ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ଲାଗି ରହିଥିବା ଅଜଣା ରୋଗର ଆତଙ୍କ ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ। ଏହି ଗ୍ରାମରେ ୮ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବହୁ ଲୋକ ଏବେ ବି ରୋଗାକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଗ୍ରାମକୁ ଘନ ଘନ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ସୁଅ ଛୁଟିଛି। ଲୋକଙ୍କୁ ଆଶ୍ବାସନା ଦେଇ ସମସ୍ତେ ଫେରିଛନ୍ତି। ତେବେ ଏହି କ୍ରମରେ ନଗରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ହଳଦୀକୁଣ୍ଡ ଗସ୍ତରେ ଯାଇ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ଦୁଃଖରେ ଦୁଃଖୀ ହୋଇଥିଲେ। ନିଜ ନିଜ ଆତ୍ମୟୀଙ୍କୁ ହରାଇ ଲୋକେ ଏକ ପ୍ରକାର ଭାଙ୍ଗି ପଡିଥିବା ବେଳେ ସାଂସଦ ଶ୍ରୀ ମାଝୀ ସେମାନଙ୍କୁ ଆଶ୍ବାସନା ଦେଇଥିଲେ। ଯେପରି ଅନ୍ୟ ରୋଗୀ ଉପଯୁକ୍ତ ଚିକିତ୍ସା ପାଇବେ ସେନେଇ ପ୍ରଶାସନକୁ ତାଗିଦ କରିଥିଲେ। ଗ୍ରାମରେ ସମସ୍ତ ସୁବିଧା ପହଞ୍ଚାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଲୋକଙ୍କ ମଧ୍ୟରେ ଲାଗି ରହିଥିବା ଭୟକୁ ଦୁର କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘସମୟ ଧରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।
ଦୁର୍ଗମ ହଳଦୀକୁଣ୍ଡ ଗ୍ରାମକୁ କେବେ ମଧ୍ୟ କୌଣସି ବିଧାୟକ କିମ୍ବା ସାଂସଦ ଆସିନଥିଲେ। ତେବେ ଏହି ରୋଗ ଆଜି ସେମାନଙ୍କୁ ଆସିବାକୁ ବାଧ୍ୟ କରିଛି। ପରେ ସାଂସଦ ଶ୍ରୀ ମାଝୀ ଦୁର୍ଗମ ଟେମରୁପାଲୀ ପହଞ୍ଚି ନକ୍ସଲ ପ୍ରବଣ ତୁଳସୀ ପାହାଡ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଭେଟିଥିଲେ। ସେହି ଅଞ୍ଚଳରେ ବିକାଶକୁ କିପରି ତ୍ବରାନ୍ବିତ କରାଯିବ ସେନେଇ ଆଲୋଚନା କରିଥିଲେ। ସେହି ଅଞ୍ଚଳରେ ବିଶେଷକରି ରାସ୍ତା, ପାନୀୟ ଜଳ, ବ୍ରିଜ ଏବଂ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ନେଇ ତୁଳସୀ ପାହାଡ ଅଞ୍ଚଳର ଲୋକେ ସାଂସଦ ନିକଟରେ ଦାବି କରିଥିଲେ। ଏଥିସହ ଏକ ସିଏଚସି ଏହି ଅଞ୍ଚଳରେ ନିର୍ମାଣ ହେଲେ ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକେ ଉପକୃତ ହେବେ ବୋଲି କହିଥିଲେ। ତେବେ ସାଂସଦ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଗସ୍ତ ବେଳେ ମାଥିଲି ବ୍ଲକର ଅଧ୍ୟକ୍ଷ ମହେଶ କୁମାର ବାକା, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀପ୍ରିୟା ନାୟକ, ସସ୍ମିତା ମାଝୀ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ମଦନ ଖିଲ ଓ ଭୀମ ନାୟକ, ଉଦୟ ମାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।