ଘୁମୁସର ଉଦୟଗିରି: ସମସ୍ୟା ଘେରରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ। ଯୋଗାଯୋଗ, ପାନୀୟଜଳ ଏବଂ ରାସ୍ତା ସମସ୍ୟାରେ ଉବୁଟୁବୁ ଏହି ପଞ୍ଚାୟତବାସୀ। ଅଭିଯୋଗ କଲେ କେହି ଶୁଣୁନଥିବା ପ୍ରକାଶ କରି ମଙ୍ଗଳବାର ଏକ ଶାନ୍ତିପୂର୍ଣ୍ଣ ନିରବ ଶୋଭାଯାତ୍ରାରେ ରଟିଙ୍ଗିଆ ପଞ୍ଚାୟତବାସୀ ଘୁମୁସର ଉଦୟଗିରି ସହର ପରିକ୍ରମା କରି ବିଡ଼ିଓ ଏବଂ ତହସିଲଦାରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ ରଟିଙ୍ଗିଆ ଅଞ୍ଚଳବାସୀଙ୍କ ନିମନ୍ତେ ୪ଜି ମୋବାଇଲ୍ ନେଟୱର୍କ ସାତ ସପନ। ୨୦୧୭ ମସିହାରୁ ପଞ୍ଚାୟତବାସୀ ବିଭିନ୍ନ ପ୍ରଶାସନିକ ସ୍ତରରେ ଉଭୟ ଲିଖିତ ଓ ମୌଖିକ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ବିଭିନ୍ନ ଅନଲାଇନ୍ କାର୍ଯ୍ୟ ହେଉ କି ଅନଲାଇନ୍ ପାଠ ପଢ଼ା ହେଉ କିମ୍ବା ସରକାରୀ କାର୍ଯ୍ୟ ହେଉ ରଟିଙ୍ଗିଆବାସୀଙ୍କ ପାଇଁ ଏକ ଚିନ୍ତାର ବିଷୟ।
ତେବେ ଗତ କିଛି ଦିନ ହେବ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଏକ ହଜାର ଟଙ୍କା ମୋବାଇଲ ନେଟୱର୍କ ସମସ୍ୟା ପାଇଁ ଦେଇ ପାରି ନଥିବା ବେଳେ ସାମୁହିକ ଚିନ୍ତା ପ୍ରକଟ କରି ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀମନୋଜ କୁମାର ଦେବତାଙ୍କୁ ଓ ତହସିଲଦାର ରଞ୍ଜନ କୁମାର୍ ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କର ଦାବି ହେଲା। ଏହି ପଞ୍ଚାୟତରେ ୧୪ଟି ୱାର୍ଡରେ ୧୦ ଖଣ୍ଡ ଗାଁ ରହିଛି। ଏହି ଅଞ୍ଚଳ ପାଇଁ କେବଳ ଗୋଟିଏ ମାତ୍ର ବିଏସଏନଏଲ ଟାୱାର ଥିବାବେଳେ ତାହା କେବଳ ୨ଜିରେ ହିଁ କାମ କରୁଅଛି ।ଏହା କୌଣସି କାମରେ ଆସୁନ ଥିବା ବେଳେ ଅଧିକାଂଶ ସମୟରେ ନେଟୱାର୍କ ରହୁନାହିଁ, ଯାହା ଫଳରେ ସରକାରଙ୍କ ସାଧାରଣ ବଣ୍ଟନରେ ଯଥା ଚାଉଳ ବଣ୍ଟନ ଓ ଅନ୍ୟାନ୍ୟ ଅନଲାଇନ କାର୍ଯ୍ୟ ପାଇଁ ବାଧା ସୃଷ୍ଟି ହେଇଅଛି। ଏହି ସମସ୍ତ ଅସୁବିଧାକୁ ଅନୁଭବ କରି ଅନେକ ଥର ଜିଲ୍ଲାପାଳ କନ୍ଧମାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ସୁଧା କୌଣସି ସୁଫଳ ମିଳୁନାହିଁ। ବର୍ତ୍ତମାନ ଡିଜିଟାଲ ଯୁଗରେ ଛୋଟିଆ ଅନଲାଇନ କାମ ପାଇଁ ମଧ୍ୟ ୮ କି.ମି. ଦୂରକୁ ଯିବାକୁ ପଡୁଛି। ଏହା ସହିତ ବିଭିନ୍ନ ସମୟରେ ଅନଲାଇନ କାମରୁ ବଞ୍ଚିତ ହେଉଅଛୁ। ଏହି ଅଞ୍ଚଳରେ ଗୋଟିଏ ୪ଜି ନେଟୱର୍କ ସ୍ଥାପନ ହେଲେ ବିଭିନ୍ନ ଅନଲାଇନ କାର୍ଯ୍ୟରେ ଉପକୃତ ହେବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ।
ଅନ୍ୟ ଏକ ସମସ୍ୟା ହେଉଛି ରଟିଙ୍ଗିଆ ପଞ୍ଚାୟତରେ ବସୁଧା ଯୋଜନାରେ ଟାଙ୍କି ସ୍ଥାପନ କରାଯାଇ ପାଇପ ମଧ୍ୟ ସଂଯୋଗ କରାଯାଇଛି। ହେଲେ ଆଜକୁ ଏକ ବର୍ଷ ବିତିଗଲାଣି ଅଥଚ ଆର.ପଡିକିଆ, ଧାଙ୍ଗାଡାମାହା, ସାରଙ୍ଗଧରପୁର, ଝିମାଙ୍ଗିଆ, ଜେ ପଡିକିଆ, ଡକେଡି, ମଗରଗୁଡା, ସରୁସିନାଙ୍ଗିଆ ଓ ରଟିଙ୍ଗିଆ ଗ୍ରାମରେ ପାନୀୟଜଳର ସୁବ୍ୟବସ୍ଥା ହୋଇପାରିନାହିଁ, ଯାହାଫଳରେ ଅନେକ ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିଭଳି ଶ୍ରୀରାମପଦା ଠାରୁ ଭାୟା ଗ୍ରେସିଙ୍ଗିଆକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସଂଯୋଗ ହୋଇଥିବା ମୁଖ୍ୟ ସଡ଼କ ଖାଲଖମା ହୋଇପଡିଥିବା ବେଳେ ଲୋକମାନେ ଓ ଗର୍ଭବତୀ ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସହଜରେ ଯାତାୟତରେ ବାଧା ସୃଷ୍ଟି ହେଉଅଛି।ଉକ୍ତ ବିଷୟକୁ ହୃଦୟଙ୍ଗମ କରି ରଟିଙ୍ଗିଆ ଗ୍ରାମ ପଞ୍ଚାୟତବାସୀ ଆଜି ଶହଶହ ଜନସାଧାରଣ ପ୍ଲାଗ କାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବରେ ରାଲି କରି ବିଡିଓ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିବା ସୂଚନା ରହିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦାବି ପୁରଣ ନହୁଏ। ତେବେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବିଷ୍ଣୁ ଦେବ ପ୍ରଧାନ, ଉପାଧ୍ୟକ୍ଷ ଏନ୍ ଲୁକ, ସମେତ ଅନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।