ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳଷ୍ଟେସନ ରାଜ୍ୟର ସର୍ବପୁରାତନ ରେଳଷ୍ଟେସନ ଭାବେ ପରିଚିତ ।  କ୍ରମବର୍ଦ୍ଧିଷ୍ଣୁ ସହର ଓ ଲୋକସଂଖ୍ୟା ବୃଦ୍ଧି ପରେ ଏହି ଷ୍ଟେସନର  ବିକାଶ ଓ ନବକଳେବର ଆବଶ୍ୟକତା ରହିଛି । ଏଥିପାଇଁ ନୂତନ ଝାରସୁଗୁଡ଼ା ନିର୍ମାଣ ଯୋଜନାରେ ଝାରସୁଗୁଡ଼ା ରେଲୱେର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ ଉଦ୍ୟମରତ ଅଛନ୍ତି ।

Advertisment

ଝାରସୁଗୁଡ଼ା ଠାରେ ରେଳଷ୍ଟେସନର କାୟା ପରିବର୍ତ୍ତନ ସହିତ ନିର୍ମାଣ ହେବ ଅତ୍ୟାଧୁନିକ ରେଳଷ୍ଟେସନ । ଏଥି ସହିତ ସରବାହାଲ, ଚୌକିପଡ଼ା, ଘନଶ୍ୟାମ ହେମଲତା ବିଦ୍ୟାଳୟ ନିକଟରେ ତିନୋଟି ଓଭରବ୍ରିଜ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ସରବାହାଲ ଆରଓବି ନିର୍ମାଣାଧିନ ଥିବା ବେଳେ ଚୌକିପଡ଼ା ଠାରେ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଚୌକିପଡ଼ା ଆରଓବି ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଆର୍ଥିକ ସହାୟତା କରୁଥିବା ଜଣାଯାଇଛି । ସେହିପରି ରେଲୱେ ଜମିରେ ଥିବା ପୁରୁଣା ବସଷ୍ଟାଣ୍ଡ , ଶୁକ୍ରବଜାର ଠାରୁ ସରବାହାଲ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ, ରେଲୱେ କଲୋନୀର ବିକାଶ ତଥା ରେଳ ସଂପର୍କିତ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ବୁଧବାର ଦିନ ସର୍କିଟ ହାଉସ ଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉପସ୍ଥିତ ରହି ଓଭର ବ୍ରିଜ ନିର୍ମାଣ ତଥା ଅନ୍ୟାନ୍ୟ ରେଳ ବିଭାଗ କାର୍ଯ୍ୟର ସମୀକ୍ଷା କରିବେ। ସମୀକ୍ଷା ବୈଠକରେ ବିଭିନ୍ନ ରେଳ ଡିଭିଜନର ଅଧିକାରୀ, ରେଳ ବିଭାଗ ଯନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ଲାଇନ ବିଭାଗ ଯନ୍ତ୍ରୀ ତଥା ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।