‘ମୁକ୍ତା’ ଯୋଜନାରେ ୩ କୋଟି ୫୯ ଲକ୍ଷ ଟଙ୍କାର ଜଳ ଅମଳ ପ୍ରକଳ୍ପର ଦିଶୁନି ଚିହ୍ନବର୍ଣ୍ଣ

ଜୟପୁର: ଜୟପୁର ପୌରପାଳିକାରେ ହଜିଯାଇଛି ମୁକ୍ତା ଯୋଜନାରେ ଆରମ୍ଭ ହୋଇଥିବା ବର୍ଷା ଜଳ ଅମଳ ପ୍ରକଳ୍ପ (ୱାଟର ରିଜର୍ଭେସନ ପିଟ୍‌)। ଏପରିକି ଯେଉଁ ସବୁ ସ୍ଥାନରେ ଏହାକୁ କରାଯାଇଛି ଘାସ ଉପାଡ଼ି ଆଡେଇ ଆଡେଇ ଦେଖିଲେ ମଧ୍ୟ ଦିଶୁନି। ଜୟପୁର ପୌରପାଳିକାର ୨୮ଟି ୱାର୍ଡରେ ୮୨୮ଟି ପ୍ରକଳ୍ପ କରାଯାଇଥିବା ବେଳେ ଏହି ଦୁଇବର୍ଷ ଭିତରେ ପ୍ରକଳ୍ପର ଖୋଜ ଖବର ମିଳୁ ନାହିଁ। ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ମହାବିଦ୍ୟାଳୟ , ଅଙ୍ଗନୱାଡୀ କେନ୍ଦ୍ରରେ ଏହା କରାଯାଇଛି ବୋଲି କୁହାଯାଇଛି। ବହୁ ସ୍କୁଲରେ କେବଳ ପିଟ ଖୋଳି ଅଧପନ୍ତରିଆ ଭାବେ କରି ଛାଡି ଦିଆଯାଇଛି। ସେଠ‌ାରେ କୌଣସି ପାଇପ କିମ୍ବା ବର୍ଷା ଜଳ ଆସିବା ବ୍ୟବସ୍ଥା ବି କରା ଯାଇନାହିଁ। ବହୁ ସରକାରୀ କାର୍ଯ୍ୟାଳୟରେ କରାଯାଇଥିବା କୁହାଯାଉଥିବା ବେଳେ ସେଠାରେ ଏହାର ଚିହ୍ନବର୍ଣ୍ଣ ବି ଦିଶୁନି।

ପୌରପାଳିକାରୁ ମିଳିଥିବା ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)ରେ ଜୟପୁର ସହରର ବିଭିନ୍ନ ସ୍ଥାନରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୪୨୮ଟି ପ୍ରକଳ୍ପ ପାଇଁ ଏକ କୋଟି ୯୫ଲକ୍ଷ ଟଙ୍କା ଓ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୪୦୦ଟି ପ୍ରକଳ୍ପ ପାଇଁ ଏକ କୋଟି ୬୪ଲକ୍ଷ ଟଙ୍କା ଏଭଳି ସର୍ବମୋଟ ୨ ବର୍ଷରେ ୮୨୮ଟି ପ୍ରକଳ୍ପ ପାଇଁ ୩କୋଟି ୫୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହିସବୁ ପ୍ରକଳ୍ପର କାମ ୨୮ଟି ୱାର୍ଡରେ ଥିବା ବସ୍ତି ଉନ୍ନୟନ କମିଟି ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଇଥିବା ପୌରପାଳିକା ମୁକ୍ତା ପ୍ରକଳ୍ପ ଅଧିକାରୀ ଜ୍ୟୋର୍ତିମୟ ବିଶ୍ବାସ କହିଛନ୍ତି। ପ୍ରତିବର୍ଷ ଏହି ପ୍ରକଳ୍ପ ଗୁଡିକର ପୁନଃରୁଦ୍ଧାର, ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ।

ଏହି ଆର୍ଥିକବର୍ଷରେ ଅନୁଦାନ ବି ମିଳିନି ବୋଲି କହିଛନ୍ତି ପ୍ରକଳ୍ପ ଅଧିକାରୀ ଶ୍ରୀ ବିଶ୍ବାସ। ପ୍ରକୃତରେ ଏହି ୮୨୮ଟି ପ୍ରକଳ୍ପର ସ୍ଥିତି କିଭଳି ରହିଛି, ପ୍ରକୃତରେ କାର୍ଯ୍ୟକାରୀ ହେଉଛି ନା କାଗଜପତ୍ରରେ ପ୍ରସ୍ତୁତ ହୋଇଛି ତାହାର ତଦାରଖ କରିବାକୁ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରରେ ଥିବା ପ୍ରକଳ୍ପ ଗୁଡିକୁ ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଥିଲୁ। ଜେଲ ରୋଡ ପ୍ରାଥମିକ ବିଦ୍ୟାଳୟ, ଜିଲ୍ଲାଶ୍ରମ କମିସନର, ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ଏହି ପ୍ରକଳ୍ପ କରାଯାଇ ନାହିଁ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହରିଜନ ସାହିରେ କେବଳ ସିମେଣ୍ଟର ପିଟ ରହିଥିବା ବେଳେ ପାଇପ ସଂଯୋଗ କିଛି ନାହିଁ।

Sambad

ସରକାରୀ ମହିଳା ମହାବିଦ୍ୟାଳୟ, ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଜେଇଏଲସି ହାଇସ୍କୁଲ, ସରକାରୀ ଉଚ୍ଚବିଦ୍ୟାଳୟ, କୁନ୍ଦାରୀଗୁଡା ପ୍ରାଥମିକ ବିଦ୍ୟାଳୟ, ପାରାବେଢ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡୀ କେନ୍ଦ୍ରରେ ନିର୍ମାଣ ହୋଇଥିବ‌ା ବେଳେ ବର୍ତ୍ତମା‌ନ ସେଠାରେ ଲତାବୁଧା ଉଠିବା ସହ ପିଟ ପୋତି ହୋଇଯାଇ ଦେଖାଯାଉନି। ଯେଉଁ ସବୁ ସ୍ଥାନରେ ଏହା କରାଯାଇଛି ସେଠାରେ ଉପରୁ ଜଳ ଖସି ଆସୁଛି ତାର ପ୍ରବାହକୁ ନ ପରଖି ମନଇଚ୍ଛା ସ୍ଥାନରେ ମାଟି ଖୋଳି ଅଯଥା ଜଳ ଅମଳ ପ୍ରକଳ୍ପ କରାଯାଇଛି। ଫଳରେ ବର୍ଷା ଜଳ ଗୋଟିଏ ସ୍ଥାନରେ ବହି ଚାଲୁଥିବା ବେଳେ କିଛି ଦୂରରେ ଖୋଳାଯାଇଥିବା ନାଳ ମଧ୍ୟକୁ ଉଚ୍ଚସ୍ଥାନରୁ ମାଟି ଧସି ଆସି ପ୍ରକଳ୍ପକୁ ପୋତି ପକାଉଥିବ‌ା କହିଛନ୍ତି ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ। ଏହି ପ୍ରକଳ୍ପ ଗୁଡିକ ପ୍ରକୃତରେ କେଉଁଟି ରହିଛି ତାହାର ତଦାରଖ କରି ନିଜେ ବି କିଛି ସ୍ଥାନରେ ପାଇ ପାରିନଥିବା ମାନିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଦୁରଦୃଷ୍ଟି ଅଭାବ ଏବଂ ଯୋଜନାବଦ୍ଧ ଭାବେ ନ କରି ଏତେ ଟଙ୍କା ଖର୍ଚ୍ଚ କରି ବି ଭଲ ପ୍ରକଳ୍ପର ସଫଳତା ଆମେ ପାଇ ପାରୁ ନାହୁଁ ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ। ଏହି ପ୍ରକଳ୍ପକୁ ନେଇ ବାଟମାରଣାକୁ ନେଇ ପ୍ରଶ୍ନ କରିବାରେ ସେ ଏସଂପର୍କରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ, ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଆସି ପାରିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ।

ସମ୍ବନ୍ଧିତ ଖବର