ମାଲକାନଗିରି: ମତ୍ସ୍ୟ ବିଭାଗରେ ଡଙ୍ଗାବଣ୍ଟାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର ଡଙ୍ଗା ବାଣ୍ଟି ଲକ୍ଷାଧିକ ଟଙ୍କା ଚଳୁ କରି ଦିଆଯାଇଥିବା ସ୍ଥାନୀୟ ସ୍ବାଭିମାନ ଅଞ୍ଚଳର ଲୋକେ ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି। ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସେତୁ ଯୋଜନାରେ ସ୍ବାବଲମ୍ବନ କରିବା ପାଇଁ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ବାଟ ହୁଡୁଥିବା ଏଥିରୁ ସ୍ପଷ୍ଟ ହୋଇଛି।
ସ୍ବାଭିମାନ ଅଞ୍ଚଳରେ ବିକାଶ ଓ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନଜର ରହିଛି। ୨୦୧୮ ଜୁଲାଇ ୨୬ ତାରିଖରେ ଗୁରୁପ୍ରିୟା ସେତୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ବୋଲି ଘୋଷଣା କରିଥିଲେ। ଏଥିସହ ପ୍ରଥମ ପର୍ଯ୍ୟାୟରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ସରକାରଙ୍କ ସେତୁ ଯୋଜନାରେ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବାଲିମେଳା ଜଳଭଣ୍ଡାରରେ ଯାଆଁଳ ଛାଡିବା ଓ ମାଛ ବଢ଼ିଲା ପରେ ମାଛ ଧରିବା ନିମନ୍ତେ ଜାଲ, ମାଛ ଡଙ୍ଗା, ସେଫଟି ଜ୍ୟାକେଟ ମାଗଣା ଦିଆଯିବା ଉଲ୍ଲେଖ ରହିଛି। ସ୍ୱାଭିମାନ ଅଞ୍ଚଳର ଲୋକମାନଙ୍କୁ ମାଛ ଧରି ତାକୁ ବଜାରରେ ବିକ୍ରି କରି ସ୍ବାବଲମ୍ବନ କରିବା ଏହି ଯୋଜନାର ଉଦ୍ଦେଶ୍ୟ ଥିବାବେଳେ ତରବରିଆ ଡଙ୍ଗା ବାଣ୍ଟି ଟଙ୍କା ହଡପ କରିବା ଏହି ଯୋଜନାକୁ ଉପହାସ କଲା ଭଳି ହେଉଛି ବୋଲି ସ୍ବାଭିମାନ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ତେବେ ଏହି ଯୋଜନାରେ ମତ୍ସ୍ୟ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କାର ବାଟମାରଣା ହୋଇଥିବା ଏବେ ନଜରକୁ ଆସିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନଞ୍ଚଳ ଅନ୍ତର୍ଗତ ବଡ଼ପଡା ଠାରେ ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଛି। ୧୦୦ ଜଣ ହିତାଧିକାରୀଙ୍କୁ ଡଙ୍ଗା ବଣ୍ଟନ କରାଯିବାର ପ୍ରସ୍ତାବ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୬୦ ଜଣ ହିତାଧିକାରୀଙ୍କୁ ମାଛଧରା ଡଙ୍ଗା ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଥିଲା। ୬୦ରୁ ୩୦ ଡଙ୍ଗା ପହଞ୍ଚିଥିବା ବେଳେ ଆଉ ତିରିଶି ଡଙ୍ଗା ଦିନେ ଦୁଇ ଦିନରେ ପହଞ୍ଚିଥାନ୍ତା। ପରବର୍ତ୍ତୀ ସମୟରେ ଆଉ ୪୦ଟି ଡଙ୍ଗା ବଣ୍ଟନ କରାଯାଇଥାନ୍ତା। ଆଗକୁ ନିର୍ବାଚନ ଥିବାରୁ ଅତି ତରବରିଆ ଭାବେ ଡ଼ଙ୍ଗା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗଦେଇ ହିତାଧିକାରୀ ମାନଙ୍କୁ ଡଙ୍ଗା ବଣ୍ଟନ କରିଥିଲେ। କିନ୍ତୁ ହିତାଧିକାରୀ ଅତି ନିମ୍ନମାନର ଡଙ୍ଗା ନେଇ ଅସନ୍ତୋଷ ଜାହିର କରିଥିଲେ। ଡଙ୍ଗା ଗୁଡିକ ଅତି ନିମ୍ନମାନର ହୋଇଥିବାରୁ ଏହି ଡଙ୍ଗାଗୁଡିକ ନେବେ ନାଁହି ବୋଲି ସଫାସଫା ମନା କରିଦେଲେ ହିତାଧିକାରୀ ମାନେ। ଅସନ୍ତୋଷ ଏତେ ସୀମା ବ ବଢ଼ିଯାଇଥିଲା ଯାହାକି ଚିତ୍ରକୋଣ୍ଡା ବିଧାୟକଙ୍କୁ ଘେରି ଯାଇଥିଲେ। ସରକାରଙ୍କ ମାଲ ଦରିଆ ମେ ଡାଲ ସଦୃଶ୍ୟ ଅତି ନିମ୍ନମାନର ଡଙ୍ଗା ଦେଇ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଛି ବୋଲି ଅଭିଯୋଗ କରିଥିଲେ ସ୍ୱାଭିମାନ ଅଞ୍ଚଳବାସୀ। ଡଙ୍ଗା ନିର୍ମାଣରେ ଲାଗିଥିବା କାଠ ଅତି ହାଲୁକା କାଠପଟ୍ଟାରେ ତିଆରି ହୋଇଛି। ଡଙ୍ଗା ଗୁଡ଼ିକରେ ଫଟା ପଟା ବ୍ୟବହାର ହୋଇଛି। ଡଙ୍ଗା ନେଇ ନଦୀରେ ଛାଡିଲେ ଡଙ୍ଗାରେ ପାଣି ପଶିଯାଉଛି। ଏହି ଡଙ୍ଗା ନେଇ ଜୀବିକା ନିର୍ବାହ ବଦଳରେ ଜୀବନ ହାରି ହେବ ବୋଲି କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ସ୍ବାଭିମାନ ଅଞ୍ଚଳବାସୀଙ୍କ କହିବା ହେଲା ସେମାନେ ଯେଉଁ ଡଙ୍ଗା ତିଆରି କରୁଛନ୍ତି ତାହା ୧୨ ହଜାର ଟଙ୍କା ମଧ୍ୟରେ ହୋଇଯାଇଥାଏ ଏବଂ ସୁରକ୍ଷିତ ଥାଏ। ନିମ୍ନମାନର ଡଙ୍ଗା ତିଆରି କରି କିପରି ଲକ୍ଷାଧିକ ଟଙ୍କା ବାଟମାରଣା କରାଯାଇଛି ଏହାର ତଦନ୍ତ ଦାବି କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଡଙ୍ଗା ଗୁଡିକ ଓଡିଶା ପିସି କଲଚର ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଛି। ଗୋଟିଏ ଗୋଟିଏ ଡଙ୍ଗାକୁ ୨୪ ହଜାର ଟଙ୍କାରେ ନିର୍ମାଣ କରାଯାଇଛି ବୋଲି ଜଣାପଡିଛି। ୬୦ଟି ଡଙ୍ଗାର ମୂଲ୍ୟ ୧୪ ଲକ୍ଷ ୪୦ ହଜାର ଟଙ୍କା ହେବ। ପୁରୁଣା ଡଙ୍ଗାକୁ ରଙ୍ଗ ଦେଇ ପୁଣି ଏହାକୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ତାହା ଜଳ ଜଳ ଦେଖାଯାଉଛି।ଏହି ଦୁର୍ନୀତିର ଉଚିତ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହିତାଧିକାରୀ ମାନେ ଦାବି କରିଥିଲେ। ଏହି ନିମ୍ନମାନର ଡଙ୍ଗା ଦେଇଥିବା ଓଡିଶା ପିସି କଲଚର ଉନ୍ନୟନ ସଂସ୍ଥାର ବିଲ ବନ୍ଦ କରିବା ସହ ଆଗାମୀ ଦିନରେ ଭଲ ଡଙ୍ଗା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜଣାଇବି ବୋଲି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡାଙ୍କୁ ପଚାରିବାରୁ ସେ ଓଡିଶା ପିସି କଲଚର ଉନ୍ନୟନ ସଂସ୍ଥା ଡ଼ଙ୍ଗା ନିର୍ମାଣ କରି ଦେଇଥିବା କହିବା ସହ ତାଙ୍କ ପାଖରେ ଯାହା ଆସିଛି ସେମାନେ ତାହା ବଣ୍ଟନ କରିଥିବା କହିଥିଲେ। ତେବେ ଏହି ଦୁର୍ନୀତିରେ ମସ୍ତେ ମିଳିମିଶି ଟଙ୍କା ବାଟମାରଣା କରିଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏହାର ତଦନ୍ତ କରାଯାଇ ସତ୍ୟାସତ୍ୟ ପର୍ଦାଫାସ କରାଯାଉ ବୋଲି ଦାବି ହୋଇଛି।