ଟାୱାର ବସାଇବାକୁ କହିି ଠକି ନେଲେ ୫୫ ହଜାର

ଆନନ୍ଦପୁର: ‘ତୁମ ଜମିରେ ମୋବାଇଲ ଟାୱାର ବସିବ। ମାସକୁ ମାସ ଟଙ୍କା ସହ ଜଣକୁ ନିଯୁକ୍ତି ମଧ୍ୟ ଦିଆଯିବ’। ଏହାଛଡ଼ା ଆହୁରି ଅନେକ ସୁବିଧା ମିଳିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବକଙ୍କଠାରୁ ୫୫ ହଜାର ଟଙ୍କା ଠକି ନେଇଛି ଏକ ଠକ ସଂସ୍ଥା। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ଯୁଗଳକିଶୋରପୁର ଗ୍ରାମରୁ। ଏହି ଗ୍ରାମର ଆଦିବାସୀ ଯୁବକ କାଶିନାଥ ସୋରେନଙ୍କୁ ଜାନୁଆରି ମାସରେ ଜଣେ ବ୍ୟକ୍ତି ଫୋନ୍‌ରେ ଯୋଗାଯୋଗ କରିଥିଲେ।

କାଶିନାଥଙ୍କ ଜମିରେ ଏୟାରଟେଲ କମ୍ପାନିର ଟାୱାର ବସାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସିକ୍ୟୁରିଟି ବାବଦକୁ ଟଙ୍କା ଜମା କରିବାକୁ କହିଥିଲେ। କାଶିନାଥ ସ୍ଥାନୀୟ ଜନସେବା କେନ୍ଦ୍ର ମାଧ୍ୟମରେ ତିନିଟି କିସ୍ତିରେ ଯଥାକ୍ରମେ ୧୦ ହଜାର ୭୦୦ ଟଙ୍କା, ୨୨ ହଜାର ୫୦୦ ଟଙ୍କା ଏବଂ ୨୨ହଜାର ୫୦୦ ଟଙ୍କା ମୋଟ ୫୫ ହଜାର ୭୦୦ ଟଙ୍କା ଜମା କରିଥିଲେ। ଟଙ୍କା ଜମା କରିବାର କିଛିଦିନ ପରେ ଏହା ଏକ ଠକ ସଂସ୍ଥା ବୋଲି କାଶିନାଥ ଜାଣିବାକୁ ପାଇଥିଲେ। ସେ ନିଜର ଟଙ୍କା ଫେରସ୍ତ କରିବାକୁ ଜିଦ୍ ଧରିବାରୁ ତାଙ୍କୁ ଏକ ଫର୍ମ ପୂରଣ କରି ପଠାଇବାକୁ କୁହାଯାଇଥିଲା।

ଏହା ପରଠାରୁ ଆଉ ଉକ୍ତ ସଂସ୍ଥାର ମୋବାଇଲ ଲାଗି ନଥିଲା। ଫଳରେ ବାଧ୍ୟ ହୋଇ କାଶିନାଥ ମାର୍ଚ୍ଚ ୨୩ ତାରିଖରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେତେବେଳେ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଏଭଳି ଅଭିଯୋଗ ସମ୍ପର୍କରେ କିଛି କରିହେବ ନାହିଁ ବୋଲି କହି କାଶିନାଥଙ୍କୁ ଫେରାଇ ଦେଇଥିଲେ। ଏ ସମ୍ପର୍କରେ ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ପଚାରିବାରୁ, ଘଟଣାର ତଦନ୍ତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର