ସ୍କୁଲ ଛୁଟିରେ ଆଦିବାସୀ ପିଲା ଘର କାମ ସହ ଚାନ୍ଦା ମାଗିବାରେ ସାମିଲ ହେବା କେତେ ଯୁକ୍ତିଯୁକ୍ତ?

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ଅଶୀ ପ୍ରତିଶତ ଆଦିବାସୀ ପିଲା ସ୍କୁଲରେ ପାଠ ପଢନ୍ତି। ସ୍କୁଲ ଛୁଟି ହେଲେ ଏହି ପିଲାମାନେ ପରିବାରକୁ ସହଯୋଗ କରିବା ସହ ଜଙ୍ଗଲରେ ଖେଳି ବୁଲନ୍ତି। ଏବେ ଆମ୍ବ ପର୍ବ ଥିବାରୁ ପିଲାମାନେ ରାସ୍ତାରେ ବଡମାନଙ୍କ ସହ ରାସ୍ତା ଅବରୋଧ କରି ଯାତ୍ରୀଙ୍କ ଠାରୁ ଖୁସିରେ ଚାନ୍ଦା ଆଦାୟ କରନ୍ତି। ଯାତ୍ରୀଙ୍କୁ ଅଟକାଇ ସେମାନଙ୍କୁ ଫୁଲଟିଏ ଧରାଇ ଦେଇ ସେମାନଙ୍କ ଠାରୁ କିଛି ବକସିସ୍ ମାଗନ୍ତି। ତେବେ ଗତକାଲି ମାଲକାନଗିରି ଥାନା ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ଜଣେ ୬ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହେବା ଘଟଣାର ଦାୟୀ କିଏ।

ଅଭିଭାବକ ନା ପ୍ରଶାସନ। କାହିଁ କେଉଁ କାଳରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ନିଜ ସଂସ୍କୃତିକୁ ଜାବୁଡି ଧରିବା ସହ ପରମ୍ପରା ଅନୁଯାୟୀ ଚାଲିଚଳନ କରନ୍ତି। ସେଥିମଧ୍ୟରୁ ଚିଇତି ପରବ ଅନ୍ୟତମ।ଚାନ୍ଦା ମାଗିବା କାମରେ ପରିବାର ଲୋକେ ଛୋଟ ପିଲାଙ୍କୁ ବ୍ୟବହାର କରିବା କେତେ ଦୁର ଯୁକ୍ତିଯୁକ୍ତ। କେବଳ ଚାନ୍ଦା ମାଗିବା ଘଟଣା ନୁହେଁ, ବରଂ ଘରର ସମସ୍ତ କାମରେ ଏହି ପିଲାମାନେ ସହଯୋଗ କରି ଆସନ୍ତି। ଗତକାଲିର ଘଟଣା ପରେ ସାରା ଜିଲ୍ଲାରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସ୍କୁଲ ଛୁଟି ହେଲେ ପିଲାଙ୍କୁ ଗ୍ରୀଷ୍ଣର ପ୍ରଚଣ୍ଡ ଖରାରେ ପଦାକୁ ନଛାଡି ଘରେ ବସିବା ପାଇଁ ହେଉ ବା ଅନଲାଇନ ପାଠ ପଢାରେ ବ୍ୟସ୍ତ ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Sambad

କିନ୍ତୁ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ପିଲମାନେ ଜଙ୍ଗଲରେ କାଠ ଆଣିବାରେ ବ୍ୟସ୍ତ ଥିବା ବେଳେ କିଛି ପିଲା ଗାଈଗୋରୁ ଚରାଇବା କାମରେ ନିୟୋଜିତ ହୋଇଥାନ୍ତି। ଗ୍ରୀଷ୍ଣର ପ୍ରଚଣ଼୍ଡ ଖରାକୁ ଖାତିରି ନକରି ପିଲାମାନେ ବାହାରେ ବେସାହାରା ହୋଇ ବୁଲିବା ସହ ବିଭିନ୍ନ ଖେଳକୁଦରେ ନିଜକୁ ସାମିଲ କରିଥାନ୍ତି। ଜିଲ୍ଲାର ଏବେ ପ୍ରତି ଗାଁରେ ପିଲାମାନେ ରାସ୍ତାରେ ଛିଡା ହୋଇ ଚାନ୍ଦା ମାଗିବା ଭଳି କାମରେ ନିୟୋଜିତ ଥିବା ବେଳେ କିଛି ପିଲା ଜଙ୍ଗଲରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ତେବେ ଏମାନଙ୍କୁ ଏଭଳି କାମରେ ନିୟୋଜିତ କରିବା କେତେ ଯୁକ୍ତି ଯୁକ୍ତ ବୋଲି କୁହାଯାଇଛି। ପିଲାଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପାଇଁ ପ୍ରଶାସନ ମଧ୍ୟ କିଛି କାଂଶରେ ଦାୟୀ ବୋଲି କୁହାଯାଇଛି।

ଏଭଳି ପରମ୍ପରା ଠାରୁ ପିଲାଙ୍କୁ ଦୁରେଇ ରଖିବା କାମ ପ୍ରଶାସନର ବୋଲି କୁହାଯାଇଛି। ରାସ୍ତା ଉପରେ ପିଲାଙ୍କୁ ଏଭଳି ଖାମଖିଆଲି ଭାବେ ଛାଡିବା ଏବଂ ଚାନ୍ଦା ଆଦାୟ କରିବା କାମକୁ ବନ୍ଦ କରିବା କାମ ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର କାମ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ଆଗାମୀ ଦିନରେ ପୁଣି ଗ୍ରୀଷ୍ଣ ଛୁଟି ହେବ। ଏହି ଛୁଟିରେ ପିଲାମାନେ ଆହୁରି ବେକାର ହୋଇ ବୁଲିବା ସହ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିବେ। ତେଣୁ ଶିକ୍ଷା ବିଭାଗ ପିଲାଙ୍କ ଶିକ୍ଷା ନୀତିରେ କିଛି ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଛୁଟିରେ କିପରି ଶିକ୍ଷା ଗ୍ରହଣ କରିବାରେ ବ୍ୟସ୍ତ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର