ମନରେଗା ଯୋଜନା: ଗଞ୍ଜାମ ୯ ମାସରେ ୩୫୨.୮୯ କୋଟି ଖର୍ଚ୍ଚ

 ୫୪୧୩୯ ପ୍ରକଳ୍ପ ମଧ୍ୟରୁ ୧୫୪୨୧ ପ୍ରକଳ୍ପ ସଂପୂର୍ଣ୍ଣ

ଛତ୍ରପୁର : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ ୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ୯ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲା ୩୫୨ କୋଟି ୮୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୫୪ ହଜାର ୧୩୯ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ଏବେ ସୁଦ୍ଧା ୧୫ ହଜାର ୪୨୧ ଟି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବାକି ସମସ୍ତ ପ୍ରକଳ୍ପ କାର୍ଯ୍ୟ ନିର୍ମାଣଧୀନ ରହିଛି। ମନରେଗାରେ ଜିଲ୍ଲାରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ପ୍ରକଳ୍ପ ଯଥା, ରାସ୍ତା, ପାର୍କ, ଗାଇଗୁହାଳ, ଛେଳି ଗୁହାଳ, କୁକୁଡା ଫାର୍ମ, ଜିଆ ଖତ, ଗୋବର ଖତ, ଗ୍ରାମୀଣ ପାଠାଗାର, ଆଦର୍ଶ ପୋଖରୀ, ଚେକ୍ ଡ୍ୟାମ୍, ଖେଳ ପଡିଆ, ଶ୍ମଶାନ ଓ ଜମି ସମତୁଲ ଆଦି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣ କରିବାକୁ ହାତକୁ ନିଆଯାଇଥିଲା। ସେହିପରି ୨୦୨୦ ଅପ୍ରିଲ ଠାରୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨ କୋଟି ୧୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ୯ମାସରେ ଆଜି ସୁଦ୍ଧା ୧ କୋଟି ୬୧ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି। ଏଥିସହ ୨୭ ହଜାର ୯୫୮ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। କରୋନା ମହାମାରୀରେ ଯେଉଁ କାର୍ଯ୍ୟ ଗୁଡିକରେ ବାଧା ସୃଷ୍ଟି ହୋଇଥିଲା ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ହେଲା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ଯୋଜନାର ସମସ୍ତ ପ୍ରକଳ୍ପ କାର୍ଯ୍ୟ ଏବଂ ଶ୍ରମ ଦିବସ ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର