ମାଲକାନଗିରି ମ୍ୟୁନିସିପାଲିଟିରେ ମଧ୍ୟ କାମ ପାଇଁ ଟଙ୍କା ଆଦାୟ, କର୍ମଚାରୀଙ୍କୁ ତାଗିଦ କଲେ ଅଧ୍ୟକ୍ଷ

ମାଲକାନଗିରି: କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନିସିପାଲଟିରେ ଗତ ଦୁଇଦିନ ତଳେ କିପରି ଜନ୍ମ ପଞ୍ଜୀକରଣର ସାର୍ଟିଫିକେଟ ପାଇଁ ଜବରଦସ୍ତ ୩୫୦ ଟଙ୍କା ଆଦାୟ କରାଯାଉଥିଲା। ସେନେଇ ଭିଡିଓ ଭାଇରାଲ ହେବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଏହି ଘଟଣା ଥମିନଥିବା ବେଳେ ଏବେ ମାଲକାନଗିରି ମ୍ୟୁନିସିପାଲିଟିରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏମଭି-୪୨ ଗ୍ରାମର ପରିତୋଷ ବିଶ୍ବାସ ଏବଂ ତାଙ୍କର ମାଆ ମୀନତି ବିଶ୍ବାସ ମାଲକାନଗିରି ମ୍ୟୁନିସିପାଲଟିକୁ ଆସି ନିଜର ଚାଉଳ କାର୍ଡକୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଡିଟିପି ଅପରେଟର ସୁଦେବ ମଣ୍ଡଳଙ୍କୁ ନେହୁରା ହେଉଥିଲେ ମଧ୍ୟ ସେ ୨ ହଜାର ଟଙ୍କା ନଦେଲେ କାମ ହୋଇପାରି ନାହିଁ ବୋଲି ସଫା ସଫା ମନା କରି ଦେଉଥିଲେ।

ତେବେ ପରିତୋଷ ଜଣେ ଅତି ଗରିବ ଲୋକ ହୋଇଥିବାରୁ ସେ ଏହି କଥାକୁ ଭିଡିଓ ରେକର୍ଡିଂ କରି ପାରିନଥିଲା। କିନ୍ତୁ ନୂତନ ଭାବେ ଦାୟିତ୍ବ ନେଇଥିବା ଅଧ୍ୟକ୍ଷ ମନୋଜ ବାରିକଙ୍କୁ ଅଭିଯୋଗ କରିଥିଲା। ମନୋଜ ବାରିକ ଏହା ସତ ନା ମିଛ ଜାଣିବା ପାଇଁ ତୁରନ୍ତ ୨ ହଜାର ଟଙ୍କା ଦେବାକୁ କହିଥିଲେ। ପରିତୋଷ ଡିଟିପି ଅପରେଟର ସୁଦେବକୁ ୨ ହଜାର ଟଙ୍କା ଦେବା ପରେ କାମ ହୋଇଯିବ ବୋଲି ସେ କହିଥିଲା।

ଏହି ସମୟରେ ମନୋଜ ସୁଦେବକୁ ଧରିଥିଲେ। ତୁରନ୍ତ ନିଜ କକ୍ଷକୁ ଡାକିବା ସହ ଅନ୍ୟ କର୍ମଚାରୀ ମାନଙ୍କ ସହ ଯୋଗାଣ ଅଧିକାରୀ, ନିର୍ବାହୀ ଅଧିକାରୀଙ୍କୁ ଡାକି ଏ ସମସ୍ତ ବିଷୟରେ ଅବଗତ କରାଇଥିଲେ। ସୁଦେବକୁ ଟଙ୍କା କାହିଁକି ନେଲ ବୋଲି ପଚାରିବାରୁ ସେ କିଛି କହିନଥିଲା। କିନ୍ତୁ ଟଙ୍କା ନେବା କଥାକୁ ସ୍ବୀକାର କରିଥିଲା। ତେବେ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ କହିବେ ବୋଲି ପ୍ରକାଶ କରିଥିଲେ। ତେବେ ସେ କିପରି ଜଣେ ଡିଟିପି ଅପରେଟର ଟଙ୍କା ନେଉଥିବା କଥା ଜାଣିନାହାନ୍ତି ସନ୍ଦେହ ସୃଷ୍ଟି କରୁଛି। ଏହା ଦୀର୍ଘଦିନ ହେଲା ଚାଲି ଆସୁଥିବା ସ୍ଥାନୀୟ ଲୋକେ କହିଥିଲେ। ସମସ୍ତଙ୍କ ଅଗୋଚରରେ ଏଭଳି କାମ ଚାଲିଥିବା କୁହାଯାଇଛି। ତେବେ ସର୍ଭିସ ପ୍ରୋଭାଇଡ଼ର ମାନଙ୍କ ଦ୍ବାରା ଏହି ଡିଟିପି ଅପରେଟର ମାନେ ନିଯୁକ୍ତି ପାଇଥାନ୍ତି। ଦରମା ପାଇବା ସହ ମୋଟା ଅଙ୍କର ଉତ୍କୋଚ ନେଇ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି। ତେବେ ଜିଲ୍ଲା ଯୋଗାଣ ବିଭାଗ କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା। ତେବେ ମ୍ୟୁନିସିପାଲଟିରେ ଅନ୍ୟ ବିଭାଗରେ କିପରି କାମ ଚାଲିଛି ତାହାକୁ ମଧ୍ୟ ଅଧ୍ୟକ୍ଷ ମହୋଦୟ ତଦାରଖ କରନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର