ଚନ୍ଦ୍ରପୁରରେ କେବେ ସ୍ବାଭାବିକ ହେବ ମୋବାଇଲ୍ ସେବା?

ବିଚ୍ଛିନ୍ନାଞ୍ଚଳ କଷ୍ଟ ଭୋଗୁଛନ୍ତି ୨୯ ହଜାର ଲୋକ

ରାୟଗଡ଼ା : ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଚନ୍ଦ୍ରପୁର ବ୍ଲକର ବିକାଶରେ ବାଧକ ସାଜିଛି ମୋବାଇଲ୍ ନେଟୱର୍କ ସମସ୍ୟା। ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଅଭିଯୋଗ, ମନ୍ତ୍ରୀ-ସାଂସଦ-ବିଧାୟକଙ୍କୁ ହାରି ଗୁହାରି ସତ୍ତ୍ବେ ସ୍ବାଭାବିକ ହୋଇପାରୁନି ମୋବାଇଲ୍ ସେବା। ଫଳରେ ୮ଟି ପଞ୍ଚାୟତର ୨୯ ହଜାର ଲୋକ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟାଙ୍କିଂ ଓ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭଳି କଷ୍ଟ ଜୀବନ ବିତାଉଛନ୍ତି।

ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଭାବେ ପରିଚିତ ଚନ୍ଦ୍ରପୁର। ଜିଲ୍ଲା ସଦର ମହକୁମାରୁ ୧୨୦ କିମି ଦୂରରେ ଥିବା ଏହି ବ୍ଲକ୍ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସାବତ ପୁଅ ନ୍ୟାୟରେ ଅବହେଳିତ ହୋଇ ଚାଲିଛି। ସରକାର ଡିଜିଟାଲ୍ ଇଣ୍ଡିଆର ପରିକଳ୍ପନା କରି ସବୁ କିଛି ଅନଲାଇନ୍ ଜରିଆରେ କରିବାକୁ ନିଷ୍ପତ୍ତି ନେଲେଣି। ହେଲେ ଡିଜିଟାଲ୍ ଇଣ୍ଡିଆ ଯୋଜନାର ଯୋଜନ ଯୋଜନ ଦୂରରେ ରହିଛି ଚନ୍ଦ୍ରପୁର। ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକର ସମସ୍ତ ଅଞ୍ଚଳ ଅନୁନ୍ନତ। ଅଧିକାଂଶ ଗାଁକୁ ରାସ୍ତା, ବିଦ୍ୟୁତ୍, ସ୍ବାସ୍ଥ୍ୟ ସେବା ଆଜି ବି ସାତ ସପନ। ବ୍ଲକର ଶିକ୍ଷାହାର ୩୮.୯ ପ୍ରତିଶତ ଥିବା ବେଳେ ମୋଟ ୨୮ ହଜାର ୯୫୨ ଲୋକଙ୍କ ମଧ୍ୟରୁ ୧୯ ହଜାର ୯୪୩ ଅଶିକ୍ଷିତ। ଏକଦା ମାଓବାଦୀଙ୍କ ଗଡ଼ ଥିବା ଚନ୍ଦ୍ରପୁରରେ ସିଆରପିଏଫ୍ ଯବାନ ମୁତୟନ ପରେ ବିକାଶର ମୁଖ୍ୟସ୍ରୋତକୁ ଫେରୁଛି ଏହି ବ୍ଲକ୍। ପ୍ରତି ପଞ୍ଚାୟତ ସଦର ମହକୁମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଯୋଡ଼ି ହେବା ପରେ ମୁନିଗୁଡ଼ା-ଚନ୍ଦ୍ରପୁର ରାସ୍ତାର ରୂପ ମଧ୍ୟ ବଦଳିବାରେ ଲାଗିଛି। ହନୁମନ୍ତପୁରରୁ ଚନ୍ଦ୍ରପୁର ରାସ୍ତା କାମ ସଂପୂର୍ଣ୍ଣ ହେବାକୁ ବସିଥିବା ବେଳେ ତେଲେଙ୍ଗାପଦର-ଡାଙ୍ଗସୋରଡ଼ା ରାସ୍ତାର ପ୍ରଶସ୍ତିକରଣ ଚାଲିଛି। ସବୁ କିଛି ପର୍ଯ୍ୟାୟକ୍ରମେ ଉନ୍ନତିର ସ୍ରୋତରେ ସାମିଲ୍ ହୋଇଥିବା ବେଳେ ହେଲେ ଦଶନ୍ଧି ଦଶନ୍ଧି ଲାଗି ରହିଥିବା ମୋବାଇଲ୍ ନେଟୱର୍କ ସମସ୍ୟା କିନ୍ତୁ ବ୍ଲକରୁ ଦୂର ହୋଇପାରୁନି। ବ୍ଲକର ୮ ପଞ୍ଚାୟତରୁ ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମା, ହନ୍ତୁମନ୍ତପୁର, ଟୁରିଗୁଡ଼ା ଓ ଡାଙ୍ଗସୋରଡ଼ାରେ ମୋବାଇଲ୍ ସେବା ଉପଲବ୍ଧ ଅଛି। ବିଏସଏନ୍ଏଲ୍ ପକ୍ଷରୁ ଏହି ୪ ପଞ୍ଚାୟତରେ ଟାୱାର୍ ସ୍ଥାପନ ହୋଇଛି। ହେଲେ ମାସର ୩୦ ଦିନରୁ ୨୫ ଦିନ ବିଦ୍ୟୁତ୍, ସିଗନାଲ୍, ଫାଇବର୍ ତାର କଟିବା ସମସ୍ୟା ଯୋଗୁ ମୋବାଇଲ୍ କାମ କରୁନି। ଅନ୍ୟ ୪ଟି ପଞ୍ଚାୟତ ବିଜାପୁର, ସାରିକିମା, ବୁଡ଼ିବାଲି, ପ୍ରିସ୍କାପାଙ୍ଗା କଥା ନ କହିବା ଭଲ। ଦେଶ ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏହି ଅଞ୍ଚଳବାସୀଙ୍କ ପାଇଁ ମୋବାଇଲ୍ ସେବା ସ୍ବପ୍ନ ହୋଇ ରହିଛି। ବ୍ଲକରେ ୨୦ ହଜାର ୭୭୨ ଆଦିବାସୀ, ୩ ହଜାର ୪୧୯ ଅନୁସୂଚିତ ଜାତି ସଂପ୍ରଦାୟର ଲୋକ ଅଛନ୍ତି। ୮୦ ପ୍ରତିଶତ ସାମାଜିକ ଅର୍ଥନୈତିକ ବିକାଶରୁ ବହୁ ଦୂରରେ। ୮ ହଜାର ୬୧୬ ଲୋକ ଦାଦନ, ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ୧୪ ହଜାର ୫୬୮ ଲୋକ କିଛି କାମ ନ କରି ବେକାର ହୋଇ ଘରେ ବସି ରହିଛନ୍ତି। ସରକାରୀ ସୁବିଧା ସୁଯୋଗ ପାଇଁ ଏମାନେ ହକଦାର ଥିଲେ ମଧ୍ୟ ମୋବାଇଲ୍ ନେଟୱର୍କ ନଥିବାରୁ ସବୁଥିରୁ ବଞ୍ଚିତ ‌ହୋଇ ଆସୁଛନ୍ତି। ୧୦୮ ଆମ୍ବୁଲାନସ୍ ସେବା ଠପ୍ ହୋଇ ପଡିଥିବା ବେଳେ ସରକାରୀ ଅଧିକାରୀ, ଡାକ୍ତର ଓ ଅନ୍ୟ ବିଭାଗୀୟ କର୍ମଚାରୀ ହେଡ୍ କ୍ବାର୍ଟରରେ ରହିବାକୁ ଇଚ୍ଛା କରୁନାହାନ୍ତି। ଅଧିକାଂଶ କ୍ଷେତ୍ର ପରିଦର୍ଶନ ନାଁରେ ମୋବାଇଲ୍ ସୁଇଚ୍ ଅଫ୍ କରି ବାହାରେ ରହୁଛନ୍ତି। ଆଦିବାସୀ ଅଧ୍ୟୁଷିତ, ମାଓ ପ୍ରବଣ ଅଞ୍ଚକଳୁ ବିକାଶର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମୋବାଇଲ୍ ଟାୱାର୍ ପ୍ରତିଷ୍ଠା କରିବାକୁ ସରକାରଙ୍କ ନିର୍ଦେଶ ରହିଛି। ହେଲେ ରାଜ୍ୟ ସରକାର-ବିଏସଏନ୍ଏଲ୍ କର୍ତ୍ତୃପକ୍ଷ ଏଥି ପ୍ରତି କର୍ଣ୍ଣପାତ କରୁନଥିବାରୁ ଡିଜିଟାଲ୍ ଇଣ୍ଡିଆ ଯୁଗରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଉଛନ୍ତି ଚନ୍ଦ୍ରପୁରବାସୀ।

ସମ୍ବନ୍ଧିତ ଖବର