ରାୟଗଡ଼ାରେ ମାତିଲେ ଲୁଟେରା; ଯନ୍ତ୍ରୀଙ୍କ ଘରୁ ଲକ୍ଷେ ଟଙ୍କା ସହ ୪ ଭରି ସୁନା ଲୁଟ୍ 

ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡର ତନାଘନା, ୪ ଦିନ ମଧ୍ୟରେ ଦୁଇ ଘରେ ବୁଲିଲାଣି କଳାକନା

ରାୟଗଡ଼ା: ରାୟଗଡ଼ା ମାତିଛନ୍ତି ଲୁଟେରା। ତାଲା ବନ୍ଦ ଥିବା ଘରକୁ ଟାର୍ଗେଟ୍ କରି ବୁଲାଉଛନ୍ତି କଳା କନା। ୪ ଦିନ ତଳେ ସାଇପ୍ରିୟା ନଗରର ଦୁଇଟି ଘରୁ ଦୁର୍ବୃତ୍ତ ଟଙ୍କା ସହ ଆସବାବ ପତ୍ର ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ ପୁଲିସ୍ ଜାରି ରଖିଥିବା ବେଳେ ପୁଣି ଗୁରୁବାର ରାତିରେ ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ୍ ଟେକ୍ନିସିଆନଙ୍କ ଘର ତାଲା ଭାଙ୍ଗି ଦୁର୍ବତ୍ତ ଲକ୍ଷେ ଟଙ୍କା ସହ ୪ ଭରି ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ସପ୍ତାହକ ମଧ୍ୟରେ ସହରରେ ଘଟିଥିବା ଦୁଇଟି ଲୁଟ୍ ଘଟଣା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସହରର ମାରୁତି କଲୋନିରେ ରହୁଥିବା ବିଦ୍ୟୁତ୍ ବିଭାଗର ଆସିଷ୍ଟାଣ୍ଟ୍ ଟେକ୍ନିସିଆନ୍ ତ୍ରିଲୋଚନ ଦାଶ ଗତ ୨ ତାରିଖରେ ଭବାନୀପାଟଣା ଯାଇଥିଲେ। ଭବାନୀପାଟଣା ପୁଲିସ୍ ହାଉସିଂ ବୋର୍ଡ କର୍ପୋରେସନରେ ଆସିଷ୍ଟାଣ୍ଟ୍ ପ୍ରୋଜେକ୍ଟ ମ୍ୟାନେଜର୍ ଭାବେ ତ୍ରିଲୋଚନଙ୍କ ପତ୍ନୀ କାମ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପତ୍ନୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ତ୍ରିଲୋଚନ ନିଜ ମା’ଙ୍କୁ ନେଇ ଯାଇଥିବାରୁ ଘରେ କେହିନଥିଲେ।

ଦୀର୍ଘ ୧୫ ଦିନ ଧରି ଘରେ ତାଲା ପଡିଥିବାରୁ ଦୁର୍ବୃତ୍ତମାନେ ଘରକୁ ନଜର କରି ଗତକାଲି ରାତିରେ ତାଲା ଭାଙ୍ଗି ଭିତରେ ପଶିଥିଲେ। ଆଲମିରାରେ ଥିବା ୪ ଭରି ସୁନା ସହ ୧ ଲକ୍ଷ ଟଙ୍କା ଏବଂ ରୂପା ମୂର୍ତ୍ତି ଓ ସାମଗ୍ରୀକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ସକାଳେ ପଡୋଶୀ ଲୋକ ଉଠିବା ପରେ ଘରର ତାଲା ଭାଙ୍ଗିବା ସହ କବାଟ ଖୋଲାଥିବା ଦେଖି ତ୍ରିଲୋଚନଙ୍କୁ ଫୋନ୍ କରି ଘରୁ ଚୋରି ହୋଇଥିବା ସଂପର୍କରେ ଜଣାଇଥିଲେ। ଖବର ପାଇ ତ୍ରିଲୋଚନ ଭବାନୀପାଟଣାରୁ ଆସି ରାୟଗଡ଼ାରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ।

ପୁଲିସ୍ ଡଗ୍ ସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମ୍ ସହ ତ୍ରିଲୋଚନଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଡଗ୍ ସ୍କ୍ବାର୍ଡ କିଛି ଦୂର ଯାଇଥିଲେ ମଧ୍ୟ ଏଯାବତ୍ ପୁଲିସକୁ କୌଣସି ସୁରାକ୍ ମିଳିପାରିନି। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି। ଏସଆଇ ମାନସ କୁମାର ସାହୁ  ଓ ଟିମ୍ ଦୁର୍ବୃତ୍ତଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ କାବୁ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଦୁର୍ବୃତ୍ତମାନେ ସାଇପ୍ରିୟା ନଗରର ୨ଟି ଘର ତାଲା ଭାଙ୍ଗି ୩୦ ହଜାର ସୁନା ସହ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର