ରାୟଗଡା: ରାୟଗଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପଦବି ପାଇଁ ହୋଇଥିବା ନିର୍ବାଚନରେ ମୋହନ ନାୟକ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରିତିନ୍ଦ୍ବନ୍ଦ୍ବୀ ଅସଲମ ଖାନକୁ ୨୨୬ ଭୋଟରେ ପରାସ୍ତ କରିଛନ୍ତି। ଅନଲାଇନରେ ହୋଇଥିବା ଏହି ନିର୍ବାଚନରେ ଅସଲମ ଖାନ ୧୩୭୪ ଭୋଟ ପାଇଥିବା ବେଳେ ମୋହନ ନାୟକ ୧୬୦୦ ଭୋଟ ପାଇଥିଲେ। ମୋହନ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରେ ଯୁବ କଂଗ୍ରେସ ମହଲରେ ଖୁସିର ଲହରି ଖେଳି ଯାଇଛି। ପୂର୍ବରୁ ଅସଲମ ଖାନ ଏହି ପଦବୀରେ ରହିଥିଲେ। ସେହିପରି ରାୟଗଡା ବିଧାନସଭା କ୍ଷେତ୍ର ପାଇଁ ଯୋଶେଫ ଖୋସଲା ସଭାପତି ରୂପେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଅଶୋକ ପୁଆଲା ମନୋନୀତ ହୋଇଛନ୍ତି।
ଗୁଣୁପୁର ବିଧାନସଭା କ୍ଷେତ୍ର ପାଇଁ ସଭାପତି ଭାବେ ଭାସ୍କର ଜାଗରକା ମନୋନୀତ ହୋଇଥିବା ବେଳେ ବିଷମକଟକ ବିଧାନସଭା କ୍ଷେତ୍ର ପାଇଁ ସଭାପତି ଭାବେ ବଳଦେବ ଶତପଥୀ ମନୋନୀତ ହୋଇଛନ୍ତି। ବିଷମକଟକର ବିଧାନସଭା କ୍ଷେତ୍ରର ଉପସଭାପତି ଭାବେ କିନୁ ଖଣ୍ଡପାଣ ମନୋନୀତ ହୋଇଛନ୍ତି। କଂଗ୍ରେସର ଏହି ଯୁବ ନେତୃମଣ୍ଡଳୀକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।