ରାୟଗଡା: ନକଲି ପାସବୁକ, ନକଲି ରସିଦ ଦେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର କୁମାରଢାମୁଣୀ ଶାଖା ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଶାଖା ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ନାମରେ ହୋଇଥିବା ଅଭିଯୋଗକୁ ନେଇ ନୂଆ ମୋଡ। ପୋଷ୍ଟାଲ ବିଭାଗର ଗୁଣପୁର ଉପଖଣ୍ଡ ପୋଷ୍ଟାଲ ନିରୀକ୍ଷକ ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ସୋମବାର ଅର୍ଥାତ ୨୦ ତାରିଖରେ ତତ୍କାଳୀନ ପୋଷ୍ଟମାଷ୍ଟର ସ୍ବର୍ଗତ ଦାମୋଦର ଲାବଲାଙ୍କ ଘରକୁ ଯାଇ ତଦନ୍ତ କରିବା ସହ ତାଙ୍କ ପତ୍ନୀ ହାରାବତୀ ଲାବଲାଙ୍କ ଠାରୁ ଲିଖିତ ଆଣିଛନ୍ତି ଯେ ଏହି ଅଭିଯୋଗରେ ମୋର ଟଙ୍କା କିଛି ହେରଫେର ହୋଇନାହିଁ।
ଏହି ଘଟଣାକୁ ନେଇ ଅଭିଯୋଗକାରୀ ହୁଷିକେଶ ଲାବଲା କହିଛନ୍ତି ମୋ ପରିବାରକୁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଚାପ ପ୍ରୟୋଗ କରି ଲିଖିତ ଭାବେ ନେଇଛନ୍ତି ଡାକବିଭାଗ। ଏଥିରେ ମୁଁ ଦସ୍ତଖତ କରିନାହିଁ। ମଙ୍ଗଳବାର ପୁଣି କିଛି ପୋଷ୍ଟାଲ ଅଫିସର ଆମ ଘରକୁ ଆସି ସୋମାରର ଲେଖା ଉପରେ ପଚାରିଥିଲେ ବୋଲି ଶ୍ରୀ ଲାବଲା କହିଛନ୍ତି। ଶ୍ରୀ ଲାବଲା ତଦନ୍ତକାରୀ ଅଧିକାରୀଙ୍କୁ କାହିଁକି ଭୟଭୀତ କରାଇ ଲିଖିତ ନେଉଛନ୍ତି। ଏହା କହିବା ପରେ ସମସ୍ତେ ଫେରି ଯାଇଥିଲେ। ମୁଁ ଏହି ଆତ୍ମସାତ ଘଟଣାକୁ ନେଇ ଥାନାରେ କେସ ନଂମ୍ବର ୦୦୨୬/୧୬.୩.୨୩ରେ ମାମଲା ରୁଜୁ କରିଛି। ପୁଲିସ ଏହାର ତଦନ୍ତ କରୁଛି। ପୁଲିସ ଉପରେ ମୋର ବିଶ୍ୱାସ ରହିଛି ସଠିକ ତଦନ୍ତକରି ନ୍ୟାୟ ଦେବେ। କିନ୍ତୁ ପୋଷ୍ଟାଲ ବିଭାଗ ଗୁଣପୁର ଅଧିକାରୀ କିରଣକୁମାର ପାତ୍ରଙ୍କ ତଦନ୍ତ ଉପରେ ମୋର ସନ୍ଦେହ ସୃଷ୍ଟି ହେଉଛି ବୋଲି ଶ୍ରୀ ଲାବଲା ଅଭିଯୋଗ କରିଛନ୍ତି। ବିଭାଗ ତାଙ୍କ ମୋବାଇଲ ଯାଞ୍ଚ କଲେ ଏହି ଘଟଣାର ଆହୁରି ଗୁମର ମିଳିବ ବୋଲି ସେ କହିଥିଲେ। ଦୟାକରି ଡାକବିଭାଗକୁ ଅନୁରୋଧ କରୁଛି ଗୁଣପୁର ଅଧିକାରୀ ଶ୍ରୀ କିରଣଙ୍କୁ ଏହି ଘଟଣାରୁ ଦୂରରେ ରଖିଲେ ତଦନ୍ତରେ ସ୍ବଚ୍ଛତା ଆସିବ। ପ୍ରକାଶ ଥାଉକି, କୁମାରଢାମୁଣି ଶାଖା ପୋଷ୍ଟ ଅଫିସରେ ପ୍ରଚାରପତ୍ର ଧରାଇବା ଭଳି ଜମାକାରୀଙ୍କୁ ଦେଇଛନ୍ତି ପାସବୁକ। ପୁଣି ପୋଷ୍ଟାଲ ବିଭାଗ ମୋହର ମାରି ଲୋକଙ୍କୁ ନକଲି ରସିଦ ଏବଂ ନଥିପତ୍ର ଦେଇଥିବା ନେଇ ଅଭିଯୋଗ ହେଉଛି।
ଉକ୍ତ କୁମାରଢାମୁଣି ପୋଷ୍ଟ ଅଫିସର ପୂର୍ବତନ ଶାଖା ପୋଷ୍ଟ ମାଷ୍ଟର ସ୍ୱର୍ଗତ ଦାମୋଦର ଲାବଲାଙ୍କ ତାଙ୍କ ମୃତ୍ୟୁ ପରେ କାର୍ଯ୍ୟରତ ଶାଖା ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀ ପ୍ରାୟ ୨୦ ହଜାର ଟଙ୍କା ଉଠାଇଥିବା ଭଳି ଅଭିଯୋଗ ମଧ୍ୟ ସ୍ୱର୍ଗତଃ ଦାମୋଦରଙ୍କ ପୁଅ ହୃଷୀକେଶ ଲାବଲା ଅଭିଯୋଗ କରିଛନ୍ତି। ଏ ନେଇ ଉପରିସ୍ଥ ଅଧିକାରୀ କାହା ଡରରେ ବା ଆଦେଶରେ ଏଭଳି ଗରିବ ଲୋକଙ୍କ ଟଙ୍କା ହଡପ କରୁଥିବା ପୋଷ୍ଟ ମାଷ୍ଟରଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଠା କରୁଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏମିତି ଅନେକ ଗରୀବ ଆଦିବାସୀ ଉପଭୋକ୍ତାଙ୍କ ସହ ଏଭଳି ଘଟଣା ଘଟିଥିଲେ ମଧ୍ୟ ଉକ୍ତ ପୋଷ୍ଟ ମାଷ୍ଟର ନିଜ ବାହୁବଳ ଓ ଧମକ ଦେଇ ଗରିବ ଉପଭୋକ୍ତାଙ୍କ ପାଟି ବନ୍ଦ କରିବାରେ ସକ୍ଷମ ହେଉଛନ୍ତି। ଏହାସହ ତଦନ୍ତ କରୁଥିବା ଅଧିକାରୀ ଏକ ପାଖିଆ ତଦନ୍ତ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ତେବେ ଆଦିବାସୀ ମହାସଂଘର ସଭାପତି କାଡ୍ରାକା ଆପ୍ଲାସ୍ବାମୀ କହିଛନ୍ତି ଏହାର ତଦନ୍ତ ଭାର ରାୟଗଡା ପୋଷ୍ଟାଲ ଡିଭିଜନ ନକରି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଦ୍ବାରା ନିରପେକ୍ଷ ଭାବେ ତଦନ୍ତ କରାଯାଏ ତାହେଲେ ବହୁ ଆଦିବାସୀ ଉପଭୋକ୍ତା ନ୍ୟାୟ ପାଇପାରିବେ। ଯଦି ଏହାର ନିରପେକ୍ଷ କରାନଯାଏ ତେବେ ଆଦିବାସୀ ସଂଘ ଜନ ଆନ୍ଦୋଳନ ଡାକରା ଦେବ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Rgda-Postal-news.jpg)