ରାଉରକେଲା: ପାଞ୍ଚ ବର୍ଷ ହେଲା ଆମ ବସ୍ତିର କ’ଣ ଖବର ରଖିଛନ୍ତି? ଯଦି ନିଜେ ଆସି ପାରିଲେନି, ତା’ହେଲେ କାହା ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରାଇଛନ୍ତି? କେଉଁଠି କାମ କରିଛନ୍ତି ଦେଖାଇ ପାରିବେ କି? ଚିକିତ୍ସା ନ ପାଇ ରୋଗାଗ୍ରସ୍ତ ଗରିବ ଲୋକ ଖଟରେ ପଡ଼ିରହିଛି, ସେମାନଙ୍କ କଥା କେବେ ବୁଝିଛନ୍ତି କି? ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ଏଭଳି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ନିଜ ନିର୍ବାଚନମଣ୍ଡଳୀ ଗସ୍ତବେଳେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଧାୟକ। ବର୍ଷବର୍ଷ ଧରି ସୁବ୍ରତଙ୍କ ଅନୁପସ୍ଥିତି ହିଁ ଏଭଳି ଜନଆକ୍ରୋଶର ପ୍ରମୁଖ କାରଣ ପାଲଟିଛି। ଏହି ଘଟଣାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି।

ରବିବାର ଦିନ ୧୦ଟାରେ ବିଧାୟକ ତରାଇ ଦଳୀୟ କର୍ମୀଙ୍କ ସହ ଗୋଲଘର କବିସମ୍ରାଟପଲ୍ଲୀ ବସ୍ତିକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା, ବସ୍ତିରେ ଡ୍ରେନ୍‌ ନିର୍ମାଣ ପାଇଁ ଶିଳାନ୍ୟାସ କରିବା। ତେବେ ବିଧାୟକ ବସ୍ତିରେ ପହଞ୍ଚିବା ମାତ୍ରେ ସ୍ଥାନୀୟ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଘେରି ଯାଇଥିଲେ।

ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ଗତ ୫ ବର୍ଷର ହିସାବ ମାଗିଥିଲେ। କି କି ପ୍ରକଳ୍ପ କରିଛନ୍ତି? ଅଞ୍ଚଳବାସୀଙ୍କୁ ମୌଳିକ ସେବାରୁ କାହିଁକି ବଞ୍ଚିତ ରଖାଯାଇଛି? ଆଦି ବିଭିନ୍ନ ପ୍ରଶ୍ନ କରିଥିଲେ। ବିଶେଷକରି ପାଣି, ରାସ୍ତା, ଡ୍ରେନ୍‌ ପାଇଁ ବିଧାୟକଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କିମ୍ବା ତାଙ୍କ ପ୍ରତିନିଧିଙ୍କ ଦର୍ଶନ ମିଳିନଥିବା ବସ୍ତିବାସୀ ଅଭିଯୋଗ କରିଥିଲେ। ବେଶ୍‌ କିଛି ସମୟଧରି ଏଭଳି ସ୍ଥିତି ଲାଗି ରହିଥିଲା।

ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଥିବା ନେଇ ବିଧାୟକ କହିବା ସହ ଯଥାଶୀଘ୍ର ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ଦ୍ଧାରିତ ସମୟଠାରୁ ଯଥେଷ୍ଟ ବିଳମ୍ବରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ସମଗ୍ର ଘଟଣାର ପାଖାପାଖି ୫ ମିନିଟ୍‌ର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ହ୍ବାଟ୍‌ସଆପ୍‌, ଫେସ୍‌ବୁକ, ଟ୍ବିଟର ଆଦିରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇ ସହରରେ ଚର୍ଚ୍ଚାର ଖୋରାକ୍‌ ପାଲଟିଛି। ଉଲ୍ଲେଖଯୋଗ୍ୟ, ସେକ୍ଟର-୫ ଗୋଲଘର ଅଞ୍ଚଳରେ ଏକାଧିକ ବସ୍ତି ରହିଛି। ତେବେ ଏହି ଅଞ୍ଚଳ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ହୋଇ ନଥିବାରୁ ରାଜ୍ୟ ସରକାରଙ୍କ ସୁବିଧାସୁଯୋଗ ମିଳିପାରୁ ନାହିଁ।

ଯଦିଓ ଏହି ଅଞ୍ଚଳ ଆର୍‌ଏସ୍‌ପି ଅଧିନସ୍ଥ, ତଥାପି କାରଖାନା ପକ୍ଷରୁ ବିକାଶମୂଳକ କାର୍ଯ୍ୟ କରାଯାଉ ନାହିଁ। ଅଞ୍ଚଳରେ ରାସ୍ତା, ଡ୍ରେନ୍‌ ନିର୍ମାଣ ହେଉ ନଥିବାବେଳେ ପାନୀୟ ଜଳ ଯୋଗାଣ ବି ସମ୍ଭବ ହେଉନି। ଏନେଇ ବସ୍ତିବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଯାଇଥିଲେ ମଧ୍ୟ ବିଧାୟକ ନଥିବାରୁ ଦୁଃଖ ଜଣାଇପାରି ନଥିଲେ। ଫଳରେ ଦୀର୍ଘଦିନ ହେଲା ଜନ ଅସନ୍ତୋଷ ଲାଗି ରହିଥିଲା।