ଜଗତସିଂହପୁର ଟାଉନ୍: ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କରି ଆକାଉଣ୍ଟକୁ ଟଙ୍କା ଦେଲେ ରାଜ୍ୟ ସରକାର ଆଉ ଏବେ କରୋନା କାଳରେ ଟଙ୍କା ଫେରାଇବାକୁ ନୋଟିସ୍ ଦିଆଯାଉଛି। କୃଷି ବିଭାଗର ତଥ୍ୟ ଅନୁସାରେ ଜଗତସିଂହପୁର ଜିଲ୍ଲାରେ ୩୨୪୦ ଜଣଙ୍କ ପାଖକୁ ନୋଟିସ୍ ଦିଆଯାଇଛି। କିଛି ଲୋକ ଫେରାଉଥିବା ବେଳେ ଅଧିକାଂଶ ଲୋକ ଏହାକୁ ନେଇ ତୀବ୍ର ପ୍ରତିକ୍ରିଆ ପ୍ରକାଶ କରୁଛନ୍ତି। ଏନେଇ ବିଜେପି ଓ କଂଗ୍ରେସ ନେତା ସ୍ୱର ଉଠାଇଛନ୍ତି।
ସୂଚନା ଅନୁସାରେ ଜଗତସିଂହପୁର ବ୍ଲକ୍ର ୩୭୫, ନାଉଗାଁର ୨୦୩, ବାଲିକୁଦାର ୫୨୯, ବିରିଡ଼ିର ୨୮୨, ରଘୁନାଥପୁରର ୩୧୩, ତିର୍ତ୍ତୋଲର ୪୬୮, କୁଜଙ୍ଗର ୬୮୯ ଏବଂ ଏରସମା ବ୍ଳକର ୩୮୧ ଜଣଙ୍କ ନିକଟକୁ ନୋଟିସ୍ ଦିଆଯାଇଛି । ଜିଲ୍ଲାରେ ଲକ୍ଷେ ୨୨ ହଜାର ଚାଷୀ ଧାନ ଚାଷ କରୁଥିବା ନେଇ ତଥ୍ୟ ରହିଛି। ହେଲେ ଜିଲ୍ଲାରେ କେତେ ଜଣ କାଳିଆ ଟଙ୍କା ପାଇଛନ୍ତି ତାର ହିସାବ କୃଷି ବିଭାଗ ଅଧିକାରୀଙ୍କ ନିକଟରେ ନାହିଁ ଏବଂ ୩୨୪୦ ଜଣ ଅଯୋଗ୍ୟଙ୍କ ତାଲିକା ମଧ୍ୟ କୃଷି କାର୍ଯ୍ୟାଳୟରେ ନାହିଁ ରାଜ୍ୟ ସରକାର ସିଧା ସଳଖ ତାଲିକା ପ୍ରସ୍ତୁତ କରି ବ୍ଲକ୍ ଗୁଡ଼ିକୁ ପଠାଇଛନ୍ତି। ଏହାପରେ ନୋଟିସ୍ ଦିଆଯାଇଛି।
ନୋଟିସ୍ ପଠାଯାଇଥିବାଙ୍କ ମଧ୍ୟରେ ସରକାରୀ ଚାକିରିଆ, ଇନ୍କମ୍ ଟ୍ୟାକ୍ସ ଭରୁଥିବା ବ୍ୟକ୍ତି, ବଡ଼ ଚାଷୀ(୫ ଏକରରୁ ଅଧିକ ଜମିଥିବା ଚାଷୀ), ରେସନକାର୍ଡ ନଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ ଭାବେ ନିଆଯାଇଛି। ଜଗତସିଂହପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପହାମାତ୍ରଙ୍କ କହିବା ଅନୁସାରେ ନୋଟିସ୍ ପାଇବା ପରେ କିଛି କିଛି ଲୋକ ସମ୍ମାନକୁ ଜଗି ଟଙ୍କା ଫେରାଇବା ଆରମ୍ଭ କରିଛନ୍ତି।
ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ସ୍ୱର ଉଠାଇଛନ୍ତି। ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର(ଗୁଣ୍ଡା ବାବୁ) ତୀବ୍ର ବିରୋଧ କରି କହିଛନ୍ତିି ଯେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦିଆ ଯାଉଛି କେହି ଜଣେ ହେଲେ କାଳିଆ ଟଙ୍କା ଫେରସ୍ତ କରନ୍ତୁ ନାହିଁ। ବିଜେପି ପକ୍ଷରୁ ଯାହା ଆବଶ୍ୟକ ପଡ଼ିବ କରାଯିବ ଏଥି ପାଇଁ ଆଇନର ଆଶ୍ରୟ ନିଆଯିବ। ସେତେବେଳେ ଲୋକ କଣ ମାଗିଥିଲେ କି ଟଙ୍କା ଦେବାକୁ ବୋଲି ପ୍ରଶ୍ନ କରିଛନ୍ତି। ଯଦି ଲୋକ ମାଗି ନଥିଲେ ତେବେ ଦେଲ କାହିଁକି ଏବଂ ଏବେ କାହିଁକି ଟଙ୍କା ଫେରାଇବାକୁ କହୁଛ ବୋଲି ଜବାବ୍ ମାଗିଛନ୍ତି ଶ୍ରୀ ମହାପାତ୍ର। ଯଦି ଟଙ୍କା ଫେରସ୍ତ ପାଇଁ ସରକାର ଜିଦ୍ ଧରନ୍ତିି ତେବେ ବିଜେପି ପକ୍ଷରୁ ବିକ୍ଷୋଭ ଅନଶନ କରାଯିବ ।
ଅନ୍ୟପଟେ ନିର୍ବାଚନ ପୂର୍ବରୁ କେମିତି ଓ କେଉଁ ଉଦେଶ୍ୟରେ ଅଯୋଗ୍ୟମାନଙ୍କୁ ଟଙ୍କା ଦିଆଯାଇଥିଲା ବୋଲି କଂଗ୍ରେସ ନେତା ବିପ୍ଳବ ଚୌଧୁରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ ଜଗତସିଂହପୁର ଓଡ଼ିଶୋ ପଂଚାୟତରେ ୮ ଶହରୁ ଅଧିକ କାଳିଆ ଟଙ୍କା ଦିଆଯାଇଛି। କାଳିଆ ଟଙ୍କା ଦେବାରୁ ବିଜେଡି ପାଖା ପାଖି ୪ ହଜାର ଭୋଟ୍ ପାଇଛି। ଯଦି ଲୋକ କାଳିଆ ଟଙ୍କା ଫେରାଇବେ ତେବେ ଲୋକଙ୍କ ଭୋଟ୍ ଫେରାଅ ବୋଲି କହିଛନ୍ତି।ି ସରକାର ଲୋକଙ୍କୁ ବୋକା ବନାଇ ଭୋଟ୍ ନେଇଛନ୍ତି। ି ଇଲିଗାଲକୁ ଲିଗାଲ କରି କାଳିଆ ମାଧ୍ୟମରେ ଟଙ୍କା ଦିଆଯାଇଥିଲା ବୋଲି କହିଛନ୍ତି।