ମୋଦୀ ସରକାର ଅମଳରେ ପ୍ରଗତି ଶିଖର ଛୁଇଁଛି: କେନ୍ଦ୍ରମନ୍ତ୍ରୀ

v

ରାଉରକେଲା: ‌ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଗତ ୯ ବର୍ଷର ଶାସନ ସମୟରେ ଭାରତ ପ୍ରଗତିର ଶିଖର ଛୁଇଁଛି। ଆଗାମୀ ଦିନରେ ଏହି ପ୍ରଗତି ଆହୁରି ବ୍ୟାପକ ଓ ତ୍ବରାନ୍ବିତ ହେବ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାବାସୀ ମଧ୍ୟ ବହୁଳଭାବରେ ଉପକୃତ ହୋଇଛନ୍ତି। ଦ୍ବିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ୍‌ ସୁପରସ୍ପେଶାଲିଟି ହସପିଟାଲ ଆଦି ଏକାଧିକ ପ୍ରକଳ୍ପ ନିର୍ମାଣକରି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରିଛନ୍ତି। ସଂପ୍ରତି ଏହି ସୁପରସ୍ପେଶାଲିଟି ହସପିଟାଲରେ ୫ ଜଣ ସୁପରସ୍ପେଶାଲିଷ୍ଟ୍‌ ଡାକ୍ତର ଥିବାବେଳେ ଖୁବଶୀଘ୍ର ଆଉ ୧୦ ଜଣ ସୁପରସ୍ପେଶାଲିଷ୍ଟ୍‌ ଡାକ୍ତର ଯୋଗଦେବେ। ଏହାଦ୍ବାରା କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ବରଂ ପଡ଼ୋଶୀ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଜନସାଧାରଣ ଉତ୍କୃଷ୍ଟମାନର ସ୍ବାସ୍ଥ୍ୟସେବା ପାଇପାରିବେ। ଏଭଳିଭାବେ ମୋଦୀ ଶାସନର ଗତ ୯ ବର୍ଷର ହିସାବ ରଖିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ଏବଂ ଆୟୂଷ ବିଭାଗର ରାଷ୍ଟ୍ରମନ୍ତ୍ରୀ ଡା. ମୁନିପାରା ମହେନ୍ଦ୍ରଭାଇ।

ସ୍ଥାନୀୟ ପାନ୍ଥନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହିସାବ ଦେଇ ମନ୍ତ୍ରୀ କହିଲେ, ଏକାଧିକ ଲୋକାଭିମୁଖି ଯୋଜନା, କାର୍ଯ୍ୟକ୍ରମ ଦ୍ବାରା ମୋଦି ସରକାର ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭକରି ଦେଶରେ ପାଖାପାଖି ୧୧.୭୬ କୋଟି ଶୌଚାଳୟ ନିର୍ମାଣ କରିଛନ୍ତି। ଏହାଦ୍ବାରା ବିଶେଷକରି ନାରୀ ସମାଜର ବହୁ ସମସ୍ୟାର ସମାଧାନ ହୋଇପାରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟିରୁ ଉର୍ଦ୍ଧ୍ବରୁ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛନ୍ତି। ୩ କୋଟିରୁ ଅଧିକ ଗରିବ ବ୍ୟକ୍ତିବିଶେଷଙ୍କୁ ବାସଗୃହ ଯୋଗାଇବା ସହ ୧୨ କୋଟିରୁ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଣ, ୪୮.୩ କୋଟି ଜନତାଙ୍କର ଜନ ଧନ ଆକାଉଣ୍ଟ୍‌ ଖୋଲି ସେମାନଙ୍କର ସାମଗ୍ରିକ ବିକାଶ, ୩୫ ଲକ୍ଷ ଉଠା ଦୋକାନିଙ୍କୁ ଋଣ ଯୋଗାଇ ଆର୍ଥିକ ସ୍ଥିତି ବୃଦ୍ଧି କରିଛନ୍ତି। ସେହିଭଳି ଚାଷୀ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ‘ପିଏମ୍‌ କିଶାନ ଯୋଜନା’, ‘ଫସଲ ବୀମା ଯୋଜନା’, ଏମ୍‌ଏସ୍‌ପିରେ ବୃଦ୍ଧି, ‘ପିଏମ୍‌ କୃଷି ଯୋଜନା’ରେ କୃଷକଙ୍କୁ ଚାଷ ପାଇଁ ଜଳ ଯୋଗାଣ, ନାରୀଶକ୍ତିର ବିକାଶ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନିଆଯାଇଛି। ୧୫ଟି ଏମ୍‌ସ, ୨୨୫ଟି ମେଡିକାଲ କଲେଜ, ୭ଟି ନୂତନ ଆଇଆଇଟି, ୩୯୦ଟି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ସଂଖ୍ୟାଧିକ ଯୋଜନା ପ୍ରଣୟନ କରାଯାଇଛି।

ପାଖାପାଖି ସାଢ଼େ ୪ କୋଟି ଜନତାଙ୍କୁ ମାଗଣା ଚିକିତ୍ସା ସେବା, ପ୍ରାୟ ୧୧ କୋଟି ଲୋକଙ୍କ ସ୍ବାସ୍ଥ୍ୟ ବୀମାରେ ସାମିଲ କରିବା, ଆୟୂଷ୍ମାନ ଭାରତ ଯୋଜନା, ମହିଳା ଓ ଶିଶୁର ବିକାଶ, ୨୨୦ କୋଟି କୋଭିଡ୍‌ ଟୀକା ଦିଆଯାଇଛି। ଏତଦ୍‌ବ୍ୟତୀତ ଭାରତର ବୈଦେଶିକ ନୀତି ସମଗ୍ର ବିଶ୍ବରେ ବେଶ୍‌ ପ୍ରଶଂସନୀୟ ହୋଇପାରିଛି। ପୂର୍ବାଞ୍ଚଳର ବିକାଶ ସମେତ ରାଷ୍ଟ୍ରର ସଂସ୍କୃତି, ଐତିହ୍ୟର ବିକାଶକୁ ପ୍ରାଥମିକତା ଦିଆଯାଇଛି। ପ୍ରକୃତରେ ମୋଦୀ ସରକାରଙ୍କ ଅଧିନରେ ଭାରତର ଅର୍ଥନୀତି ବୃଦ୍ଧି ହେବା ସହ ଉତ୍ପାଦନ, ରପ୍ତାନୀ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରଥିବା ମନ୍ତ୍ରୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବିଜେପି ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ବଣାଇଁ ଜିଲ୍ଲା ସଭାପତି ଅନୀଲ ବାର୍ଲା, ବରିଷ୍ଠନେତା ଜଗବନ୍ଧୁ ବେହେରା, ନିହାର ରାୟ, ପୂର୍ଣ୍ଣିମା କେର୍କେଟା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର