ଗୁରୁଣ୍ଡିଆ: ଦାରିଦ୍ର୍ୟର କଷାଘାତ ମଧ୍ୟରେ ସ୍ବଳ୍ପ ବୟସରୁ ପେଟପୋଷିବା ପାଇଁ ବିପଜ୍ଜନକ କାମରେ ହାତଦେଇ ନିଜର ଦୁଇଗୋଡ଼ ହରାଇ ବସିଲେ। ହେଲେ ଶରୀରର ଅକ୍ଷମତା ହେଉ କି ଦାରିଦ୍ର୍ୟ ଓ ପରିବାରର ଜଞ୍ଜାଳ, କୌଣସିଥିରେ ହାର ନମାନି ଗୋଡ଼ ନଥାଇ ବି ନିଜ ଗୋଡ଼ରେ ଛିଡ଼ାହେଲେ ମୋହନ। ଦୋକାନଟିଏ କରି ଦୁଇ ପଇସା ରୋଜଗାର କରିବା ସହ ନିଜ ପରିବାରର ବୋଝ ବି ମୁଣ୍ଡାଇଛନ୍ତି। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Advertisment

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ଜର୍ଡା ଗାଁର ମୋହନ ନାଏକ (୩୩)ଙ୍କୁ ମାତ୍ର ୧୬ ବର୍ଷ ହୋଇଥିବାବେଳେ ପାଠପଢ଼ା ଛାଡ଼ି ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ଏକ ଘରୋଇ ବସ୍‌ରେ ହେଲପର୍‌ ଭାବେ କାମ କଲେ। ୨୦୦୬ ମସିହାର କଥା, ବସ୍‌ଟି ଜର୍ଡାରୁ ରାଉରକେଲା ଯାଉଥାଏ। କଂସରଠାରେ ତରୁଣ ‌ହେଲ୍‌ପର ମୋହନ ବସ୍‌ ଛାତ ଉପରୁ ଏକ ସାଇକଲ୍ ଓହ୍ଲାଇବାବେଳେ ତାହା ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ପ୍ରଚଣ୍ଡ ବିଦ୍ୟୁତ୍‌ ଆଘାତରେ ବସ୍‌ର ୩୦ରୁ ଅଧିକ ଯାତ୍ରା ଆହତ ହୋଇଥିବାବେଳେ ସିଧା ସଂସ୍ପର୍ଶରେ ଆସିଥିବା ମୋହନ ଗୁରୁତର ହୋଇ ପଡ଼ିଥିଲେ। ଅସ୍ତ୍ରୋପଚାରରେ ତାଙ୍କ ଡାହାଣ ଗୋଡ଼ କାଟିବାକୁ ପଡ଼ିଥିଲା ଓ ବାମ ଗୋଡ଼ ବି ଅକାମୀ ହୋଇଯାଇଥିଲା।

ମୋହନଙ୍କ ବଡ଼ ଭାଇ ଜଣେ ଶ୍ରମିକ ହୋଇଥିବାବେଳେ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ କାହାରି ଉପରେ ବୋଝ ହେବାକୁ ଚାହିଁ ନଥିଲେ। ୨୦୦୭ରେ ଏକ ପାନ ଦୋକାନ ଆରମ୍ଭ କଲେ। ପରେ ଚା’ ଓ ଜଳଖିଆ ବିକ୍ରି କରି ଆର୍ଥିକ ରୂପେ ସ୍ବଚ୍ଛ‌ଳ ହେଲେ। ଘରର ସବୁ କଥ‌ା ବୁଝିବା, ଦୁଇ ଭଉଣୀଙ୍କୁ ବିବାହ କାରାଇବା ଆଦି ଦାୟିତ୍ବ ତୁଲାଇଲେ। ନିଜେ ବାହା ହୋଇ ୨ଟି ସନ୍ତାନର ବାପା ହେଲେ। ମୋହନଙ୍କୁ ଦିବ୍ୟାଙ୍ଗ ଭତ୍ତା, ଋଣ, ତିନିଚକିଆ ଗାଡ଼ି ଆଦି ମିଳିଛି। ଅସ୍ଥାୟୀ କେବିନ ବଦଳରେ ସେ ଏକ ସ୍ଥାୟୀ ଦୋକାନ ଘର ନେବାକୁ ଚାହୁଁଥିଲେ ବି ଏଥି ପାଇଁ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି। ହେଲେ କେବେ ହାର ମାନି ନାହାନ୍ତି। ସରକାରଙ୍କ ତରଫରୁ ତାଙ୍କୁ ଏକ ବ୍ୟାଟେରିଚାଳିତ ଗାଡ଼ି ଦିଆଗଲେ ସେ ଆହୁରି ଉନ୍ନତି କରିପାରନ୍ତେ ବୋଲି କହନ୍ତି ମୋହନ। ଏବେ ବି ମାସକୁ ୫ ହଜାର ଟଙ୍କାରୁ ଅଧିକ ଆୟ କରୁଥିବା ମୋହନ ଜୀବନର ଜଞ୍ଜାଳ ଭରା ପଥ କେମିତି ଅତିକ୍ରମ କରାହୁଏ ସେନେଇ ସମସ୍ତଙ୍କୁ ପ୍ରେରଣା ଯୋଗାଉଛନ୍ତି।