ମାତିଲେ ଲୁଟେରା: ଦୁଇ ଦୋକାନରୁ ୧୪ ଲକ୍ଷର ମୋବାଇଲ୍ ଚୋରି 

ରାୟଗଡ଼ା: ରାୟଗଡ଼ା ସହରର ସାରଳା ଛକରେ ଥିବା ଦୁଇ ମୋବାଇଲ୍ ଦୋକାନରୁ ବୁଧବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଲୁଟେରାମାନେ ଦୋକାନ ପଛପାର୍ଶ୍ବ କାନ୍ଥ ଭାଙ୍ଗି ଭିତରେ ପଶି ୧୪ ଲକ୍ଷରୁ ଉର୍ଧ୍ବ ଟଙ୍କାର ମୋବାଇଲ୍ ଚୋରି କରି ନେଇଛନ୍ତି। ଆଜି ସକାଳେ ଦୋକାନ ମାଲିକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ତଦନ୍ତ ଜାରି ରଖିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା କୌଣସି ସୁରାକ୍ ପାଇ ପାରିନି।

ବୁଧବାର ରାତି ୯ଟାରେ ଜୟ ମା ସାରଳା ମୋବାଇଲ୍ ପଏଣ୍ଟ୍ ଓ କ୍ରିଷ୍ଣା ମୋବାଇଲ୍ ସେଲ୍ ପଏଣ୍ଟ୍ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ଲୁଟେରା ଦୋକାନ ପଛପାର୍ଶ୍ବ କାନ୍ଥରେ ଲାଗିଥିବା ଲୁହାଗ୍ରିଲକୁ ଗ୍ୟାସ କଟରରେ କାଟିବା ପରେ କାନ୍ଥ ଭାଙ୍ଗି ଦୋକାନ ଭିତରେ ପଶିଥିଲେ। ଦୁଇ ଦୋକାନର କାନ୍ଥକୁ ସମାନ ଢ଼ଙ୍ଗରେ ଭାଙ୍ଗି ଲୁଟେରା ଭିତରେ ପଶିବା ପରେ ଦୋକାନରେ ଥିବା ମୋବାଇଲ୍, ଚାର୍ଜର, ପାୱାର ବ୍ୟାଙ୍କ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ମା ସାରଳା ମୋବାଇଲ ଦୋକାନରୁ ୪.୫୦ ଲକ୍ଷର ମୋବାଇଲ୍ ଓ ସାମଗ୍ରୀ ଏବଂ କ୍ରିଷ୍ଣା ମୋବାଇଲ୍ ସେଲସ୍ ପଏଣ୍ଟରୁ ୯ ଲକ୍ଷରୁ ଉର୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ସକାଳେ ଦୋକାନ ଖୋଲିବା ପରେ ଚୋରି ସଂପର୍କରେ ଜାଣିବା ପରେ ପୁଲିସ୍ ସୂଚନା ଦେଇଥିଲେ ଦୋକାନ ମାଲିକ। ଖବର ପାଇ ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଓ ଟିମ୍ ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି। ଦୋକାନ ଏବଂ ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ୍ ଯାଞ୍ଚ କରି ଲୁଟେରାଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ଚୋରି ହୋଇଥିବା ଦୁଇ ଦୋକାନର ପଛପାର୍ଶ୍ବ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଲୁଟେରାମାନେ ବଡ଼ ଧରଣର ଚୋରି କରିବାରେ ସଫଳ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

 

ସମ୍ବନ୍ଧିତ ଖବର