କୃଷ୍ଣ ମହାପାତ୍ରଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଆମ୍ବ ଚାଷ ନାଁରେ ୧୫ କୋଟି ହଡ଼ପ ଅଭିଯୋଗ

ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବକୁ ସ୍ମାରକପତ୍ର, କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ରାୟଗଡ଼ା: ଆମ୍ବ ଚାଷ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍। ଚାଷୀଙ୍କୁ ଆମ୍ବ ଗଛ, ରାସାୟନିକ ସାର୍ ଯୋଗାଣ, ଗଛର ରକ୍ଷଣାବେକ୍ଷଣ ବାବଦରେ ହୋଇଛି ଦୁର୍ନୀତି। ଜାତୀୟ ଉଦ୍ୟାନ୍ ମିଶନରୁ ଜାଲ୍ କାଗଜପତ୍ର ମାଧ୍ୟମରେ ୧୨ରୁ ୧୫ କୋଟି ଟଙ୍କା ହଡ଼ପ କରାଯାଇଛି। ଏମିତି ସାଂଘାତିକ ଅଭିଯୋଗ ଆସିଛି କାଶୀପୁରର ବିଶିଷ୍ଟ ଆମ୍ବ ଚାଷୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନାଁରେ। ୪ ଶହରୁ ଉର୍ଦ୍ଧ୍ବ ଲୋକେ ଆଜି ରାଲ‌ିରେ ରାୟଗଡ଼ା ସହର ପରିକ୍ରମା କରି କୃଷ୍ଣ ମହାପାତ୍ର ମୁର୍ଦାବାଦ୍ ନାରାବାଜି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପରେ ଟଙ୍କା ହଡ଼ପ ଘଟଣାର ତଦନ୍ତ କରି କୃଷ୍ଣ ମହାପାତ୍ରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଭିଜିଲାନସ୍ ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି। ୨୦୧୦-୧୧ ଆର୍ଥିକ ବର୍ଷରେ କୃଷ୍ଣ ମହାପାତ୍ରଙ୍କ ହରପଲ୍ ନାମକ ସଂସ୍ଥା ସୁଙ୍ଗେର, ସିନ୍ଦୁରଘାଟି, ତଳଝିରି, ମନୁଷଗାଁ, କାଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଫଳ ଚାଷ ପାଇଁ ଚାରା ବଣ୍ଟନ କରିଥିଲା। ଧାର୍ଯ୍ୟ ଲକ୍ଷ୍ୟ ବଦଳରେ ହରପଲ୍ କିଛି ଚାଷୀଙ୍କୁ ଆମ୍ବ ଗଛ, ରାସାୟାନିକ ସାର୍ ଯୋଗାଇଥିବା ବେଳେ ବଗିଚା ରକ୍ଷଣାବେକ୍ଷଣ ଦାୟିତ୍ବ ନିଜ ଅଧୀନରେ ହିଁ ରଖିଥିଲା। ୨୦୧୦-୧୧ରୁ ୨୦୧୪-୧୫ ଆର୍ଥିକ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ୍ ମିଶନରୁ ଏହି ଚାଷ ବାବଦକୁ ୧୨ରୁ ୧୫ କୋଟି ଟଙ୍କା ଉଠାଣ ହୋଇଥିବା ବେଳେ ଆମ୍ବ ଚାଷ କରିଥିବା ହିତାଧିକାରୀଙ୍କ ବଦଳରେ କୃଷ୍ଣ ମହାପାତ୍ରଙ୍କ ସଂସ୍ଥା ହରପଲ୍ ନାମରେ ସମସ୍ତ ଅନୁଦାନ ଉଠାଣ ହୋଇଛି। ସେହିପରି ୨୦୧୩-୧୪ ଆର୍ଥିକ ବର୍ଷରେ ରାୟଗଡ଼ା ଆଇଟିଡିଏ ୧୬୦୦ ଏକର ଜମିରେ ଫଳ ଚାଷ ପାଇଁ ହରପଲ ସଂସ୍ଥାର ୧୬ଟି ପ୍ରକଳ୍ପକୁ ଅନୁମୋଦନ କରିଥିଲା। ପ୍ରକଳ୍ପର ୧୬୦୦ ଏକର ମଧ୍ୟରୁ ୫୦୦ରୁ ୬୦୦ ଏକର ଜମିରେ ଚାରାରୋପଣ କରି ଅବଶିଷ୍ଟ ଜାଗାର ନକଲି ଦସ୍ତାବିଜ୍ ଓ ନକଲି ହିତାଧିକାରୀ ନାଁରେ ଟଙ୍କା ହଡ଼ପ କରାଯାଇଛି।

ଜମିର ମାଲିକାନା ଜଣଙ୍କ ନାଁରେ ଥିବା ବେଳେ ପ୍ରକଳ୍ପରେ ଅନ୍ୟ ହିତାଧିକାରୀଙ୍କ ନାମ ଉଲ୍ଲେଖ ଅଛି। ହିତାଧିକାରୀଙ୍କ ନାଁରେ ୦.୧୦ ଏକର ଘରବାରି କିସମର ଜମି ରହିଥିବା ବେଳେ ପ୍ରକଳ୍ପ ନଥିପତ୍ରରେ ୨.୧୦ ଏକର ଜମିର ନକଲି ପଟା ପ୍ରସ୍ତୁତ କରି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଅନ୍ୟପକ୍ଷରେ ହରପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ୍ ନାଁରେ କୃଷ୍ଣ ମହାପାତ୍ର ଗଠନ କରିଥିବା ସଂସ୍ଥା କାଶୀପୁର ବ୍ଲକରେ କୌଣସି ସେବା କାର୍ଯ୍ୟ କରୁନଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଜନକଲ୍ୟାଣ କାର୍ଯ୍ୟ ବଦଳରେ ସଂସ୍ଥା ଗରିବ ଆଦିବାସୀଙ୍କ ଜମିକୁ କମ୍ ଦରରେ କିଣି ଉକ୍ତ ଜମିରେ ଅର୍ଥକାରୀ ଫସଲ ଚାଷ କରି ସଂସ୍ଥା ମାଲିକ୍ ଲାଭବାନ୍ ହେଉଛନ୍ତି। ଉକ୍ତ ଟ୍ରଷ୍ଟ କାଶୀପୁର ବ୍ଲକର କଟାଳି, ‌ପୋଡବନ୍ଦ, କୁମ୍ଭାରଶୀଳା ଅଞ୍ଚଳ ସହିତ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ବ୍ଲକର ଆଦିବାସୀଙ୍କ ଜମି ହଡ଼ପ କରିଛି। ଏହାର ତଦନ୍ତ କରି ଜମି ଫେରସ୍ତ କରିବାକୁ ଦାବି ହୋଇଛି। ଏଥି ସହିତ କାଶୀପୁର ମୁଖ୍ୟ ରାସ୍ତା ୬୬ ଫୁଟ ଚଉଡା ଥିବା ବେଳେ କୃଷ୍ଣ ମହାପାତ୍ରଙ୍କ ଦୋକାନ ନିକଟରେ କମ୍ ଚଉଡାରେ ରାସ୍ତା ନିର୍ମାଣ କରାଯାଇଛି। ବେଆଇନ ଭାବେ ଦୋକାନ ଓ ଗୋଦାମ ଘର ନିର୍ମାଣ କରାଯାଇଥିବାରୁ ତଦନ୍ତ ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ। ଆଜିର ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝି, ରଙ୍କନିଧି ମାଝୀ, ପ୍ରତାପ ମାଝୀ, ଗୋପାଳ ପଣ୍ଡାଙ୍କ ସମେତ ଶତାଧିକ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର