଂଜୟ ସବୁ ବୁଝାସୁଝା କରୁଛି। ଆପଣମାନଙ୍କ ସୁଖଦୁଃଖରେ ସେ ସାମିଲ୍‌ ହେବ। ତେଣୁ ସ୍ବାମୀ ବେଦୁ ବାବୁଙ୍କ ଭଳି ପାଟକୁରାରର ବିକାଶ ପାଇଁ ପୁଅକୁ ସେବା କରିବାର ସୁଯୋଗ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ବିଧାୟିକା।

ସଂଜୟ ନିଜ ଉଦ୍‌ବୋଧନରେ ୨୩ବର୍ଷର ନବୀନ ଶାସନ ଉପରେ ଆଲୋକପାତ କରି କହିଥିଲେ ଯେ ବିଜେଡି ସରକାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହାର ସୁଫଳ ଶତପ୍ରତିଶତ ପାଇନାହାନ୍ତି। ଯେଉଁମାନେ ଏଥିରୁ ବଂଚିତ ହୋଇଛନ୍ତି, ସେମାନଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ଆମର ଦାୟିତ୍ବ। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ମୋ ଦୁଆର ସବୁବେଳେ ଖୋଲା ବୋଲି ସଂଜୟ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟ ମଂଚାସୀନ ଅତିଥି ଭାବେ ସୁଦିପ୍ତ ସାମଲ, ମନିନ୍ଦ୍ର ପ୍ରସାଦ ରଥ, ମଞ୍ଜୁବାଳା ଜେନା, ଭବାନୀ ପ୍ରସାଦ ଓଝା, ଦୀପକ ମହାପାତ୍ର, ଶ୍ରୀମନ୍ତ ରାଉତରାୟ, ଧନେଶ୍ବର ସେଠୀ, ଅରବିନ୍ଦ ମଳିକ, ସତ୍ୟାନନ୍ଦ ରାଉତ ପ୍ରମୁଖ ସରକାରଙ୍କ ସଫଳତା ଓ ମହିଳା ସଶକ୍ତୀକରଣ ଉପରେ ଆଲୋକପାତ କରିଥିଲେ। ଏହି ସଭାକୁ ବ୍ଲକ ଆତ୍ମା ଅଧ୍ୟକ୍ଷ ଗଣେଶ୍ବର ବେହେରା, ଦେବରାଜ ମହାପାତ୍ର ପରିଚାଳନା କରିଥିବା ବେଳେ ମେଜର ଭରତ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର