ବନ୍ଧୁକ ଦେଖାଇ ଯୁବତୀଙ୍କ ନିକଟରୁ ମୋବାଇଲ ଲୁଟିଲେ ଦୁର୍ବୃତ୍ତ

ସୋର: ବାଲେଶ୍ବର ଜିଲ୍ଲା ସୋର-କୁପାରି ରାସ୍ତା ହେଁସଗୁଡା ଛକ ନିକଟରୁ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ମୋବାଇଲ ଲୁଟି ନେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ସୋର ବ୍ଲକ ଆଟପୁର ଗ୍ରାମର ବୃନ୍ଦାବନ ପତିଙ୍କ ଝିଅ ସସ୍ମିତା ନଦୀଗାଁସ୍ଥିତ ଫେଡେରାଲ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ କାମ ସାରି ସାଇକେଲ ଯୋଗେ ମଧ୍ୟାହ୍ନରେ ଘରକୁ ଫେରିବା ବେଳେ ହେଁସଗୁଡ଼ା ନିକଟରେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସି ତାଙ୍କୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ମାଗିଥିଲେ। ସସ୍ମିତା ଚିତ୍କାର କରିବାରୁ ଦୁର୍ବୃତ୍ତଦ୍ବୟ ତାଙ୍କଠୁ ମୋବାଇଲ ଛଡ଼ାଇ ନେଇ ତୁରିଗଡ଼ିଆ ଅଭିମୁଖେ ପଳାଇଥିଲେ। ସସ୍ମିତା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ସୋର ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ସୋର ଅଞ୍ଚଳରୁ ଗତକାଲି ଦୁଇ ପରିବା ବ୍ୟବସାୟୀଙ୍କୁ ନିଶା ଦେଇ ଲୁଟ କରାଯାଇଥିବା ବେଳେ ଆଜି ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କ ନିକଟରୁ ମୋବାଇଲ ଲୁଟ କରିଛନ୍ତି ଦୁର୍ବୃତ୍ତ। ପୁଲିସ ନିଜ ଦାୟିତ୍ବ ଠିକ ଭାବେ ସମ୍ପାଦନ କରୁନଥିବାରୁ ଅପରାଧିକ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର