ଜୟପୁର: ସହରବାସୀଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥ ସାଗର ୩୦୦ ଏକରର ପରିଧିର ସାଗର ଧିରେ ଧିରେ ସଂକୁଚିତ ହେବା ସହ ପଙ୍କ, ସହରର ନାଳନର୍ଦ୍ଦମା ମାଟିରେ ପୋତି ହୋଇଯାଇଛି। ସହରବାସୀଙ୍କ ସ୍ବାଭିମାନ ସହ ଜଡ଼ିତ ୧୯ଟି ସାହି, ୧୦ରୁ ଉର୍ଦ୍ଧ୍ବ ବସ୍ତିବାସିନ୍ଦା ନିର୍ଭରଥିବା ଏହି ଜଳାଶୟର ପୁନଃରୁଦ୍ଧାର ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରି ସାଗରକୁ ପୁର୍ଣ୍ଣାଙ୍ଗ ସାଗରରେ ପରିଣତ କରାଯାଉ ବୋଲି ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ଆଜି ଟ୍ରଷ୍ଟ ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ବାରିଗେଡା ଚନ୍ଦ୍ର ଶେଖର ରାଓ, ନିରଂଜନ ପାଣିଗ୍ରାହୀ, ରଘୁଦାସ ତ୍ରିପାଠୀ, ସତୀଶ ନନ୍ଦ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ।

Advertisment

ଗତ ଦିନରେ ଟ୍ରଷ୍ଟ ଓ ୧୯ଟି ସାହି ପକ୍ଷରୁ ଏହି ଦାବି ହେବା ଏବଂ ଏନଜିଟିରେ ମାମଲାର ଶୁଣାଣୀ କରି ନିର୍ଦ୍ଦେଶ ଦେବା ପରେ ସଂପ୍ରତି ପୌରପାଳିକା ପକ୍ଷରୁ ଦଳ ସଫା ଓ ପାଣି ନିଷ୍କାସନ୍ ଆରମ୍ଭ ହୋଇଛି। ତେବେ ସାଗରର ପରିଧିକୁ ମତ୍ସ୍ୟ ବିଭାଗ, କ୍ଷୁଦ୍ରଜଳସେଚନ ବିଭାଗ, ପର୍ଯ୍ୟଟନ ବିଭାଗ, ପୌରସଂସ୍ଥା ଅଧିନରେ ଥିବା ସାଗରର ଅନଧିକାର ଅତିକ୍ରମଣ କରାଯାଇଥିବା ଅଂଶ ଗୁଡିକୁ ଗୋଟିଏ ବିଭାଗ ଅଧିନରେ ଏକାଠି କରି ପୂର୍ଣ୍ଣାଙ୍ଗ ଜଗନ୍ନାଥ ସାଗର ତିଆରି କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି ହୋଇଛି। ସେଭଳି ସାଗରର ଜମିକୁ ଅନଧିକାର (ଜବରଦଖଲ) କରି ରହୁଥିବା ଅସହାୟ ପରିବାରକୁ ଥଇଥାନ ସରକାରଙ୍କ ପକ୍ଷରୁ କରାଯାଉ ବୋଲି ଦାବି କରାଯାଇଛି। ସେଭଳି କିଛି ଲୋକେ ସାଗରର ଜମିକୁ ଜବରଦଖଲ କରିଥିବାରୁ ତାହାକୁ ବି ଉଛେଦ କରିବାକୁ ଦାବି କରାଯାଇଛି। ଏହା ହେବା ଦ୍ବାରା ସାଗରର ତାହାର ପୂର୍ବ ଗର୍ବ ଓ ଗୌରବ ଫେରି ପାଇବ ବୋଲି ଏମାନେ ଉଲ୍ଲେଖ କରିଛନ୍ତି।

ସହରବାସୀଙ୍କ ଅନୁରୋଧକୁ ରକ୍ଷା କରି ରାଜ୍ୟସରକାର ଦେଇଥିବା ଅନୁଦାନରେ କରାଯିବାକୁ ଥିବା କିମ୍ବା ଆଗାମୀ ଦିନରେ ପୁନଃରୁଦ୍ଧାର ପାଇଁ ହେବାକୁ ଥିବା ଅନୁଦାନ ଓ ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟକୁ ସାର୍ବଜନୀନ କରି ପ୍ରଶାସନ ନିଜର ସ୍ବଚ୍ଛତା ପ୍ରମାଣିତ କରୁ ବୋଲି ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ଏହାର ନକଲ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଲ୍ଲାପାଳ, ୫ଟି ଅଧ୍ୟକ୍ଷ, ମୁଖ୍ୟଶାସନ ସଚିବ, ଜଳନବୀକରଣ ବିଭାଗ ନିର୍ଦ୍ଦେଶକ, ବିଧାୟକ, ସାଂସଦଙ୍କୁ ଦିଆଯାଇଛି। ପ୍ରକାଶଯୋଗ୍ୟ, ପୌରପାଳିକା ପକ୍ଷରୁ ବ୍ରହ୍ମପୁର ବିଏମସିର ଅକ୍ବାଟିକ୍ ୱିଡ୍ ହାର୍ଭେଷ୍ଟିଙ୍ଗ ମେସିନ୍ ଓ ପ୍ରୋକଲିନ୍ ସହଯୋଗରେ ଦଳ ବାହାର କରିବା ସହ ସ୍ପିଲ୍ ୱେରେ ପାଣି ଛାଡ଼ିବା ଆରମ୍ଭ ହୋଇଛି।